Latest Odisha News

BREAKING NEWS

ବିଶ୍ୱ ଓଡ଼ିଆ ମହୋତ୍ସବ ଉଦଘାଟିତ; ବ୍ରାଣ୍ଡ ଓଡିଶାକୁ ପ୍ରୋତ୍ସାହନ ଆହ୍ବାନ

ଭୁବନେଶ୍ୱର: ଓଡିଶାକୁ ଆର୍ଥିକ ଓ ବୌଦ୍ଧିକ ଦୃଷ୍ଟିରୁ ଉନ୍ନତ ଓ ସଂପନ୍ନ ବନାଇବା ପାଇଁ ସମଗ୍ର ବିଶ୍ୱର ପ୍ରବାସୀ ଓଡ଼ିଆ ମାନଙ୍କୁ ଆହ୍ବାନ କରାଯାଇଛି।

ବିଶ୍ୱ ଓଡ଼ିଆ ୱେବ ମହୋତ୍ସବର ଉଦଘାଟନ ଅବସରରେ ଅତିଥି ମାନେ ୩୨ଟି ଦେଶର ଓଡ଼ିଆ ସମାଜ ଓ ଓଡିଶା କେନ୍ଦ୍ରିକ ସାଂସ୍କୃତିକ ଓ ସାମାଜିକ ସଂଗଠନ ମାନେ ବ୍ରାଣ୍ଡ ଓଡିଶାକୁ ପ୍ରୋତ୍ସାହନ ଓ ଲୋକପ୍ରିୟ କରିବା ପାଇଁ ନିବେଦନ କରିଛନ୍ତି।

ଓଡିଶା ସୋସାଇଟି ଅଫ ଆମେରିକାଜ (ଓସା) ତରଫରୁ ପ୍ରଥମ ଥର ପାଇଁ ଆୟୋଜିତ ଏହି ଓଡ଼ିଶାର ସାଂସ୍କୃତିକ ମହାକୁମ୍ଭରେ ସାରା ପୃଥିବୀର ସହସ୍ରାଧିକ ଓଡ଼ିଆ ଓ ଅଣ ଓଡ଼ିଆ ଜନସାଧାରଣ ଇଣ୍ଟରନେଟ ଜରିଆରେ ଯୋଗ ଦେଇଥିଲେ।

ସମ୍ମିଳନୀକୁ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ବିଶ୍ୱର ଓଡ଼ିଆ ମାନେ ଏକଜୁଟ ହୋଇ ବ୍ରାଣ୍ଡ ଓଡିଶାର ଶ୍ରେଷ୍ଠତ୍ଵକୁ ପ୍ରମାଣିତ କରିବା ପାଇଁ ଆହ୍ୱାନ ଦେଇଥିଲେ। ଏପରିକି ପୃଥିବୀର କୋଣ ଅନୁକୋଣରେ ବସବାସ କରୁଥିଲେ ହେଁ, ଆମେ ସମସ୍ତେ ଗୋଟିଏ ପରିବାରର ସଦସ୍ୟ ବୋଲି ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି।

ସେହିପରି ମହୋତ୍ସବକୁ ଉଦବୋଧନ କରି ଗଜପତି ମହାରାଜା ଦିବ୍ୟସିଂହ ଦେବ ଏକ ସୁସ୍ଥ, ସଂଯତ ଓ ସଂପନ୍ନ ସମାଜ ନିର୍ମାଣ ପାଇଁ ଉଭୟ ବସ୍ତୁବାଦୀ ଓ ଆଧ୍ୟାତ୍ମିକ ଚିନ୍ତନ ବିକାଶ ହେବାର ଆବଶ୍ୟକତା ରହିଥିବା ସୁଚାଇଥିଲେ।

ନୈତିକ ଓ ବୌଦ୍ଧିକ ଜ୍ଞାନୋଦୟ ଦ୍ୱାରା ମାନବର ଆତ୍ମସୁଦ୍ଧି ପ୍ରାପ୍ତ ହେଲେ ମାନବ ସମାଜ ସିଦ୍ଧି ଓ ସମୃଦ୍ଧି ହାସଲ କରିପାରିବ ବୋଲି ଗଜପତି ଉଲ୍ଲେଖ କରିଛନ୍ତି।

ସେହିପରି ଓଡ଼ିଶାର ମହନୀୟତା ଓ ମହାନତା ତଥା ସମଗ୍ର ବ୍ରାଣ୍ଡ ଓଡିଶାକୁ ସାରା ବିଶ୍ୱରେ ପରିଚିତ ଓ ପ୍ରମାଣିତ କରିବା ପାଇଁ ସମ୍ପ୍ରତି ଆମ ନିକଟରେ ଏକ ସୁବର୍ଣ୍ଣସୁଯୋଗ ସୃଷ୍ଟି ହୋଇଥିବା ଶ୍ରୀ ପ୍ରଧାନ ଦର୍ଶାଇଛନ୍ତି। ଆମର ଉନ୍ନତ ଭାଷା, ଉଚ୍ଚ ସଂସ୍କୃତି, ମହାନ ପରମ୍ପରା, ବୃହତ ସମାଜ, ଜଗନ୍ନାଥ ଧର୍ମ, ବେଳାଭୂମି, ଜଂଗଲ, ନଦୀ ସଂପଦ, ପରିବେଶ ଧର୍ମୀ ପର‌୍ୟ୍ୟଟନ, ଖଣି ଓ ପେଟ୍ରୋ କେମିକାଲ ଆଦି ସଂପଦକୁ ଅତ୍ୟାଧୁନିକ ୫ଜି ବୈଷୟିକ ଜ୍ଞାନ କୌଶଳ ମାଧ୍ୟମରେ ସମଗ୍ର ଦୁନିଆରେ ସାମୁହିକ ଯୋଜନା ସହିତ ଲୋକପ୍ରିୟ କରିବାକୁ ପ୍ରବାସୀ ଓଡ଼ିଆ ମାନଙ୍କୁ ମନ୍ତ୍ରୀ ଶ୍ରୀପ୍ରଧାନ ଆହ୍ବାନ ଜଣାଇଥିଲେ।

ସମ୍ମାନିତ ଅତିଥି ଭାବରେ ରାଜ୍ୟ ମନ୍ତ୍ରୀ ଅରୁଣ ସାହୁ, କେନିଆର ସାଂସଦ ଡ଼ଃ ସ୍ୱରୂପ ମିଶ୍ର ଏବଂ ଅନ୍ୟ ମାନଙ୍କ ମଧ୍ୟରେ ଶୋଭନୀୟ ଆନ୍ଦୋଳନର ମୁଖ୍ୟ ଡ଼ଃ ଅରୁନ୍ଧତୀ ଦେବୀ, ଓସାର ସଂପାଦକ ବିବେକ ଦାସ,ଡ଼ଃ ନଳିନୀ ପତି, ଅମୀୟ ମିଶ୍ର, କିଶୋର ଦ୍ବିବେଦୀ, ମନୋଜ ପାତ୍ର, ସୁମନ୍ତ ମାନସିଂହ, ଶିବରଞ୍ଜନ ବିଶ୍ୱାଳ, ପ୍ରିତୀଶ ଦାଶ, ଡ଼ଃ ସୁନନ୍ଦାମିଶ୍ର ପଣ୍ଡା, ସଂଜୀବ ପଣ୍ଡା, ଶାଶ୍ୱତ ପାଢ଼ୀ, ଗଜେନ୍ଦ୍ର ସାହୁ,ଡ଼ଃ ଅନିତା ପଣ୍ଡା, ଆଦ୍ର୍ରିସ ବ୍ରହ୍ମଦତ୍ତ, ଗିରିଜା ଶଙ୍କର ପାଢ଼ୀ, କୁନା ଦାଶ, ନିହାର ସାମନ୍ତରା, ଖିରୋଦ ଜେନା, ଡ଼ଃ ଉମାକାନ୍ତ ମିଶ୍ର, ପ୍ରଫେସର ଚିତ୍ତ ବରାଳ,ସନ୍ତୋଷ ମିଶ୍ର,ଆଲୋକ ପଣ୍ଡା,ଅଜୟ ମହାନ୍ତି, ବିଜୟଶ୍ରୀ ସାମଲ,ଅକ୍ଷୟ ପାତ୍ର, ସଞ୍ଜୟ ଦାସ, ସୁସ୍ମିତା ରାଜହଂସ, ଡ଼ଃ ଅରୁଣ ପ୍ରହରାଜ, ସୁକାନ୍ତ ସାହୁ,ସଂଜୀବ ମହାନ୍ତି,ସୁସ୍ମିତା ପଟ୍ଟନାୟକ,ଦେବର୍ଷୀ ମଲ୍ଲିକ, ଭଗବାନ ପଣ୍ଡା,ରମେଶ ବିଶ୍ୱାଳ,ସୁଦାମ ପ୍ରଧାନ, ଗୋବର୍ଧନ ଧଳ,ମୀନକେତନ ସାମଲ, ଉପେନ୍ଦ୍ର ପାଢ଼ୀ, ପୁଷ୍ପାଞ୍ଜଳି ବାରିକ, ରୀତା ପାତ୍ର, ପ୍ରଶାନ୍ତ ଭୂୟାଁ, ପ୍ରଦୀପ ରଥ ଓ ଡ଼ଃ ଶୀତଳ କୁମାର, ଆଇ.ସି.ଆର.ଆଇ.ଏସ.ଏ.ଟି ର ଦେଶ ନିର୍ଦେଶକ ଅରବିନ୍ଦ ପାଢ଼ୀ ପ୍ରମୁଖ ସାମିଲ ହୋଇ ଥିଲେ।

ସେହିପରି ‘ମୋ ପରିବାର’ର ଆବାହକ ଅରୁପ ପଟ୍ଟନାୟକ ବିଶ୍ୱଭରି ପ୍ରବାସୀ ଓଡ଼ିଆ ମାନଙ୍କର ଠିକଣା ଓ ଫୋନ ନମ୍ବରକୁ ନେଇ ଏକ ଡାଟା ଆଧାରିତ ଡିଜିଟାଲ ଡାଇରେକ୍ଟରୀ ପ୍ରସ୍ତୁତ କରିବା ପାଇଁ ମହୋତ୍ସବରେ ଅଂଶଗ୍ରହଣକାରୀ ପ୍ରତିନିଧି ମାନଙ୍କର ସାହାଯ୍ୟ ଓ ସହଯୋଗ କାମନା କରିଛନ୍ତି।

ମୁଖ୍ୟ ଆୟୋଜକ ଓସାର ସଭାପତି କୁକୁ ଦାସ ଓଡିଶା ଓ ଓଡ଼ିଆଙ୍କୁ ଶ୍ରେଷ୍ଠ ଓ ସମୃଦ୍ଧ ପ୍ରମାଣିତ କରିବା ତଥା ବିଶ୍ୱ ସ୍ତରରେ ଆମର ମାତୃ ପ୍ରଦେଶକୁ ସମୁଚିତ ମାନ୍ୟତା ପ୍ରଦାନ କରିବା ଆମର ମୁଖ୍ୟ ଲକ୍ଷ୍ୟ ବୋଲି କହିଥିଲେ।

ରାଜ୍ୟର ୩୦ଟି ଜିଲ୍ଲାରେ ମୋ ଲାଇବ୍ରେରୀ ପ୍ରକଳ୍ପ ମାଧ୍ୟମରେ ଗୋଟିଏ କରି ଇ ଲାଇବ୍ରେରୀ ସ୍ଥାପନ କରିବାପାଇଁ ଶ୍ରୀମତୀ ଦାସ ପ୍ରସ୍ତାବ ଆଗତ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ବିଶ୍ୱଜିତ ବଳିୟାରସିଂହ ସୁଚାରୁ ରୂପେ ସଂଯୋଜନା କରିଥିଲେ।ଓସାର ଉପସଭାପତି ଅନିଲ ପଟ୍ଟନାୟକ ଧନ୍ୟବାଦ ଅର୍ପଣକରିଥିଲେ। ଓସାର କୋଷାଧ୍ୟକ୍ଷ ଉତ୍କଳ ନାୟକ ଲାଇଭଷ୍ଟ୍ରିମିଙ୍ଗକୁ ଦକ୍ଷତାର ସହିତ ନିୟନ୍ତ୍ରଣ କରିଥିଲେ।

Comments are closed.