Latest Odisha News

ଗ୍ଲୋବାଲ୍‍ ୱେଷ୍ଟର୍ଣ୍ଣ ଓଡ଼ିଶା ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ

ଭୁବନେଶ୍ୱର: ନାରୀ ଶାନ୍ତି, ମୈତ୍ରୀ, ପ୍ରୀତି, ଶକ୍ତି ଓ ସମୃଦ୍ଧିର ଓଜସ୍ୱିନୀ ଉତ୍ସ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି । ମହିଳାଙ୍କୁ ସଠିକ ସୁବିଧା, ସୁଯୋଗ ଓ ସାକାରାତ୍ମକ ସମର୍ଥନ ମିଳେ ତେବେ ସମାଜରେ ଶ୍ରେଷ୍ଠତ୍ୱ ହାସଲ କରିବା ସେମାନଙ୍କ ପକ୍ଷରେ ସହଜସାଧ୍ୟ ବ୍ୟାପାର ହୋଇପାରିବ ବୋଲି ଗ୍ଲୋବାଲ୍‍ ୱେଷ୍ଟର୍ଣ୍ଣ ଓଡ଼ିଶା (ଗ୍ଲୋଓ) ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ଉପସ୍ଥିତ ଅତିଥିବୃନ୍ଦ ମତପ୍ରକାଶ କରିଛନ୍ତି । ଅନ୍‍ଲାଇନ୍‍ ଯୋଗେ ଆୟୋଜିତ ଏହି ସମାରୋହରେ ସାରା ବିଶ୍ୱର ବହୁ ପ୍ରତିଷ୍ଠିତ ତୁଙ୍ଗ ନାରୀ ନେତୃବୃନ୍ଦ ଯୋଗ ଦେଇଥିଲେ ।

Global Western Odisha Host Webinar In International Womens Day

ଭର୍ଚୁଆଲ୍ ସମାବେଶକୁ ସମ୍ବୋଧନ କରି ବଲିଉଡ୍‍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କର ମା’ ଏବଂ ଆନ୍ତର୍ଜାତିକ ସ୍ତରରେ ବହୁ ଚର୍ଚ୍ଚିତ ଓ ପ୍ରସିଦ୍ଧ ଚଳଚ୍ଚିତ୍ର ‘ଦ ହ୍ୱାଇଟ୍‍ ଟାଇଗର’ର ନିର୍ମାତା ଡ. ମଧୁ ଚୋପ୍ରା ଲିଙ୍ଗଗତ ସମାନତା, ମହିଳାଙ୍କ ପ୍ରତି ସାମାଜିକ ଦୃଷ୍ଟିକୋଣ ଏବଂ ଏକ ‘ସେଲିବ୍ରିଟି ଶିଶୁ’କୁ ଲାଳନପାଳନ କରିବା ନେଇ ପ୍ରତିବନ୍ଧକ ସମ୍ପର୍କରେ ବହୁ ଉପାଦେୟ ତଥ୍ୟାବଳୀ ସହିତ ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ଲାଇଭଷ୍ଟ୍ରିମିଂ ସଭାରେ ସାମିଲ ହୋଇ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଥମ ମହିଳା କୂଳପତି ଡ. ସବିତା ଆଚାର୍ଯ୍ୟ, ଗୁଣାତ୍ମକ ଶିକ୍ଷା ନେଇ ସମସ୍ୟା, ଶିକ୍ଷାଗତ ଭିତ୍ତିଭୂମି ବ୍ୟବସ୍ଥା ଏବଂ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ପ୍ରଚଳିତ ଲିଙ୍ଗଗତ ସାମ୍ୟବାଦ ସମ୍ପର୍କରେ ବେଶ୍‍ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ । ବରିଷ୍ଠ ପ୍ରଶାସକ ନନ୍ଦିତା ମିଶ୍ର ତାଙ୍କର ବକ୍ତବ୍ୟରେ ମହିଳାମାନଙ୍କର ଅର୍ଥନୈତିକ ସଶକ୍ତିକରଣ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ ।

Global Western Odisha Host Webinar In International Womens Day

ଡିଜିଟାଲ ସମ୍ମିଳନୀରେ ଉଦ୍‍ବୋଧନ ଦେଇ ରୁଚି ଫୁଡ୍‍ ଲାଇନ୍‍ର ନିର୍ଦ୍ଦେଶକ ରଶ୍ମୀ ସାହୁ, ନିଜର ପିତାଙ୍କ ଦ୍ୱାରା ପ୍ରତିଷ୍ଠିତ ବ୍ୟବସାୟକୁ ଆଗେଇ ନେବା ନେଇ ତାଙ୍କର ଉତ୍ସର୍ଗୀକୃତ ପ୍ରୟାସ ତଥା ପଶ୍ଚିମ ଓଡ଼ିଶାରେ ରୁଚି ମସଲାକୁ ପ୍ରତ୍ୟେକ ରୋଷେଇ ଘରେ ପହୁଁଚାଇବା ପାଇଁ ତାଙ୍କର କମ୍ପାନୀ ତରଫରୁ ଆରମ୍ଭ କରାଯାଇଥିବା ଜୋରଦାର୍‍ ପ୍ରଚାର ଓ ପ୍ରସାର ଅଭିଯାନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।

Global Western Odisha Host Webinar In International Womens Day

ୱେବିନାରରେ ଯୋଗଦେଇ ବିଶ୍ୱ ଓଡ଼ିଶା ସମାଜର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ ମହିଳା କିଭଳି ଏକପଟରେ ସୃଜନଶୀଳତାର ସର୍ବୋତ୍ତମ ସୋପାନରେ ପହଞ୍ଚି ପାରନ୍ତି ଏବଂ ଅନ୍ୟ ପକ୍ଷରେ ଆବଶ୍ୟକ ପଡ଼ିଲେ ଧ୍ୱଂସର ସମସ୍ତ ସୀମା ସରହଦକୁ ମଧ୍ୟ ଉଲ୍ଲଙ୍ଘନ କରିପାରନ୍ତି ତା ଉପରେ ଆଲୋକପାତ କରିଥିଲେ ।

Global Western Odisha Host Webinar In International Womens Day

ସୁନାମଧନ୍ୟ ଚଳଚ୍ଚିତ୍ର ନିର୍ମାତା ଏବଂ ବିତରକ ଜିତେନ୍ଦ୍ର ମିଶ୍ର, ତାଙ୍କର ନିଜ ଜୀବନଯାପନ ମାର୍ଗରେ ନାରୀ ଶକ୍ତିର ପ୍ରଭାବଶାଳୀ ଭୂମିକା ସମ୍ପର୍କରେ ଉଲ୍ଲେଖ କରିଥିଲେ । ଏହି ଅବସରରେ ନନ୍ଦିତା ମିଶ୍ର ଗ୍ଲୋଓ ଦ୍ୱାରା ବିତରଣ ହେବାକୁ ଥିବା ‘ଓମେନ୍ସ ଆଚ୍ଚିଭର୍ସ ଆୱାର୍ଡସ’ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଅଗଷ୍ଟ ୧ ତାରିଖରେ ପାଳନ ହେବାକୁଥିବା ‘ସମ୍ବଲପୁର ଦିନ୍‍’ ଦିନ ଘୋଷଣା ହେବାକୁ ଥିବା ଏହି ପୁରସ୍କାର ପାଇଁ ଆବେଦନ ପର୍ଯ୍ୟାୟ ମାର୍ଚ୍ଚ ୮ ତାରିଖରୁ ଆରମ୍ଭ ହେଉଥିବା ଶ୍ରୀମତୀ ମିଶ୍ର ଜଣାଇଥିଲେ ।

Global Western Odisha Host Webinar In International Womens Day

ଭର୍ଚ୍ଚୁଆଲ ମଞ୍ଚକୁ ନରେୱରୁ ପ୍ରତିତୀ ପଣ୍ଡା ସୁସଂଯୋଜନା ଓ ଖୁବ୍‍ ସୁଚାରୁ ରୂପେ ଉପସ୍ଥାପନା କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ‘ଗ୍ଲୋଓ’ର ସଭାପତି ଆଶୁତୋଷ ଦାଶ ଓ ସମ୍ପାଦକ ସତ୍ୟେନ୍ଦ୍ରନାଥ ପଣ୍ଡା ଦକ୍ଷତାର ସହିତ ପରିଚାଳନା କରିଥିଲେ । ‘ଗ୍ଲୋଓ’ର ବରିଷ୍ଠ ସଂସ୍ଥାପକ ସଦସ୍ୟ ପଦ୍ମିନୀ ପାଣିଗ୍ରାହୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ସିଦ୍ଧାର୍ଥ ବାବୁ, ପ୍ରିତୀଶ ଦାଶ, ଦେବେନ୍ଦ୍ର ମାଝୀ, ଗଜେନ୍ଦ୍ର ସାହୁ, ଆଦ୍ରିଶ ବ୍ରହ୍ମାଦିତ୍ୟ, ସୀମିତା ଷଡ଼ଙ୍ଗୀ, ଅକ୍ଷୟ ମହାନ୍ତି ଓ ଅର୍ଜୁନ ପୁରୋହିତ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ ।

Leave A Reply

Your email address will not be published.