Latest Odisha News

BREAKING NEWS

ଭଉଣୀ ସୁଭଦ୍ରାଙ୍କ ତରଫରୁ ବଡଭାଇ ଶ୍ରୀବଳଦେବଜୀଉଙ୍କ ପାଖକୁ ଆସିଲା ପାଟରାକ୍ଷୀ

କେନ୍ଦ୍ରାପଡା: କେନ୍ଦ୍ରାପଡାକୁ ଶ୍ରୀକ୍ଷେତ୍ର ପୁରୀରୁ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଭଉଣୀ ସୁଭଦ୍ରାଙ୍କ ପକ୍ଷରୁ ତୁଳସୀ କ୍ଷେତ୍ରର ଆରଧ୍ୟ ପ୍ରଭୁ ତଥା ବଡଭାଇ ଶ୍ରୀବଳଦେବଜୀଉଙ୍କ ପାଖକୁ ଆସିଛି ପାଟରାକ୍ଷୀ । ପୁରୀ ଶ୍ରୀମନ୍ଦିରର ମା’ ସୁଭଦ୍ରାଙ୍କ ବାଡଗ୍ରାହୀ ତଥା ଅନ୍ତର୍ଜାତୀୟ ପାଟରା ବିକାଶ ପରିଷଦର ସଭାପତି ରାମଚନ୍ଦ୍ର ଦାସ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ୩ଟି ରାକ୍ଷୀ ସହ କେନ୍ଦ୍ରାପଡାର ତିନିମୁହାଣୀସ୍ଥିତ ଶ୍ରୀରାମ ମନ୍ଦିର ନିକଟରେ ପହଞ୍ଚିଛନ୍ତି । ସେଠାରୁ ଏହି ପ୍ରତିନିଧିଦଳଙ୍କୁ ୨ଟି ଗାଡିରେ ସଂକୀର୍ତନ ମଣ୍ଡଳୀ ଓ ଶ୍ରୀଜୀଉଙ୍କ ଶ୍ରଦ୍ଧାଳୁମାନେ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଇଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କ ଯାତ୍ରୀନିବାସକୁ ପାଛୋଟି ନେଇଛନ୍ତି । ତିନିମୁହାଣୀରୁ କେନ୍ଦ୍ରାପଡା ସହର ମଧ୍ୟ ଦେଇ ଏହି ଶୋଭାଯାତ୍ରା ଯିବା ସମୟରେ ରାସ୍ତାର ଉଭୟ ପାଶ୍ୱର୍ରେ ଏହି ରାକ୍ଷୀକୁ ଦର୍ଶନ କରିବା ପାଇଁ ଛିଡା ହୋଇଥିବା ଶତାଧିକ ଶ୍ରଦ୍ଧାଳୁ, ଭକ୍ତ ଓ ଜନତାଙ୍କ ହରିବୋଲ, ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହୋଇ ଉଠୁଥିଲା ସାରା ଅଞ୍ଚଳ । ମନ୍ଦିର ବାହାରେ ଟ୍ରଷ୍ଟବୋର୍ଡର ସଭ୍ୟ ଏବଂ ମନ୍ଦିର ନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ଶ୍ରୀ ଜୀଉଙ୍କ ମନ୍ଦିର ବଡ ପଣ୍ଡା ମାଧବ ଚନ୍ଦ୍ର ପତ୍ରୀଙ୍କୁ ରାକ୍ଷୀ ତିନୋଟିକୁ ହସ୍ତାନ୍ତର କରାଯାଇ ସେହି ରାକ୍ଷୀ ଗୁଡିକୁ ମନ୍ଦିର ଭଣ୍ଡାର ଗୃହରେ ରଖାଯାଇଛି । ଆସନ୍ତ ଗହ୍ମାପୂର୍ଣ୍ଣିମାରେ ଶ୍ରୀ ବଳଦେବଜୀଉଙ୍କ ଜନ୍ମ ଦିବସ ତଥା ରାକ୍ଷୀ ପୂର୍ଣ୍ଣିମା ଅବସରରେ ଶ୍ରୀ ଜୀଉମାନଙ୍କୁ ରାକ୍ଷୀ ଗୁଡିକ ପିନ୍ଧାଇ ଦିଆଯିବ ।

ଉକ୍ତ ପାଟରାକ୍ଷୀ ହସ୍ତାନ୍ତର ପାଇଁ ଆସିଥିବା ପ୍ରତିନିଧିଙ୍କ ମଧ୍ୟରେ ସର୍ବ ଭାରତୀୟ ପାଟରା ବିକାଶ ପରିଷଦ ସଭାପତି ଦୁର୍ଯ୍ୟୋଧନ ସାହୁ, କାର୍ଯ୍ୟକ୍ରମର ପୃଷ୍ଟପୋଷକ ସୁରେଶ କୁମାର ପାଣିଗ୍ରାହୀ, ଶୁଭେନ୍ଦୁ କୁମାର ସ୍ୱାଇଁ ପ୍ରମୁଖ ସାମିଲ ହୋଇଥିଲେ । ଶ୍ରୀ ବଳଦେବଜିଉ ଦେବୋତ୍ତର ସଂସ୍ଥା ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ସେବକ ଟ୍ରଷ୍ଟି ବଳରାମ ସୁଆର, ଟ୍ରଷ୍ଟବୋର୍ଡ ସଦସ୍ୟ ରଞ୍ଜନ କୁମାର ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଓ ମହାପ୍ରଭୁଙ୍କ ଶିରିପା ପ୍ରଦାନ କରିଥିଲେ । ବଳରାମ ସେନା ପକ୍ଷରୁ କାର୍ଯ୍ୟକ୍ରମର ପୃଷ୍ଠପୋଷକ ଶ୍ରୀ ପାଣିଗ୍ରାହୀ ଓ ବରିଷ୍ଠ ଦଇତାପତି ମା’ସୁଭଦ୍ରାଙ୍କ ବାଡଗ୍ରାହୀ ରାମଚନ୍ଦ୍ର ଦାସମହାପାତ୍ରଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇଥିଲା । ଉଥିରେ ସେନା ପକ୍ଷରୁ ସଭାପତି ପପୁନ୍ କୁମାର ସ୍ଵାଇଁ, ସମ୍ପାଦକ ଅମର କୁମାର ବାରିକ, ଉପଦେଷ୍ଟା ନିରଞ୍ଜନ ମେକାପ, ସଦସ୍ୟ ଜ୍ୟୋତିରଞ୍ଜନ ପତ୍ରୀ, ସାରଦା ରାଉତରାୟ, ହିମାଂଶୁ ରାଉତ, ଆଶୁତୋଷ ପଣ୍ଡା, ପଦ୍ମଲୋଚନ ସାହୁ, ଉମେଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.