ଭୁବନେଶ୍ବର: ବଜାରରେ ସୁନା ଓ ରୁପା ଦର ଆକାଶଛୁଆଁ ହେବାରେ ଲାଗିଛି । ଗତ ସପ୍ତାହରେ ଏହାର ଦର ସାମାନ୍ୟ କମିଥିବା ବେଳେ ଆଜି ପୁଣି ନୂଆ ଦର ସାମ୍ନାକୁ ଆସିଛି । ପୁଣି ନୂଆ ରେକର୍ଡ କରିଛି ସୂନା ଦର । ଆଜି ୨୪କ୍ୟାରେଟ ସୁନା ୧୦ଗ୍ରାମ ପ୍ରତି ୧.୪୦ଲକ୍ଷ ଅତିକ୍ରମ କରିଛି ।
ଦେଶର ରାଜଧାନୀ ଦିଲ୍ଲୀରେ ୨୪କ୍ୟାରେଟ ସୁନାର ଦାମ୍ ୧୦ଗ୍ରାମ ପ୍ରତି ୧ ଲକ୍ଷ ୪୨ ହଜାର ୩୦୦ ରହିଛି । ଗତ ସପ୍ତାହ ଅପେକ୍ଷା ୨୪୩୭ ଟଙ୍କା ବୃଦ୍ଧି ହୋଇଛି । ୨୨କ୍ୟାରେଟ ସୁନା ଦାମ୍ ୧ ଲକ୍ଷ ୩୦ ହଜାର ୪୫୦ ଟଙ୍କା ରହିଛି । ଭୁବନେଶ୍ୱରରେ ୨୨କ୍ୟାରେଟ ସୁନା ଦର ୧୦ଗ୍ରାମ ପିଛା ୧ ଲକ୍ଷ ୩୦ ହଜାର ୩୦୦ ଟାଙ୍କାରେ ପହଞ୍ଚିଛି ।
ସେହିପରି, ରୂପା ଦର ୧୨୦୦୦ରୁ ଅଧିକ ବୃଦ୍ଧି ପାଇଛି । ରୂପା ଦର କିଲୋଗ୍ରାମ ପ୍ରତି ୨,୬୫,୧୩୩ଟଙ୍କାରେ ପହଞ୍ଚିଛି ।
ବିଶେଷଜ୍ଞଙ୍କ କହିବାନୁଯାୟୀ ସୁନା ଦର ରେକର୍ଡ ସ୍ତରରେ ପହଞ୍ଚିବା ପରେ ଗ୍ରାହକଙ୍କ କ୍ରୟ ବ୍ୟବହାରରେ କିଛିଟା ପରିବର୍ତ୍ତନ ଆସିଛି । କେବଳ ଆବଶ୍ୟକତା ମେଣ୍ଟାଇବା ପାଇଁ ଗ୍ରାହକମାନେ ସୁନା କିଣୁଛନ୍ତି । ସଉକ ପାଇଁ ସୁନା କିଣୁଥିବା ଗ୍ରାହକମାନେ ଭାବିଚିନ୍ତି ନିଷ୍ପତ୍ତି ନେଉଛନ୍ତି । ଅଧିକାଂଶ ଗ୍ରାହକ ମୁଖ୍ୟତଃ ହାଲ୍କା ଓଜନର ସୁନା ଗହଣା କିଣୁଛନ୍ତି । ଅନ୍ୟପକ୍ଷରେ କେବଳ ନିବେଶ ପାଇଁ ୨୪ କ୍ୟାରେଟ୍ ସୁନା କିଣୁଥିବା ଗ୍ରାହକମାନେ ଭବିଷ୍ୟତରେ ଭଲ ରିଟର୍ଣ୍ଣ ପାଇବା ଆଶାରେ ସେମାନଙ୍କ କ୍ରୟ ଜାରି ରଖିଛନ୍ତି ବୋଲି ସୋରୁମ୍ର ଅଧିକାରୀମାନେ ମତ ଦେଇଛନ୍ତି ।