Latest Odisha News

BREAKING NEWS

୬୮ ହଜାର ଟପିପାରେ ସୁନା

ନୂଆଦିଲ୍ଲୀ : ପୁଣି ଗ୍ରାହକଙ୍କୁ ଲାଗିପାରେ ଝଟ୍‌କା । ବଢ଼ିପାରେ ସୁନା ଦର । ୬୮ ହଜାର ଛୁଇଁପାରେ ସୁନା  । ୨୦୨୩-୨୪ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସୁନା ଦାମ୍ ୬୮ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏନେଇ ଏଲ୍‌କେପି ସିକ୍ୟୁରିଟିଜ୍ ନାମକ ଏକ ସଂସ୍ଥା ଆକଳନ କରିଛି ।

ସୁନା ଗହଣା ପିନ୍ଧିବାକୁ ସମସ୍ତେ ପସନ୍ଦ କରୁଥିବା ବେଳେ ସୁନା ଦରର କ୍ରମାଗତ ପରିବର୍ତ୍ତନକୁ ନେଇ ଚିନ୍ତାରେ ଲୋକେ । ସରକାର ମଧ୍ୟ ସୁନାକୁ ନେଇ ନୂଆ ନୂଆ ନିୟମ ଜାରି କରୁଛନ୍ତି । ଗତ ଆର୍ଥିକ ବର୍ଷ ୨୦୨୨-୨୩ରେ ବମ୍ବେ ଷ୍ଟକ ବଜାରର ସେନ୍‌ସେକ୍ସ ତୁଳନାରେ ସୁନାରେ ନିବେଶ କରିଥିବା ନିବେଶକମାନେ ଅଧିକ ରିଟର୍ଣ୍ଣ ପାଇଛନ୍ତି । ସେନ୍‌ସେକ୍ସର ନିବେଶକମାନଙ୍କ ପାଇଁ ରିଟର୍ଣ୍ଣ ପ୍ରାୟ ସ୍ଥିର ରହିଥିବା ବେଳେ ସୁନାର ନିବେଶକମାନେ ୧୫% ଲାଭ ପାଇଛନ୍ତି । ଏନେଇ ୨୦୨୩-୨୪ ଆର୍ଥିକ ବର୍ଷରେ ସୁନା ଦାମ୍ ୬୬ ରୁ ୬୮ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି ।

ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ୨୦୨୨ର ଏପ୍ରିଲ୍‌ରୁ ୨୦୨୩ ମାର୍ଚ୍ଚ ଭିତରେ ସୁନା ଦାମ୍‌ ୫୨ ହଜାର ଟଙ୍କାରୁ ୮ ହଜାର ଟଙ୍କା ବୃଦ୍ଧି ପାଇ ୬୦ ହଜାର ଟଙ୍କାରେ ପହଞ୍ଚିଛି । ସମସ୍ତ ସମ୍ପତ୍ତି ତୁଳନାରେ ସୁନାରୁ ମିଳିଥିବା ରିଟର୍ଣ୍ଣ ଅଧିକ ରହିଛି । ନିବେଶ ପୋର୍ଟଫୋଲିଓ ତିଆରି କରୁଥିବା ନିବେଶକମା‌ନେ ସୁନାକୁ ସାମିଲ କଲେ ଲାଭବାନ ହେବେ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ମଲ୍‌ଟି କମୋଡିଟି ଏକ୍ସଚେଞ୍ଜ୍‌ (MCX)ରେ ସୁନାର ୧୦ ଗ୍ରାମ ପିଛା ଦାମ୍ ୬୦ ହଜାର ଟଙ୍କାରୁ ଅଧିକ ହୋଇଗଲାଣି। ଆନ୍ତର୍ଜାତିକ ବଜାରରେ ସୁନାର ଆଉନ୍‌ସ ପିଛା ଦାମ୍ ୨୦୦୦ ଡଲାର ପାଖାପାଖି ରହିଛି । ଯଦି ବିଶ୍ବସ୍ତରରେ ମାନ୍ଦାବସ୍ଥାର ପ୍ରଭାବ ରହିବ ଏବଂ ଦରଦାମ୍ ହ୍ରାସ ଲାଗି କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁଧ ବଢ଼ାଇବା ଜାରି ରଖିବେ । ତେବେ ସୁନାର ଚାହିଦା ବୃଦ୍ଧି ପାଇବ।

ସୂଚନାଯୋଗ୍ୟ, ମଲ୍ଟି କମୋଡିଟି ଏକ୍ସଚେଞ୍ଜ୍‌ରେ କାରବାର ହେଉଥିବା ସୁନା ଦାମ୍ ଏବଂ ଗହଣା ଦୋକାନର ସୁନା ମୂଲ୍ୟ ମଧ୍ୟରେ ପାର୍ଥକ୍ୟ ରହିଛି । ଗହଣା ଦୋକାନରେ ସୁନା ମୂଲ୍ୟ ଅପେକ୍ଷାକୃତ କମ୍ ରହିଥାଏ।

Leave A Reply

Your email address will not be published.