ମାଡ୍ରାସ: ଦେଶ ପରେ ଏବେ ବିଦେଶରେ ଧୂମ ମଚାଉଛି ଆରଆରଆର । ବ୍ୟବସାୟୀକ ସଫଳତା ପରେ ଏସଏସ ରାଜମୌଲୀଙ୍କ ଏହି ଫିଲ୍ମ ଗୋଟିଏ ପରେ ଗୋଟିଏ ଆନ୍ତର୍ଜାତୀୟ ସମ୍ମାନ ପାଇବାରେ ଲାଗିଛି । ଲସ ଆଞ୍ଜେଲ୍ସ ଫିଲ୍ମ କ୍ରିଟିକ୍ସ ଆସୋସିଏଶନ ପୁରସ୍କାର ପରେ ଏବେ ଗୋଲ୍ଡେନ ଗ୍ଲୋବ ଆୱାର୍ଡ୍ସର ୨ଟି ବିଭାଗ ପାଇଁ ମନୋନୀତ ହୋଇଛି । ରାମଚରଣ ଓ ଜୁନିୟର ଏନଟିଆର ଅଭିନୀତ ଆରଆରଆରକୁ ଶ୍ରେଷ୍ଠ ନନ ଇଂଲିଶ ଲାଙ୍ଗୁଏଜ ଫିଲ୍ମ ଏବଂ ଓରିଜିନାଲ ସଙ୍ଗ (ନାଟୁ ନାଟୁ) ପାଇଁ ନୋମିନେଶନ କରାଯାଇଛି । ପ୍ରଥମ କାଟାଗୋରୀରେ ଆରଆରଆରକୁ ଅଲ କ୍ୱେଂଟ ଅନ ଦି ୱେଷ୍ଟର୍ଣ୍ଣ ଫ୍ରଂଟ (ଜର୍ମାନୀ), ଆର୍ଜେଂଟିନା ୧୯୮୫, କ୍ଲୋଜ (ବେଲଜିୟମ) ଓ ଡିସିସନ ଟୁ ଲିଭ (ଦକ୍ଷିଣ କୋରିଆ) ସହ ମୁକାବିଲା କରିବାକୁ ପଡିବ ।
ସେହିପରି ହ୍ୱେୟର ଦି କ୍ରାଉଡ ସିଙ୍ଗ (କାରୋଲିନା), ପିନୋଚିଓ( ସିଆଓ ପାପା), ହୋଲ୍ଡ ମାଇ ହ୍ୟାଣ୍ଡ (ଟପ ଗନ) ଓ ବ୍ଲାକ ପାନ୍ଥରର ଲିଫ୍ଟ ମି ଅପ ସହ ପ୍ରତିଦ୍ୱନ୍ଦ୍ୱିତା କରିବ ନାଟୁ ନାଟୁ । ରାହୁଲ ସିପଲଗୁଞ୍ଜ ଓ କାଲା ଭୈରବ ଏହି ଗୀତ ଗାଇଛନ୍ତି । ସୂଚନାଯୋଗ୍ୟ, ଆରଆରଆର, ଗଙ୍ଗୁବାଇ କାଠିଆୱାଡି, କାନ୍ତାରା ପରି ଫିଲ୍ମକୁ ପଛରେ ପକାଇ ଛେଲୋ ଶୋ ଓସ୍କାର ୨୦୨୩ ପାଇଁ ଭାରତ ପକ୍ଷରୁ ମନୋନୀତ କରାଯାଇଛି । ଅବଶ୍ୟ ଏହାର ଚୟନ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଶେଷରେ ଆରଆରଆର ବ୍ୟକ୍ତିଗତ ଭାବେ ସାମିଲ ହେବା ପାଇଁ ଆବେଦନ କରିଛି ।
Comments are closed.