Latest Odisha News

BREAKING NEWS

ସ୍ୱର୍ଣ୍ଣ ମନ୍ଦିରକୁ ବୋମାରେ ଉଡ଼େଇବା ଧମକ; ଜଣେ ସଫ୍ଟୱେୟାର ଇଞ୍ଜିନିୟର ଅଟକ

ପଞ୍ଜାବ: ପଞ୍ଜାବର ଅମୃତସରରେ ସ୍ୱର୍ଣ୍ଣ ମନ୍ଦିରକୁ ବୋମାରେ ଉଡ଼େଇ ଦେବା ଧମକ ମାମଲାରେ, ଅମୃତସର ପୋଲିସ ହରିୟାଣାର ଜଣେ ସଫ୍ଟୱେର୍ ଇଞ୍ଜିନିୟରଙ୍କୁ ଅଟକ ରଖିଛି। ଅଭିଯୁକ୍ତ ଜଣକ ଫରିଦାବାଦର ଶୁଭମ୍ ଦୁବେ ବୋଲି ଚିହ୍ନଟ କରାଯାଇଛି।

ଅମୃତସର ପୋଲିସ କମିଶନର ଗୁରୁପ୍ରୀତ ସିଂହ ଭୁଲ୍ଲର ଶୁକ୍ରବାର କହିଛନ୍ତି ଯେ ୧୪, ୧୫ ଏବଂ ୧୬ ଜୁଲାଇରେ ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି (SGPC)କୁ ଏକ ମେଲ୍ ପଠାଯାଇଥିଲା ଯେଉଁଥିରେ ଦରବାର ସାହିବକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଥିଲା। ଏହି ମେଲରେ ଦରବାର ସାହିବ ବ୍ୟତୀତ ମେଲରେ ଦିଲ୍ଲୀର ସ୍କୁଲ ଏବଂ ତାମିଲନାଡୁର ଅନେକ ପ୍ରତିଷ୍ଠାନର ଉଲ୍ଲେଖ ଥିଲା।

ପୋଲିସ କମିଶନର କହିଛନ୍ତି ଯେ ଅଟକ ଥିବା ଅଭିଯୁକ୍ତ ଶୁଭମ ଦୁବେ ଜଣେ ସଫ୍ଟୱେର୍ ଇଞ୍ଜିନିୟର, ଯିଏ ଦୁଇଟି କମ୍ପାନୀରେ କାମ କରିବା ପରେ ଏବେ ବେକାର ଅଛନ୍ତି। ପୋଲିସ ଏହି ମାମଲାରେ କିଛି ବୈଷୟିକ ପ୍ରମାଣ ମଧ୍ୟ ପାଇଛି। ପଚରାଉଚରା ସମୟରେ ଯଦି ତାଙ୍କର ସମ୍ପୃକ୍ତି ମିଳିଯାଏ, ତେବେ ତାଙ୍କୁ ଗିରଫ କରାଯିବ।

ଭୁଲ୍ଲର କହିଛନ୍ତି ଯେ, ଅଭିଯୁକ୍ତମାନେ ଇ-ମେଲ୍ ପଠାଇବା ପାଇଁ ଡାର୍କନେଟ୍ ବ୍ୟବହାର କରୁଛନ୍ତି, ଯାହା ଯୋଗୁଁ IP ଠିକଣାଗୁଡ଼ିକ ଅନ୍ୟ ଦେଶରୁ ଆସୁଛି। ଅଟକ ଅଭିଯୁକ୍ତ ଶୁଭମକୁ ପଚରାଉଚରା କରି ପୋଲିସ ଏହା ଜାଣିବାକୁ ଚେଷ୍ଟା କରୁଛି ଯେ ଏହା ଏକ ସାଇବର ଆକ୍ରମଣ ଥିଲା ନା ଏହା ପଛରେ କୌଣସି ସଂଗଠିତ ନେଟୱାର୍କ କିମ୍ବା କଟ୍ଟରପନ୍ଥୀଙ୍କ ଷଡଯନ୍ତ୍ର ଅଛି।

ଉଲ୍ଲେଖନୀୟ ଯେ ଜୁଲାଇ ୧୪ ତାରିଖ ପରଠାରୁ SGPC ପାଞ୍ଚଟି ଧମକପୂର୍ଣ୍ଣ ଇମେଲ୍ ପାଇଛି। ଏଥିରେ ସ୍ୱର୍ଣ୍ଣ ମନ୍ଦିରକୁ RDX ସାହାଯ୍ୟରେ ଉଡ଼ାଇ ଦେବାର ଧମକ ଦିଆଯାଇଥିଲା । ମେଲ୍ ପରେ, ଅମୃତସରର ସୁରକ୍ଷା ଏଜେନ୍ସିଗୁଡ଼ିକ ସତର୍କ ହୋଇଗଲେ ଏବଂ ମନ୍ଦିର ପରିସର ଏବଂ ଆଖପାଖ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Comments are closed.