Latest Odisha News

BREAKING NEWS

ଭଲ ଖବର, ପୁଣି ଆରମ୍ଭ ହେଲା ଅକ୍ସଫୋର୍ଡର କରୋନା ଟିକା ଟ୍ରାଏଲ

ନୂଆଦିଲ୍ଲୀ: ପୁଣି ଆରମ୍ଭ ହେଲା କରୋନା ଟିକାର ପରୀକ୍ଷଣ । ଅକ୍ସଫୋର୍ଡ କରୋନା ଟିକାର ପରୀକ୍ଷଣକୁ ସାମୟିକ ସ୍ଥଗିତ ରଖାଯାଇଥିବା ବେଳେ ଏବେ ପୁଣି ପରୀକ୍ଷଣ ଆରମ୍ଭ ହୋଇଛି । ବର୍ତ୍ତମାନ ଟିକା ସୁରକ୍ଷିତ ଥିବା ନେଇ ମେଡିସିନସ ହେଲଥ ରେଗୁଲେଟରୀ ଅଥୋରିଟି ଅନୁମତି ଦେବା ପରେ ବ୍ରିଟେନରେ ଟିକାର ମାନବ ପରୀକ୍ଷଣ ପୁଣି ଆରମ୍ଭ ହୋଇଛି । ଟିକା ପ୍ରସ୍ତୁତ କରୁଥିବା ଫାର୍ମା କମ୍ପାନୀ ଆଷ୍ଟ୍ରାଜେନିକା ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ପରୀକ୍ଷାମୂଳକ ଟିକା ନେଇଥିବା ଜଣେ ଭଲ୍ୟୁଣ୍ଟର ହଠାତ୍ ଅସୁସ୍ଥ ହୋଇପଡିବା ପରେ ଗତ ବୁଧବାର ଦିନ ଟିକାର ମାନବ ପରୀକ୍ଷଣକୁ ସ୍ଥଗିତ ରଖାଯାଇଥିଲା । ଏପରିକି ଭାରତରେ ମଧ୍ୟ ଟିକା ପ୍ରସ୍ତୁତିରେ ସହାୟତା କରୁଥିବା ସେରମ୍ ଇନଷ୍ଟିଚୁଟ୍ ଟିକାର ମାନବ ପରୀକ୍ଷଣକୁ ବନ୍ଦ ରଖିଥିଲା । ସେପଟେ ଟିକାର ପାଶ୍ୱର୍ ପ୍ରତିକ୍ରିୟାର ତଦନ୍ତ ପାଇଁ କମିଟି ଗଠନ କରାଯାଇଥିଲା ।

ଟିକାର ସୁରକ୍ଷା ନେଇ ଅନୁଧ୍ୟାନ କରାଯିବା ପରେ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ମେଡିସିନସ ହେଲଥ ରେଗୁଲେଟରୀ ଅଥୋରିଟି ଦର୍ଶାଇଛି । ଏହାପରେ ବ୍ରିଟେନରେ ପୁଣି ଆରମ୍ଭ ହୋଇଛି ଅକ୍ସଫୋର୍ଡ ଟିକାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ । ଏବଂ ଖୁବଶୀଘ୍ର ଭାରତରେ ମଧ୍ୟ ଟିକାର ପରୀକ୍ଷଣ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.