Latest Odisha News

BREAKING NEWS

ଗ୍ରାହକ ମାନଙ୍କ ପାଇଁ ଖୁସି ଖବର, ଆଜିଠାରୁ ଟମାଟୋ କେଜି ୫୦!

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ଗ୍ରାହକ ମାନଙ୍କ ପାଇଁ ଖୁସି ଖବର । କମ ହେବାକୁ ଯାଉଛି ଟମାଟୋ ଦର । ବିଗତ କିଛି ମାସ ଧରି ଆପଣଙ୍କୁ ହେଉଥିବା ସମସ୍ୟାର ସାମାନ୍ୟ ସମାଧାନର ରାସ୍ତା ଖୋଲିଛି । ବର୍ତ୍ତମାନ ଟମାଟୋ ଦର ୧୫୦ରୁ ୨୦୦ଟଙ୍କାରୁ ସିଧା ୫୦ ଟଙ୍କା ହୋଇଛି । ସରକାରଙ୍କ ଉପଭୋକ୍ତା ବ୍ୟାପାର ବିଭାଗ ନାଫେଡ ଏବଂ ଏନସିସିଏଫକୁ ଆଜିଠାରୁ କେଜି ପିଛା ୫୦ ଟଙ୍କା ମୂଲ୍ୟରେ ଟମାଟୋ ବିକ୍ରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ହୋଲସେଲ ବଜାରରେ ଟମାଟୋର ଦର ସାମାନ୍ୟ କମିଥିବାରୁ ଏପରି ନିଷ୍ପତ୍ତି ନିଆଯାଥିବା ସୂଚନା ମିଳିଛି ।

କହି ରଖୁଛୁ ଯେ, ଦେଶରେ ଟମାଟୋର ମୂଲ୍ୟ ଖୁବ ଅଧିକ ହେବା କାରଣରୁ ଜୁଲାଇ ୧୪ରେ ସରକାରୀ ଭାବରେ ଟମାଟୋ ବିକ୍ରି ଆରମ୍ଭ କରାଯାଇଥିଲା । ରାଜଧାନୀ ଦିଲ୍ଲୀ-ଏନସିଆର ଅଞ୍ଚଳରେ ସରକାର ଏକ ମାସ ମଧ୍ୟରେ ସମୁଦାୟ ୧୫ ଲକ୍ଷ କିଲୋଗ୍ରାମ ଟମାଟୋ ବିକ୍ରି କରିଛନ୍ତି । NAFED ଏବଂ NCCF ପରି ସରକାରୀ ଏଜେନ୍ସି ଗୁଡିକ କ୍ରମାଗତ ଭାବରେ ଟମାଟୋ କିଣିବା ସହିତ ମୁଦ୍ରାସ୍ଫୀତି ପ୍ରବଣ ଅଞ୍ଚଳ ତଥା ଖୁଚୁରା ବଜାରରେ ଗ୍ରାହକଙ୍କ ପାଇଁ ଟମାଟୋ ବିକ୍ରି କରୁଛନ୍ତି । କେବଳ ଦିଲ୍ଲୀ-ଏନସିଆର ନୁହେଁ, ଏହା ସହିତ ଜୟପୁର, ବାରାଣାସୀ, କୋଟା, ଲକ୍ଷ୍ନୌ, ମୁଜାଫରପୁର, କାନପୁର, ପ୍ରୟାଗରାଜ, ପାଟନା, ଆରା ଏବଂ ବକ୍ସାର ଭଳି ପ୍ରମୁଖ ସହରର ଖୁଚୁରା ବଜାରରେ ସରକାରୀ ପକ୍ଷରୁ ଟମାଟୋ ଉପଲବ୍ଧ କରାଯାଇଥିଲା । ଗ୍ରାହକମାନେ ଟମାଟୋ କିଣି ସାମାନ୍ୟ ଆଶ୍ୱସ୍ତି ଲାଭ କରିଥିଲେ ।

ଜାତୀୟ କୃଷି ସମବାୟ ବିପଣନ ମହାସଂଘ (NAFED) ପ୍ରଥମେ ବ୍ୟାପାକ ଭାବରେ ଟମାଟୋ କିଣି ବଜାରରେ କିଲୋଗ୍ରାମ ପିଛା ୯୦ ଟଙ୍କା ମୂଲ୍ୟରେ ବିକ୍ରି କରିବା ଆରମ୍ଭ କରିଥିଲା । ଉକ୍ତ ସମୟରେ ସାଧାରଣ ବଜାରରେ ଟମାଟୋ ମୂଲ୍ୟ କିଲୋଗ୍ରାମରେ ୧୫୦ ରୁ ୨୦୦ ଟଙ୍କା ମଧ୍ୟରେ ରହିଥିଲା । ପରେ ଜାତୀୟ ସମବାୟ ଉପଭୋକ୍ତା ମହାସଂଘ (NCCF) ପକ୍ଷରୁ ଟମାଟୋ ମୂଲ୍ୟ ଜୁଲାଇ ୧୬ ରେ ୧୦ଟଙ୍କା କମ କରାଯାଇ ୮୦ ଟଙ୍କାରେ ବିକ୍ରି କରାଯାଇଥିଲା । ପରେ ଜୁଲାଇ ୨୦ ରେ ଏହି ଟମାଟୋ କିଲୋଗ୍ରାମ ପିଛା ୭୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା । ବର୍ତ୍ତମାନ ସରକାରୀ ଏଜେନ୍ସି ନ୍ୟାସନାଲ କୋ-ଅପରେଟିଭ୍ କଞ୍ଜ୍ୟୁମର ଫେଡେରେସନ୍ ପକ୍ଷରୁ ଟମାଟୋର ମୂଲ୍ୟ ପୁଣି ଥରେ କମ ହେବାକୁ ଯାଉଛି । ଆଜିଠାରୁ ସାଧାରଣ ଲୋକଙ୍କ ପାଇଁ ଟମାଟୋ କେଜି ପିଛା ମାତ୍ର ୫୦ ଟଙ୍କା ଦରରେ ଏମାନେ ଉପଲବ୍ଧ କରାଇବେ । ଏହି ଖବର ବର୍ତ୍ତମାନ ଗ୍ରାହକଙ୍କୁ ଆହୁରୀ ଆଶ୍ୱସ୍ତି ଦେଇଛି ।

 

Leave A Reply

Your email address will not be published.