Latest Odisha News

BREAKING NEWS

‘ଗୁଡ୍ ନ୍ୟୁଜ୍ ଇଣ୍ଡିଆ’ ଓଡ଼ିଶାରେ ପଞ୍ଜିକୃତ ହୋଇନାହିଁ: ଓଡ଼ିଶା ପୋଲିସ

ଢେଙ୍କାନାଳ: ଢେଙ୍କାନାଳ ପୋଲିସ କହିଛନ୍ତି, ଢେଙ୍କାନାଳ ଜିଲ୍ଲାରେ ଏକ ସେଲଟର୍ ହୋମରେ ନାବାଳିକାଙ୍କ ଉପରେ ହୋଇଥିବା ଯୌନ ଶୋଷଣ ଅଭିଯୋଗ ସମ୍ପର୍କରେ ସୂଚନା ଦେଇ ବୁଧବାର ଦିନ ଢେଙ୍କାନାଳ ପୋଲିସ କହିଛନ୍ତି, ‘ଗୁଡ୍ ନ୍ୟୁଜ୍ ଇଣ୍ଡିଆ’ ଏନଜିଓ ଓଡ଼ିଶାରେ ପଞ୍ଜିକୃତ ହୋଇନାହିଁ ।

ଉପରୋକ୍ତ ସେଲଟର୍ ହୋମଟି ଏହି ଏନଜିଓ ଦ୍ୱାରା ପରିଚାଳିତ ହେଉଥିଲା ।

“ଏହି ସେଲଟର୍ ହୋମଟି ପଶ୍ଚିମବଙ୍ଗ ‘ବେଙ୍ଗଲ୍ ସୋସାଇଟି ରେଜିଷ୍ଟ୍ରେସନ୍ ଆକ୍ଟ’ ଅନୁଯାୟୀ ପଞ୍ଜିକୃତ ହୋଇଥିଲେ ମଧ୍ୟ ଏସମ୍ପର୍କୀତ କୌଣସି କାଗଜପତ୍ର ଦେବାକୁ ଏହି ସଂସ୍ଥା ସକ୍ଷମ ହୋଇପାରିନାହିଁ,” ବୋଲି ଢେଙ୍କାନାଳ ଜିଲ୍ଲା ଏସପି ସନ୍ତୋଷ ନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

ଢେଙ୍କାନାଳ ଜିଲ୍ଲାର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ (ଏଡ଼ିଏମ) ରାଜ୍ୟରେ ଏନଜିଓ ମାନଙ୍କର ପଞ୍ଜିକରଣ ସମ୍ପର୍କରେ ଦୃଷ୍ଟିପାତ କରିବା ସହିତ ଏହି ଘଟଣା ନେଇ ଏସପିଙ୍କ ସହିତ ଆଲୋଚନା କରିଛନ୍ତି । ‘ଗୁଡ୍ ନ୍ୟୁଜ୍ ଇଣ୍ଡିଆ’ ଏନଜିଓ ବିରୋଧରେ ଆଗକୁ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେନେଇ ମଧ୍ୟ ଆଲୋଚନା କରିଛନ୍ତି ।

ଏସପି ଆହୁରି ମଧ୍ୟ କହିଛନ୍ତି, ବିଦେଶୀ ଅର୍ଥ ଅନୁଦାନ କିପରି ଆସୁଥିଲା ସେହି ସମ୍ପର୍କୀତ କେନ୍ଦ୍ରୀୟ ପଞ୍ଜିକରଣ ଦସ୍ତାବିଜକୁ ପୁଙ୍ଖାନୁପୁଙ୍ଖ ଭାବେ ପୋଲିସ ପକ୍ଷରୁ ତର୍ଜମା କରାଯାଇଥିଲା । ଏତଦବ୍ୟତୀତ ୟୁଟିଲାଇଜେସନ ସାର୍ଟିଫିକେଟ, ଅଡ଼ିଟ ରିପୋର୍ଟ ଏବଂ ଆୟକର ରିଟର୍ଣ୍ଣର ନଥିପତ୍ର ଯାଞ୍ଚ କରାଯାଇଛି । “ ଏହି ଏନଜିଓ ସଂସ୍ଥା ସେଲଟର୍ ହୋମଗୁଡ଼ିକର ରକ୍ଷଣାବେକ୍ଷଣ, ନୂତନ ସେଲଟର ହୋମର ନିର୍ମାଣ ତଥା ଓଡ଼ିଶାରେ ସେଲଟର୍ ହୋମ ନିର୍ମାଣ କରିବା ନିମନ୍ତେ ଜମି କ୍ରୟ ଲାଗି ବିଦେଶରୁ ବାର୍ଷିକ ପ୍ରାୟ ୧୫ରୁ ୧୬ କୋଟି ଟଙ୍କା ଅନୁଦାନ ମିଳିଥାଏ । କଲିକତାର ଏକ ଚାଟାର୍ଡ଼ ଆକାଉଣ୍ଟାଣ୍ଟଙ୍କ ଦ୍ୱାରା ଏହି ଏନଜିଓ ସଂସ୍ଥାର ଆୟବ୍ୟୟର ହିସାବ ହୋଇଥାଏ ଏବଂ ବିଦେଶୀ ଅନୁଦାନ ସଂଗ୍ରହ ସମ୍ପର୍କରେ ସ୍ଥାନୀୟ ଏବଂ ବିଦେଶୀ ସୂତ୍ରରୁ ଜଣା ପଡ଼ିଛି,” ବୋଲି ସେ କହିଛନ୍ତି ।

ବିଭିନ୍ନ ଗଣମାଧ୍ୟମରେ ଡୁବନର (ଖ୍ରୀଷ୍ଟିୟାନ ଧର୍ମାନ୍ତର କରିବା ସମୟରେ ହେଉଥିବା ରୀତି) ଭିଡ଼ିଓ କ୍ଲିପିଂ ପ୍ରସାରିତ ହୋଇଥିବା ସମ୍ପର୍କରେ ଏସପି କହିଛନ୍ତି, ଓଡ଼ିଶାର କୌଣସି ସେଲଟର୍ ହୋମରେ ଏହି ରୀତି ହୋଇନାହିଁ । “ ଏଠାରେ ଧର୍ମାନ୍ତରୀକରଣ କରାଯିବା ପରିବର୍ତ୍ତେ ପଶ୍ଚିମବଙ୍ଗର ସାଲଗାଡ଼ିଆଠାରେ ଏହି ପଦ୍ଧତି ଅନୁସରଣ କରାଯାଉଥିବା ନେଇ ପୋଲିସକୁ ଏସମ୍ପର୍କରେ ସୂଚନା ହସ୍ତଗତ ହୋଇଛି । ଏହି ଘଟଣାର ସତ୍ୟତା ଜାଣିବାକୁ ଏକ ପୋଲିସ ଟିମ ପଡ଼ୋଶୀ ରାଜ୍ୟକୁ ପଠାଯିବାର ବ୍ୟବସ୍ଥା ହେଉଛି,” ବୋଲି କହିଛନ୍ତି ଏସପି ।

ଏହି ଘଟଣାର ତଦନ୍ତ କରୁଥିବା ତଦନ୍ତକାରୀ ଅଫିସରଙ୍କ ରିପୋର୍ଟ ଅନୁଯାୟୀ ଏଥିରେ କୌଣସି ସନ୍ଦେହ ପ୍ରକଟ ହେଉନଥିଲା କି ଢେଙ୍କାନାଳର ଏହି ସେଲଟର୍ ହୋମରେ ନାବାଳକ ଓ ନାବାଳିକା ମାନଙ୍କ ଉପରେ ଯୌନ ଶୋଷଣ ହେଉଥିବ, ବୋଲି ସେ କହିଛନ୍ତି ।

“ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନାବାଳକ ପିଲାମାନଙ୍କର ବୟାନ ରେକର୍ଡ଼ କରି ରଖାଯାଇଛି,”ବୋଲି ସେ ସୂଚନା ଦେଇ କହିଛନ୍ତି ।

ଏହି ଏନଜିଓ ସଂସ୍ଥାର ଏମଡ଼ି ଫୟାଜ ଅହମ୍ମଦଙ୍କୁ ଏସମ୍ପର୍କରେ ଆଉ ଅଧିକ ପଚରାଉଚରା କରାଯିବା ନେଇ ଏକ ପ୍ରଶ୍ନର ଉତ୍ତରରେ ଏସପି କହିଛନ୍ତି, ଯେହେତୁ ଏହି ଏନଜିଓ ସହିତ ଅନ୍ୟ ଜିଲ୍ଲା ଏବଂ ରାଜ୍ୟରେ ଥିବା ସେଲଟର୍ ହୋମ ତଥା ବିଦେଶ ସହିତ ଲିଙ୍କ୍ ରହିଥିବା ଯୋଗୁଁ ଫୟାଜ ଅହମ୍ମଦଙ୍କୁ ଆଉ ୨ରୁ ୩ ଦିନ ରିମାଣ୍ଡରେ ଆଣି ପଚରାଉଚରା କରିବାକୁ ଆମେ ସ୍ପେଶାଲ୍ ପୋସ୍କୋ ଅଦାଲତଙ୍କୁ ଅନୁରୋଧ କରିବୁ ।

ଆଜି ଢେଙ୍କାନାଳ ସେଲଟର୍ ହୋମର ନିର୍ଦ୍ଦେଶକ ସିମାଞ୍ଚଳ ନାୟକଙ୍କୁ ଏସମ୍ପର୍କରେ ପଚରାଉଚରା କରାଯିବାର କାର୍ଯ୍ୟକ୍ରମ ରହିଛି । ତାଙ୍କଠାରୁ ଅଧିକ ସୂଚନା ମିଳିବାର ଆଶା ରହିଛି । ତେଣୁ ଏହିସବୁ ତଥ୍ୟ ଆଧାରରେ ଘଟଣାର ସତ୍ୟାସତ୍ୟ ଜାଣିବାକୁ ଏମଡ଼ି ରେହମାନଙ୍କୁ ରିମାଣ୍ଡରେ ନେବାକୁ ଅଦାଲତଙ୍କୁ ପ୍ରାର୍ଥନା କରିବୁ ।

Leave A Reply

Your email address will not be published.