Latest Odisha News

BREAKING NEWS

ଜାତୀୟ ଲଜିଷ୍ଟିକ୍ସ ନୀତି ପଛରେ ୮ ବର୍ଷର କଠିନ ପରିଶ୍ରମ ରହିଛି: ମୋଦି

ଚିତାବାଘ ଭଳି ଦୈାଡ଼ିବ ସାମଗ୍ରୀ ଗାଡ଼ି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଜାତୀୟ ଲଜିଷ୍ଟିକ୍ସ ନୀତି (ଏନଏଲପି)ର ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଏକ ବିକଶିତ ରାଷ୍ଟ୍ର ଭାବେ ଭାରତକୁ ପ୍ରତିଷ୍ଠିତ କରିବା ଲାଗି ନିଆଯାଇଥିବା ‘ପ୍ରଣ’ ବା ସଂକଳ୍ପକୁ ସାକାର କରିବା ଦିଗରେ ଜାତୀୟ ଲଜିଷ୍ଟିକ୍ସ ନୀତି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଦ୍ରୁତ ଗତିରେ ଅନ୍ତିମ ସୋପାନରେ ସାମଗ୍ରୀ ବିତରଣ ସୁବିଧା ଯୋଗାଇ ଦେବା, ପରିବହନ ସଂକ୍ରାନ୍ତ ସମସ୍ୟା ଦୂର କରିବା, ଉତ୍ପାଦନକାରୀମାନଙ୍କର ସମୟ ଓ ଅର୍ଥ ସଞ୍ଚୟ କରିବା, କୃଷି ଉତ୍ପାଦକୁ ନଷ୍ଟ ହେବାରୁ ରକ୍ଷା କରିବା ଲାଗି ନିରନ୍ତର ଭାବେ ମିଳିତ ପ୍ରୟାସ କରାଯାଉଛି, ଫଳରେ ଦେଶରେ ଆଜି ଜାତୀୟ ଲଜିଷ୍ଟିକ୍ସ ନୀତି କାର୍ଯ୍ୟକାରୀ ହେବାକୁ ଯାଉଛି  ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଭାରତ ଆଜି ବିଶ୍ୱର ପଞ୍ଚମ ସର୍ବବୃହତ ଅର୍ଥବ୍ୟବସ୍ଥାରେ ପରିଣତ ହୋଇଛି । ଦେଶରେ ଦ୍ରୁତ ଗତିରେ ପରିବର୍ତ୍ତନ ସଂଘଟିତ ହେଉଛି । ଆଜି ସକାଳେ ଚିତାମାନଙ୍କୁ ଛଡ଼ାଯିବା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଚିତାଙ୍କ ଭଳି ଲଗେଜ୍‌ ବା ମାଲଗୁଡ଼ିକ ଦ୍ରୁତ ଗତିରେ ପରିବହନ ହେବା ଆବଶ୍ୟକ  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏଭଳି ପରିସ୍ଥିତିରେ ଜାତୀୟ ଲଜିଷ୍ଟିକ୍ସ ନୀତି ସବୁ କ୍ଷେତ୍ର ପାଇଁ ଏକ ନୂଆ ଉତ୍ସାହ ନେଇ ଆସିଛି ।  ନୀତି କେବଳ ଏକ ଆରମ୍ଭ, ନୀତି ସହିତ ପ୍ରଦର୍ଶନ ମିଶିଲେ ପ୍ରଗତି ହାସଲ ସମ୍ଭବ ହୋଇଥାଏ। ପ୍ରଧାନମନ୍ତ୍ରୀ ବିଶେଷ ଭାବେ ଉଲ୍ଲେଖ କରି କହିଥିଲେ ଯେ, ମାପଦଣ୍ଡ (ପାରାମିଟର), କାର୍ଯ୍ୟଖସଡ଼ା (ରୋଡମ୍ୟାପ) ଏବଂ ପ୍ରଦର୍ଶନ ପାଇଁ ନିର୍ଦ୍ଧାରିତ ସମୟ (ଟାଇମଲାଇନ) ଏକ ସଙ୍ଗେ ମିଶି କାର୍ଯ୍ୟକାରୀ ହେଲେ ପ୍ରଗତି ଅବଶ୍ୟମ୍ଭାବୀ ହୋଇଥାଏ।

ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭିତ୍ତିଭୂମି ବିକାଶ, ବ୍ୟବସାୟ ସମ୍ପ୍ରସାରଣ ଏବଂ ନିଯୁକ୍ତି ସୁଯୋଗ ବଢ଼ାଇବା ଲାଗି ଜାତୀୟ ଲଜିଷ୍ଟିକ୍ସ ନୀତିରେ ବ୍ୟାପକ ସମ୍ଭାବନା ରହିଛି । ଆମ ସମସ୍ତଙ୍କୁ ମିଶି ଏହି ସମ୍ଭାବନାକୁ ସାକାର ରୂପ ଦେବାକୁ ହେବ  ।

ଅନ୍ୟ ବିକଶିତ ଅର୍ଥବ୍ୟବସ୍ଥା ତୁଳନାରେ ଭାରତରେ ଲଜିଷ୍ଟିକ୍ସ ଖର୍ଚ୍ଚ ଅଧିକ ହୋଇଥିବା କାରଣରୁ ଦେଶରେ ଏକ ଜାତୀୟ ଲଜିଷ୍ଟିକ୍ସ ନୀତି ଆଣିବାର ଆବଶ୍ୟକତା ଅନୁଭୂତ ହୋଇଥିଲା । ଭାରତରେ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବା ସହିତ ଉଭୟ ଘରୋଇ ଏବଂ ରପ୍ତାନି ବଜାରରେ ଭାରତୀୟ ଉତ୍ପାଦର ପ୍ରତିଦ୍ୱନ୍ଦ୍ୱିତାରେ ସୁଧାର ଆଣିବା ଲାଗି ଏଭଳି ଏକ ନୀତି ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଜାତୀୟ ଲଜିଷ୍ଟିକ୍ସ ପଲିସିର ଶୁଭାରମ୍ଭ ହେବା ଦ୍ବାରା  ପିଏମ ଗତିଶକ୍ତିକୁ ଅଧିକ ପ୍ରୋତ୍ସାହନ ମିଳିବା ସହିତ ଏହି ନୀତି ଏକ ସହାୟକ ବ୍ୟବସ୍ଥା ଭାବେ କାର୍ଯ୍ୟ କରିବ ।

Leave A Reply

Your email address will not be published.