Latest Odisha News

BREAKING NEWS

ଜେଲରେ ପ୍ରଥମ ଥର ପାଇଁ ପରିବାର ଲୋକଙ୍କୁ ଭେଟିଲା ଗୋପାଳ

ଚୌଦ୍ୱାର: ଚୌଦ୍ୱାର ଜେଲକୁ ଆସିବାର ଇତିମଧ୍ୟରେ ୮ ଦିନ ପରେ ପ୍ରଥମ ଥର ପାଇଁ ଗୋପାଳଙ୍କୁ ଭେଟିବାକୁ ଆସିଛନ୍ତି ତାଙ୍କ ପରିବାର ଲୋକ । ନବ ଦାସଙ୍କ ହତ୍ୟାକାରୀ ଗୋପାଳ ଦାସଙ୍କ ଭାଇ ସତ୍ୟନାରାୟଣ ଦାସ ବୁଧବାର ଚୌଦ୍ୱାର ଜେଲକୁ ଆସି ତାଙ୍କୁ ସାକ୍ଷାତ କରିଥିଲେ । ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ଦୁଇ ଭାଇ ଏକାଠି ହୋଇଥିଲେ । କିଛି ସମୟ ପାଇଁ ସେଠାରେ ଏକ ଭାବବିହ୍ୱଳ ସ୍ଥିତି ସୃଷ୍ଟି ହୋଇଥିଲା । କିଛି ସମୟ ପରେ ତାଙ୍କର ଭାଇ ଫେରି ଆସିଥିଲେ । ତେବେ ଭାଇଙ୍କ ସହ ଗୋପାଳଙ୍କ ପତ୍ନୀ କିମ୍ବା ପିଲାମାନେ କେହି ଆସି ନ ଥିଲେ ।

ଜାନୁଆରୀ ୨୯ ତାରିଖରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିବା ପରେ ଗୋପଳ ଦାସଙ୍କୁ ପୋଲିସ ଗିରଫ କରି ନେଇଥିଲା । ୮ ଦିନ ତଳେ ଝାରସୁଗୁଡା ଜେଲରୁ ଗୋପାଳଙ୍କୁ ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଥିଲା । ହେଲେ ଏତେ ଦିନ ଭିତରେ ଗୋପାଳଙ୍କ ପରିବାର ପକ୍ଷରୁ କେହି ତାଙ୍କୁ ଭେଟିବାକୁ ଆସି ନ ଥିଲେ । ଯଦିଓ ପରିବାର ସଦସ୍ୟଙ୍କ ଭେଟିବା ନେଇ କୌଣସି କଟକଣା ନାହିଁ ତଥାପି କେହି ଆସି ନ ଥିଲେ ।

ପରିବାର ଲୋକେ କାହିଁକି ଆସୁ ନାହାନ୍ତି ସେ ନେଇ ଲୋକଙ୍କ ମନରେ ପ୍ରଶ୍ନ ଉଠୁଥିଲେ ହେଁ  ଏହାକୁ ନେଇ ଗୋପାଳ ମନରେ କୌଣସି ଭାବାନ୍ତର ସୃଷ୍ଟି ହୋଇଥିବା ପରିଲକ୍ଷିତ ହୋଇ ନ ଥିଲା । କାରଣ ଜେଲ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନସୁଦ୍ଧା ଗୋପାଳ ସାଧାରଣ ଜୀବନଯାପନ କରୁଛନ୍ତି ଜେଲରେ । ସକାଳୁ ଉଠି ବ୍ୟାୟାମ କରୁଛନ୍ତି । ଖବର କାଗଜ ପଢୁଛନ୍ତି । ଗୀତା ଓ ଭାଗବତ ପଢୁଛନ୍ତି । ଏପରିକି ଜେଲ ଲାଇବ୍ରେରୀରୁ ନୂଆ ନୂଆ ବହି ଆଣି ପଢୁଥିବା ଲକ୍ଷ୍ୟ କରାଯାଉଛି । ଏଇ ୮ ଦିନ ଭିତରେ ୧୦ ଖଣ୍ଡ ବହି ଗୋପାଳ ପଢି ସାରିଥିବା କୁହାଯାଉଛି ।

Leave A Reply

Your email address will not be published.