Latest Odisha News

BREAKING NEWS

ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ବର : ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଷଷ୍ଠ ମାମଲାରେ ଜାମିନ ମିଳିବା ପରେ ଆଜି ଝାରପଡ଼ା ଜେଲରୁ ମୁକୁଳିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଷଷ୍ଠ ମାମଲାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ୨ ଲକ୍ଷ ଟଙ୍କା ଲେଖାଏଁ ୨ ଜଣ ଜାମିନଦାରଙ୍କ ବଦଳରେ ହାଇକୋର୍ଟ ପ୍ରଦୀପଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏହା ସହିତ ତଳ କୋର୍ଟରେ ୨ ଲକ୍ଷ ଟଙ୍କା ଜମା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଗଣମାଧ୍ୟମରେ କୌଣସି ବିବୃତ୍ତି ନଦେବା ଓ ସାକ୍ଷୀମାନଙ୍କୁ ଧମକଚମକ ନଦେବାକୁ କୋର୍ଟ କହିଛନ୍ତି ।

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ମୋଟ୍ ୬ଟି ମାମଲା ଥିଲା । ଏହାପୂର୍ବରୁ ୫ଟି ମାମଲାରେ ତାଙ୍କୁ ଜାମିନ ମିଳିଥିଲା । ଏବେ ଷଷ୍ଠ ମାମଲାରେ ତାଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଟାଟା କମ୍ପାନୀରେ ଚାକିରି କରାଇ ଦେବା ନାଁରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଲୋକଙ୍କଠାରୁ ଟଙ୍କା ଆଦାୟ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ଥାନାରେ ତାଙ୍କ ନାଁରେ ଏକାଧିକ ମାମଲା ରୁଜୁ ହୋଇଥିଲା । ଗତ ଡିସେମ୍ବର ୩ ତାରିଖରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଗିରଫ ପରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ବହିଷ୍କୃତ କରିଥିଲା ବିଜେଡି ।

ଏହା ପୂର୍ବରୁ ଆକାଶ ପାଠକ ଓ ତାଙ୍କ ବାପା ତଥା ପୂର୍ବତନ ଆଇଏଫ୍‌ଏସ୍ ଅଫିସର ଅଭୟକାନ୍ତ ପାଠକଙ୍କୁ ଜାମିନ ମିଳିଥିଲା । ଟାଟା କମ୍ପାନୀରେ ଚାକିରି କରାଇ ଦେବା ନାଁରେ ଗୋଳନ୍ଥରା ଥାନାରେ ହୋଇଥିବା ମାମଲାରେ ସେମାନଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିଲା । ତେବେ ଉଭୟଙ୍କ ନାଁରେ ଅନ୍ୟାନ୍ୟ ମାମଲା ଥିବାରୁ ସେମାନେ ଜେଲ୍‌ରୁ ବାହାରି ପାରି ନାହାନ୍ତି ।

Leave A Reply

Your email address will not be published.