Latest Odisha News

BREAKING NEWS

କୁପୋଷଣ ମୁକାବିଲାରେ ସରକାର ବିଫଳ ୧୮ଦିନରେ ୧୩ ଜଣ ଶିଶୁଙ୍କ ମୃତ୍ୟୁ

ଭୁବନେଶ୍ୱର :  ରାଜ୍ୟ ସରକାର କୁପୋଷଣ ମୁକାବିଲାରେ ବିଫଳ ହୋଇଛନ୍ତି  । କୁପୋଷଣର ଶିକାର ହୋଇ ଶିଶୁ ମୃତ୍ୟୁ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଦୁର୍ନୀତିଖୋର ରାଜ୍ୟ ସରକାରଙ୍କ ଅପାରଗତାକୁ ସ୍ପଷ୍ଟ କରୁଛି ଏବଂ ପିଏମ ପୋଷଣ ଅଭିଯାନକୁ ରାଜ୍ୟରେ ବିଫଳ କରିବା ପାଇଁ ରାଜ୍ୟ ସରକାରଙ୍କ ହୀନ ଉଦ୍ୟମ ଅତ୍ୟନ୍ତ ନିନ୍ଦନୀୟ ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ଚରଣ ମାଝୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ରାଜ୍ୟ ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମାଳ ମାଳ ଯୋଜନା କରୁଥିବା ଡିଣ୍ଡିମ ପିଟୁଥିବାବେଳେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ । ଦୀର୍ଘ ୨୨ ବର୍ଷ ଶାସନ ଗାଦିରେ ରହି ମଧ୍ୟ ଶାସକ ବିଜୁ ଜନତା ଦଳ ଓଡିଶାବାସୀଙ୍କୁ ମୈାଳିକ ଖାଦ୍ୟ, ବସ୍ତ୍ର, ବାସଗୃହ, ଶିକ୍ଷା ଓ ଚିକିତ୍ସାରୁ ବଂଚିତ କରିଛନ୍ତି । ପ୍ରାକୃତିକ ଓ ଖଣିଜ ସଂପଦ ଭରପୁର ଓଡିଶା ରାଜ୍ୟରେ କୁପୋଷଣ କାରଣରୁ ଶିଶୁ ମୃତ୍ୟୁ ହେବା ଅତ୍ୟନ୍ତ ଲଜ୍ଜାଜନକ । ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ପିଏମ୍ ପୋଷଣ ଯୋଜନା ଜରିଆରେ ଦେଶରେ କୁପୋଷଣକୁ ପ୍ରତିହିତ କରିବା ପାଇଁ ନିରନ୍ତର ଭାବେ କାର୍ଯ୍ୟ କରିଆସୁଛନ୍ତି । ଏଥି ପାଇଁ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଓଡ଼ିଶାକୁ ପଠାଉଛନ୍ତି । କିନ୍ତୁ ରାଜ୍ୟ ସରକାର ତାହା ଚଳୁ କରି ଲୋକଙ୍କୁ କଷ୍ଟ ଓ ଦୁର୍ଦ୍ଦଶାରେ ଦେବାରେ ପଛାଉ ନାହାନ୍ତି । ପିଏମ ପୋଷଣ ଯୋଜନାରେ ଆବଶ୍ୟକୀୟ କାଗଜପତ୍ର (ତଥ୍ୟ ଓ ବିସ୍ତୃତ ବିବରଣୀ) ଦେଇନଥିବାରୁ ଅର୍ଥ ରିଲିଜ୍ ହେବାରେ ବିଳମ୍ବ ହୋଇଛି । ଗତ ୧୮ ଜୁଲାଇରେ ରାଜ୍ୟ ସରକାର ପ୍ରଥମ କିସ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ଆବଶ୍ୟକୀୟ ତଥ୍ୟ ରିପୋର୍ଟରେ ପ୍ରକାଶ ନଥିଲା । ସିଙ୍ଗଲ ନୋଡାଲ ଏଜେନ୍ସୀ ଆକାଂଉଟ ଓ ଇମ୍ପ୍ଲିମେଟିଙ୍ଗ ଏଜେନ୍ସୀର ମ୍ୟାପିଂ ହୋଇନଥିଲା । ଚିହ୍ନଟ ହୋଇଥିବା ୩୪୪ ଏଜେନ୍ସି ମଧ୍ୟରୁ ଓଡିଶା ସରକାର ମାତ୍ର ୩୧ଟି ଇମ୍ପ୍ଲିମେଟିଙ୍ଗ ଏଜେନ୍ସିର ମ୍ୟାପିଙ୍ଗ କରିଥିଲେ । ଗାଇଡଲାଇନ ପାଳନ ନକରିଥିବାରୁ ବିଳମ୍ବରେ ‘ପୋଷଣ ଯୋଜନା’ ଅର୍ଥ ପାଇଛି ଓଡିଶା । କେନ୍ଦ୍ର ମନ୍ତ୍ରାଳୟ ୨୦ ତାରିଖ ଦିନ ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ ଓଡିଶାକୁ ୨୭୯ କୋଟି ଟଙ୍କା ପ୍ରଦାନ କରିଛନ୍ତି । ୨୦୨୨-୨୩ ଆର୍ଥିକ ବର୍ଷରେ ଏହି ଯୋଜନାରେ ଓଡିଶାକୁ ମୋଟ ୫୭୬ କୋଟି ଟଙ୍କା ମଂଜୁର ହୋଇଛି । ଅନ୍ୟ ପଟେ ରାଜ୍ୟ ସରକାର କୁପୋଷଣ ମୁକାବିଲାରେ ବିଫଳ ହୋଇଛନ୍ତି  ବୋଲି ଅଭିଯୋଗ କରିଛନ୍ତି ମୋହନ ମାଝୀ ।

ମୋହନ ମାଝୀ କହିଛନ୍ତି ଯେ, ଗତ ୧୮ତାରିଖ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ କୁପୋଷଣ ଅଭାବରୁ ୪ଜଣ ଶିଶୁଙ୍କ ପ୍ରାଣ ଯାଇଛି । କେନ୍ଦୁଝର ଜିଲ୍ଲା ଓଏମସି ସୋୟାକାଠି ଅଂଚଳରେ ଅନେକ ଶିଶୁ କୁପୋଷଣ ଓ ଅପପୃଷ୍ଟିରେ ଶିକାର ହେଉଛନ୍ତି । ବର୍ଷେ ପୂର୍ବରୁ ଏଭଳି ଏକ ପ୍ରସଙ୍ଗରେ କେନ୍ଦୁଝର ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇବା ସତ୍ୱେ ବରଦାପା ଗାଁର ରୁଗୁଣୀଖାଇ ଅଂଚଳକୁ ଯାଇ ଜିଲ୍ଲାପାଳ କିମ୍ବା କୈାଣସି ଅଧିକାରୀ ବାସ୍ତବ ସ୍ଥିତି ଅନୁଧ୍ୟାନ କଲେ ନାହିଁ । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଅବହେଳା କାରଣରୁ ଗତ ମାସରେ ଜଣେ ଶିଶୁର ମୃତ୍ୟୁ ଘଟିବା ଅତ୍ୟନ୍ତ ନିନ୍ଦନୀୟ । କେନ୍ଦୁଝରରେ ଗତ ୧୮ଦିନରେ ୧୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲାର ମୁଖ୍ୟ ଡାକ୍ତରଖାନା ଓ ମେଡିକାଲ କଲେଜରେ ନିଯୁକ୍ତି ପାଇଥିବା ଅଧିକାଂଶ ଡାକ୍ତର ଅଧିକାଂଶ ସମୟ ଛୁଟିରେ ରହୁଛନ୍ତି । ଶିଶୁ ରୋଗ ବିଶେଷଜ୍ଞମାନଙ୍କ ଅଭାବ ରହିଛି । ଆଜି ବି ପ୍ରସୂତି ମହିଳା ଡାକ୍ତରଖାନାକୁ ଖଟିଆରେ ବୁହା ହୋଇ ଆସିବା ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥାର ନଗ୍ନ ଉଦାହରଣ ବୋଲି ଶ୍ରୀ ମାଝୀ କହିଛନ୍ତି ।

ରାଜ୍ୟ ସରକାରଙ୍କ ତଥ୍ୟାନୁଯାୟୀ ରାଜ୍ୟର ୫୫୨୫ଟି ଅପହଂଚ ଗାଁ ରହିଛି । ସେଥି ମଧ୍ୟରୁ କେନ୍ଦୁଝରରେ ୧୪୧, ଅନୁଗୁଳରେ ୧୦୮, ମୟୁରଭଂଜରେ ୧୪୫, ରାୟଗଡାରେ ୩୦୫, କଳାହାଣ୍ଡିରେ ୨୭୦, ଗଜପତିରେ ୧୬୦, ଜଗତସିଂହପୁରରେ ୨୧୧, କନ୍ଧମାଳରେ ୧୨୬, ମାଲକାନଗିରିରେ ୧୫୦, ନବରଙ୍ଗପୁରରେ ୧୮୮ଟି ଗାଁ ଅପହଂଚ ରହିଛି । ଖଣିଜ ସଂପଦ ପରିପୂର୍ଣ୍ଣ ଜିଲ୍ଲାମାନଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଡିଏମ୍‌ଏଫ୍ ପାଂଠି ଗଠନ କରାଯାଇଛି । କେବଳ କେନ୍ଦୁଝର ଜିଲ୍ଲାରେ ୨୬ ପ୍ରତିଶତ ଲୁହାଖଣି ଥିବାବେଳେ ଜିଲ୍ଲାର ବିକାଶ ପାଇଁ ୮୫୮୩ କୋଟି ଟଙ୍କାର ଡିଏମ୍‌ଏଫ୍ ପାଂଠି ରହିଛି । ଜିଲ୍ଲାରେ ବ୍ୟାପକ ପରିମାଣର ଅର୍ଥ ଥିବା ସତ୍ୱେ ଜିଲ୍ଲାର ବିକାଶ ତ ଦୂରର କଥା କୁପୋଷଣର ଶିକାର ହୋଇ ଶିଶୁ ମୃତ୍ୟୁ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଦୁର୍ନୀତିଖୋର ରାଜ୍ୟ ସରକାରଙ୍କ ଅପାରଗତାକୁ ସ୍ପଷ୍ଟ କରୁଛି ବୋଲି ଶ୍ରୀ ମାଝୀ କହିଛନ୍ତି ।

କେନ୍ଦୁଝର ଶିଶୁ ମୃତ୍ୟୁ ଘଟଣାର ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ସହିତ ଘଟଣାର ତଦନ୍ତ ହାଇକୋର୍ଟର ଜଣେ ସିଟିଂ ଜଜ୍‌ଙ୍କ ଜରିଆରେ କରାଯିବା ପାଇଁ ଶ୍ରୀ ମାଝୀ ଦାବି କରିଛନ୍ତି । ନଚେତ୍ ଆଗାମୀ ଦିନରେ ରାଜରାସ୍ତାରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ମୋହନ ମାଝୀ  ।

 

Leave A Reply

Your email address will not be published.