ଭୁବନେଶ୍ୱର: ଓଡିଶା ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷାକୁ ଆଜି ଓପିଆରବି ଦ୍ୱାରା ସ୍ଥଗିତ ରଖାଯିବାକୁ ନେଇ ଆଜି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଶଙ୍ଖ ଭଵନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ଦଳର ଛାତ୍ର ବିଜୁ ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ କହିଥିଲେ, ଗତ ୧୫ ମାସର ବିଜେପି ଶାସନରେ ୧୫ ଥର ନିଯୁକ୍ତି ପାଇଁ ହେଉଥିବା ବିଭିନ୍ନ ପରୀକ୍ଷାକୁ ବାତିଲ କରାଯାଇଛି । ଯାହା ରାଜ୍ୟ ସରକାରଙ୍କ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
ରାଜ୍ୟର ହଜାର ହଜାର ଯୁବକ ମାନେ, ଯେଉଁମାନେ ଚାକିରିଟିଏ ପାଇବା ପାଇଁ ମାସ ମାସ ଧରି ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି, ପରୀକ୍ଷା ବାତିଲ ହେବା ପରେ ସେମାନେ ହତୋତ୍ସାହିତ ହୋଇ ପଡ଼ୁଛନ୍ତି ।
ଶ୍ରୀମତୀ ସାହୁ କହିଥିଲେ, ଗତ ମାର୍ଚ୍ଚ ମାସର ପ୍ରଥମ ସପ୍ତାହରେ ହେବାକୁ ଥିବା ପୋଲିସ ଏସଆଇ ନିଯୁକ୍ତି ପାଇଁ ଲିଖିତ ପରୀକ୍ଷାକୁ ପ୍ରଶ୍ନପତ୍ର ପ୍ରଘଟ କାରଣରୁ ବାତିଲ କରାଯାଇଥିଲା । ଏହାକୁ ଅକ୍ଟୋବର ୫ ଓ ୬ରେ କରାଯିବ ବୋଲି ଘୋଷଣା କରା ଯାଇଥିଲା । ଏହି ପରୀକ୍ଷା ହେବାକୁ ଏକ ସପ୍ତାହରୁ କମ ସମୟ ଥିବା ବେଳେ, ଆଜି ପରୀକ୍ଷା ପୂର୍ବରୁ ପୂର୍ବ ପ୍ରସ୍ତୁତି ପାଇଁ ଅନେକ ପରୀକ୍ଷାର୍ଥୀଙ୍କୁ ଜାଲିଆତି ପାଇଁ ହାଇଦ୍ରାବାଦ ନିଆଯାଉଥିବା ବେଳେ ଧରା ପଡିଥିଲା ।
ଖୋଦ ପରୀକ୍ଷା ପରିଚାଳନା ଦାୟିତ୍ୱ ନେଇଥିବା ସଂସ୍ଥା ଦ୍ୱାରା ୧୦୦ରୁ ଅଧିକ ଆଶାୟୀଙ୍କୁ ନେଇ ହାଇଦ୍ରାବାଦ ଠାରେ କୋଚିଂ ଦେବା ନାମରେ ନିଆ ଯାଉଥିବା ବେଳେ, ଆଜି ତାଙ୍କୁ ବ୍ରହ୍ମପୁର ପୋଲିସ ଧରିଥିଲା । ପ୍ରାଥମିକ ସୂଚନାରୁ ଆସିଥିବା ଅଭିଯୋଗ ସାଙ୍ଘାତିକ ନୁହେଁ । ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥା ବିଶେଷ କୋଚିଂ ପ୍ରଦାନ ଜାଲିଆତି କାର୍ଯ୍ୟକ୍ରମ କରିବାକୁ ସାହସ ଜୁଟାଇ ପାରିଲା କିପରି? ଏଥିରେ, ସରକାରଙ୍କ କୌଣସି ମନ୍ତ୍ରୀଙ୍କ ସମ୍ପୃକ୍ତି ନାହିଁ ତ?
ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜେ ଗୃହ ମନ୍ତ୍ରାଳୟର ଦାୟିତ୍ୱରେ ଅଛନ୍ତି । ତେଣୁ, ସେ ଏ ପ୍ରସଙ୍ଗରେ ରାଜ୍ୟବାସୀଙ୍କ ସମ୍ମୁଖରେ ଉତ୍ତର ରଖିବା ଦରକାର । ଏହି ଘଟଣାରୁ, ରାଜ୍ୟର ହଜାର ହଜାର ଚାକିରୀ ଆଶାୟୀ ଯୁବକ ଯୁବତୀ ମାନେ ନିଯୁକ୍ତି ପାଇଁ ଥିବା ବ୍ୟବସ୍ଥା ଉପରେ ସନ୍ଦେହ ଉପୁଜିଛି । ସମ୍ପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଛ ଓ ଦୁର୍ନୀତି ମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଆମେ ଦାବୀ କରୁଛୁ । ନିଯୁକ୍ତି ବ୍ୟବସ୍ଥା ସ୍ୱଚ୍ଛ ଓ ଦୁର୍ନୀତି ମୁକ୍ତ ହେଲେ, ବିଜୁ ଛାତ୍ର ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀମତି ସାହୁ କହିଛନ୍ତି ।
Comments are closed.