Latest Odisha News

BREAKING NEWS

ଆଗାମୀ ୨ ବର୍ଷ ମଧ୍ୟରେ ପୂରଣ ହେବ ୬୫ ହଜାର ସରକାରୀ ପଦବୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୫ବର୍ଷ ମଧ୍ୟରେ ଦେଢ଼ଲକ୍ଷ ସରକାରୀ ପଦବୀରେ ନିଯୁକ୍ତି ଦେବେ ସରକାର। ଏନେଇ ଅଣ୍ଟା ଭିଡିଛନ୍ତି ମୋହନ ସରକାର। ୨ବର୍ଷ ମଧ୍ୟରେ ୬୫ହଜାର ସରକାରୀ ପଦବୀରେ ନିଯୁକ୍ତି ପାଇଁ ସ୍ଥିର ହୋଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ୧ଲକ୍ଷ ୧୦ହଜାର ୫୫୭ଟି ମୂଳପଦବୀ ଖାଲି ପଡ଼ିଛି। ଏହି ସମସ୍ତ ପଦବୀ ଯଥାଶୀଘ୍ର ପୂରଣ କରିବା ପାଇଁ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ନିଯୁକ୍ତି ଆୟୋଗଗୁଡ଼ିକୁ ପ୍ରସ୍ତାବ ପଠାଇବାକୁ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ରାଜ୍ୟର ୩ଟି ନିଯୁକ୍ତି ଆୟୋଗର ଅଧ୍ୟକ୍ଷଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି।

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଅରୁଣ କୁମାର ଷଡ଼ଙ୍ଗୀ, ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ଅଧ୍ୟକ୍ଷ ଅଭୟ ଓ ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ ସିଲେକ୍ସନ କମିଶନ ଅଧ୍ୟକ୍ଷ ଲଳିତ ଦାସଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ଅନୁସୂଚିତ ଜାତି ଓ ଜନଜାତି ବର୍ଗ ପାଇଁ ଉଦ୍ଦିଷ୍ଟ ପଦବୀକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସ୍ପେଶାଲ ଡ୍ରାଇଭ୍ ମାଧ୍ୟମରେ ପୂରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ଗ୍ରୁପ-ବି ବର୍ଗର ପଦବୀଗୁଡ଼ିକ ପୂରଣ ପାଇଁ କ୍ଷମତାପ୍ରାପ୍ତ କମିଟିର ଅନୁମୋଦନ ଦରକାର ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଚନ୍ତି । ଭିନ୍ନକ୍ଷମ ବର୍ଗର ନିଯୁକ୍ତି କ୍ଷେତ୍ରରେ ଯାଂଚ ଓ ସଂରକ୍ଷଣ ପାଇଁ ଅର୍ଥ ବିଭାଗରେ କାର୍ଯ୍ୟରତ ଥିବା କ୍ଷମତାପ୍ରାପ୍ତ କମିଟିର ପୁନର୍ଗଠନ କରି ସେଥିରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରତିନିଧିଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ହୋଇଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟରେ ସେବା ଯୋଗାଉଥିବା ବିଭାଗଗୁଡ଼ିକ ଯଥା- ସ୍ୱାସ୍ଥ୍ୟ, ଗୃହ, ଶିକ୍ଷା ଓ କୃଷି ବିଭାଗରେ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ଯଥାଶୀଘ୍ର ପୂରଣ ପାଇଁ ପରାମର୍ଶ ଦେଇଛନ୍ତି। ସରକାରଙ୍କ ଲୋକବଳ ବଢ଼ିଲେ ସାଧାରଣ ଲୋକଙ୍କୁ ଉତ୍ତମ ସେବା ଯୋଗାଇ ଦେଇହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଅନ୍ୟପକ୍ଷରେ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ କୋରାପୁଟର ଜୟପୁରଠାରେ ଲୋକସେବା ଆୟୋଗର ଏକ ପରୀକ୍ଷା କେନ୍ଦ୍ର ଖୋଲାଯିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି।

ଆଜିର ଏହି ସମୀକ୍ଷା ବୈଠକରେ ମୁଖ୍ୟ ସଚିବ ମନୋଜ ଆହୁଜା, ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର ଓ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.