ସରକାରୀ ବିଦ୍ୟାଳୟର ବିକଳ ଅବସ୍ଥା

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…

୧୯୯୬ ମସିହାରେ ମୁଁ ମେଟ୍ରିକ୍ ପରୀକ୍ଷା ଦେବା ବେଳକୁ ଆମ ଭିରଙ୍ଗ ଉଚ୍ଚ ବିଦ୍ୟାଳୟରେ ମୋଟ୍‌ ନଅ ଜଣ ଶିକ୍ଷକ ଥିଲେ । ଯଦିଓ ସେତେବେଳେ ସେମାନେ ସରକାରଙ୍କ ପାଖରୁ ଦରମା ପାଉନଥିଲେ, କିନ୍ତୁ ସେମାନେ ଆମକୁ ଖୁବ୍ ନିଷ୍ଠାର ସହିତ ପାଠ ପଢ଼ାଉଥିଲେ । ପ୍ରତ୍ୟେକ ଛାତ୍ରମାନଙ୍କର ପ୍ରଦର୍ଶନକୁ ସେମାନେ ବ୍ୟକ୍ତିଗତ ଭାବେ ପରଖୁ ଥିଲେ ଓ ଆମ ପାଠ ପଢ଼ାରେ ଉନ୍ନତି ଆଣିବାକୁ ଆପ୍ରାଣ ଉଦ୍ୟମ କରୁଥିଲେ । ଆମମାନଙ୍କୁ ଗଢ଼ି ତୋଳିବାରେ ଆମ ଶିକ୍ଷକମାନଙ୍କର ଭୂମିକାକୁ କେବେ ବି ଭୂଲି ହେବ ନାହିଁ । ସେହି କିଶୋର ବୟସରେ ଆମେ ଦେଖୁଥିଲୁ, ଆମ ଶିକ୍ଷକମାନେ ଆମ ପାଇଁ କଠୋର ପରିଶ୍ରମ କରୁଥିଲେ । ସେତେବେଳେ ଆମ ଭିରଙ୍ଗ ଉଚ୍ଚ ବିଦ୍ୟାଳୟ ସରକାରୀ ଅନୁଦାନ ପାଇନଥିଲା । କିନ୍ତୁ ସେଥିପାଇଁ ଆମ ଶିକ୍ଷକମାନଙ୍କର ଶିକ୍ଷାଦାନରେ ନିଷ୍ଠାରେ କମ୍ ହେବାର ଆମେ କେବେ ଦେଖିନଥିଲୁ । ବିଦ୍ୟାଳୟର ସ୍ଥାପନ ଦେବାର ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ପରେ ଆମର ସେହି ଶିକ୍ଷକ ମାନଙ୍କୁ ସରକାରୀ ଅନୁଦାନ ମିଳିଲା । ତା ପୂର୍ବରୁ ସେମାନେ ସରକାରଙ୍କ ପାଖରୁ କିଛି ବି ଟଙ୍କା ପାଉନଥିଲେ । ଦୀର୍ଘ ବର୍ଷ ପରେ ସରକାରଙ୍କ ତରଫରୁ ସେମାନଙ୍କୁ ଯେତିକି ବି ଦରମା ମିଳିଲା, ତାହା ଅତ୍ୟନ୍ତ କମ୍ । ଏପରିକି ଜଣକ ପାଇଁ ନିଜ ପରିବାରକୁ ସମ୍ମାନର ସହ ଚଳେଇବାକୁ ମଧ୍ୟ ଯଥେଷ୍ଟ ନୁହେଁ । ଆମକୁ ପାଠ ପଢ଼ାଇଥିବା ଶିକ୍ଷକମାନେ ଯତକିଞ୍ଚିତ ଦରମା ପାଇବା ଆରମ୍ଭ କରିବା ବେଳକୁ ଆମେ ଛାତ୍ରମାନେ ଭିନ୍ନ ଭିନ୍ନ ସ୍ଥାନରେ ଚାକିରୀ କରି ସେମାନଙ୍କ ଠାରୁ ଯଥେଷ୍ଟ ଅଧିକ ଦରମା ପାଇବାକୁ ଆରମ୍ଭ କରୁଥିଲୁ ।

ଏତେ ସବୁ କଥା କହିବାର କାରଣ ଆମର ସେହି ବିଦ୍ୟାଳୟର ବର୍ତ୍ତମାନର ଦୁଃସ୍ଥ ଅବସ୍ଥା । ଆମେ ମେଟ୍ରିକ୍ ପାସ୍ କରିବା ପ୍ରାୟ ପଚିଶ୍ ବର୍ଷ ହୋଇଗଲାଣି । ଇତି ମଧ୍ୟରେ ଶିକ୍ଷା ବ୍ୟବସ୍ଥାରେ ବି ଅନେକ ପରିବର୍ତ୍ତନ ଆସିଲାଣି । ଆମ ଦେଶରେ ଶିକ୍ଷା ଅଧିକାର ଆଇନ୍ ଲାଗୁ ହୋଇ ସମସ୍ତଙ୍କ ପାଇଁ ଶିକ୍ଷା ଏକ ମୌଳିକ ଅଧିକାର ପଦବାଚ୍ୟ ହେଲାଣି ।

ରାଜ୍ୟ ସରକାରଙ୍କ ନୂଆ ନିୟମ ଅନୁସାରେ ଭିରଙ୍ଗ ଉଚ୍ଚ ବିଦ୍ୟାଳୟ ପରି ବିଦ୍ୟାଳୟ ଗୁଡ଼ିକୁ ସରକାରୀ ଭାଷାରେ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ କୁହାଯାଉଛି । ସାରା ଓଡ଼ିଶାରେ ଏହିପରି ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ପାଖାପାଖି ୨୨୦୦ ଅଛି । ସମ୍ପ୍ରତି ଭିରଙ୍ଗ ଉଚ୍ଚ ବିଦ୍ୟାଳୟରେ ଶହେରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ପଢ଼ୁଛନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ଶତାଧିକ ପିଲାଙ୍କ ପାଇଁ ମାତ୍ର ତିନି ଜଣ ଶିକ୍ଷକ ଅଛନ୍ତି । ଚାରି ବର୍ଷ ତଳେ ଆମ ସମୟର ପ୍ରଧାନ ଶିକ୍ଷକ ଅବସର ଗ୍ରହଣ କଲେ । ତାଙ୍କ ସ୍ଥାନରେ ଆଉ କେହି ବି ପ୍ରଧାନ ଶିକ୍ଷକ ଆସିଲେ ନାହିିଁ । ବରିଷ୍ଠତା ଭିତିରେ ଆଉ ଜଣେ ଶିକ୍ଷକଙ୍କୁ ପ୍ରଧାନ ଶିକ୍ଷକ ପଦରେ ଆସୀନ କରାଗଲା । ଚାରି ମାସ ହେବ ସେ ମଧ୍ୟ ଅବସର ଗ୍ରହଣ କରିସାରିଲେଣି ।

ଫାଇଲ୍ ଫଟୋ

ତାଙ୍କ ସ୍ଥାନରେ ଏପର୍ଯ୍ୟନ୍ତ ଆଉ କେହି ପ୍ରଧାନ ଶିକ୍ଷକ ଆସିନାହାନ୍ତି । ବିଜ୍ଞାନ, ହିନ୍ଦି, କ୍ରୀଡ଼ା, ଇଂରାଜୀ ଶିକ୍ଷକ ଆଦି ଛଅ ଜଣ ଶିକ୍ଷକ ଇତି ମଧ୍ୟରେ ଅବସର ଗ୍ରହଣ କରିସାରିଲେଣି । କିନ୍ତୁ ସେମାନଙ୍କ ସ୍ଥାନରେ ଆଉ କେହି ବି ନୂଆ ଶିକ୍ଷକ ଆସିନାହାନ୍ତି । ମାତ୍ର ତିନି ଜଣ ଶିକ୍ଷକରେ ସମୁଦାୟ ବିଦ୍ୟାଳୟ ଚାଲୁଛି ।

ସମ୍ପ୍ରତି କରୋନାର ପ୍ରକୋପ ଯୋଗୁ ଅନ୍‌ଲାଇନ୍ ପାଠ ପଢ଼ା ଚାଲୁଛି । କିନ୍ତୁ ମାତ୍ର ତିନିଜଣ ଶିକ୍ଷକରେ ଏହା ବି ସମ୍ଭବ ନୁହେଁ । କରୋନା ପ୍ରକୋପ କମିବା ପରେ ସଂପୂର୍ଣ୍ଣ ବିଦ୍ୟାଳୟ ଖୋଲିବା ପରେ ପରିସ୍ଥିତି ଆହୁରି ଜଟିଳ ହୋଇଯିବ । ଏହା କେଉଁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିଦ୍ୟାଳୟର କାହାଣୀ ନୁହେଁ । ଏହା ଶିକ୍ଷା କ୍ଷେତ୍ରରେ ଆଗୁଆ ଜଗତ୍‌ସିଂହପୁର ଜିଲ୍ଲାର ଏରସମା ବ୍ଲକ୍‌ର ଏକ ବିିଦ୍ୟାଳୟର ବାସ୍ତବ କାହାଣୀ । ଯଦି ଜଗତ୍‌ସିଂହପୁର ପରି ଜିଲ୍ଲାର ଗୋଟିଏ ବିଦ୍ୟାଳୟର ଏପରି ଅବସ୍ଥା ତେବେ ଅନ୍ୟାନ୍ୟ ପଛୁଆ ଜିଲ୍ଲା ମାନଙ୍କରେ ବିଦ୍ୟାଳୟର ପରିସ୍ଥିତି କ’ଣ ହୋଇଥିବ ଏହା ବେଶ୍ ଅନୁମେୟ ।

ବିଦ୍ୟାଳୟ କହିଲେ କେବଳ କୋଠାଘର କିମ୍ବା ବଡ଼ ବଡ଼ ଅଟ୍ଟାଳିକା ନୁହେଁ । ବିଦ୍ୟାଳୟର ଅସଲ ପରିଚୟ ହେଉଛନ୍ତି ଶିକ୍ଷକ । କିନ୍ତୁ ଶିକ୍ଷକମାନେ ଅବସର ଗ୍ରହଣ କରିବା ପରେ ତାଙ୍କ ସ୍ଥାନରେ ଯଦି ନୂଆ ଶିକ୍ଷକ ନଆସିବେ ତେବେ ସେ ବିଦ୍ୟାଳୟରେ ପାଠ ପଢ଼ା କିପରି ହେବ? ଛାତ୍ରମାନେ କରିବେ କ’ଣ? ସରକାର ଏଥିପ୍ରତି ଗୁରୁତର ସହିତ ଦୃଷ୍ଟି ଦେଉଥିବା ପରି ଆଦୌ ଜଣାଯାଉନାହିଁ । ଏହା କେବଳ ଭିରଙ୍ଗ ଉଚ୍ଚ ବିଦ୍ୟାଳୟର କାହାଣୀ ନୁହେଁ । ଓଡ଼ିଶାର ଅନେକ ଉଚ୍ଚ ବିଦ୍ୟାଳୟର ଅବସ୍ଥା ଏହିପରି ।

ସାରା ଓଡ଼ିଶାରେ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟମାନଙ୍କରେ ପ୍ରାୟ ୫୦ ପ୍ରତିଶତ ଶିକ୍ଷକ ଅବସର ନେଇ ସାରିଲେଣି । ୧୦ ପ୍ରତିଶତ ଶିକ୍ଷକ କୌଣସି କାରଣରୁ ମୃତ୍ୟୁବରଣ କରିସାରିଛନ୍ତି । ମାତ୍ର ଚାଳିଶ୍‌ ପ୍ରତିଶତ ଶିକ୍ଷକରେ ସମ୍ପ୍ରତି ଏହି ବିଦ୍ୟାଳୟଗୁଡ଼ିକ ଚାଲୁଛି । ଫଳରେ ଏସବୁ ବିଦ୍ୟାଳୟ ଗୁଡ଼ିକରେ ଆଉ ପୂର୍ବ ପରି ପାଠପଢ଼ାର ସୁଯୋଗ ନାହିଁ । କେବଳ ଯାହା ଗତାନୁଗତିକ ଭାବେ ଅଫିସ୍ କାମ ଚାଲୁଛି । କାରଣ ୬୦ ପ୍ରତିଶତ ଶିକ୍ଷକଙ୍କ ସ୍ଥାନ ଖାଲି ପଡ଼ିଲେ, ବିଦ୍ୟାଳୟରେ ପାଠ ପଢ଼ା କିପରି ହୋଇପାରିବ ? ବିଦ୍ୟାଳୟରେ ଯଥେଷ୍ଟ ସଂଖ୍ୟକ ଶିକ୍ଷକ ନଥିବାରୁ ଉପସ୍ଥିତ ଶିକ୍ଷକମାନଙ୍କ ଉପରେ ପ୍ରବଳ ଚାପ ପଡ଼ୁଛି । ଫଳସ୍ୱରୁପ ସେମାନେ ଶିକ୍ଷାଦାନ ପରି ମହତ କାର୍ଯ୍ୟକୁ ନିଷ୍ଠାର ସହ କରିପାରୁନାହାନ୍ତି ।

ବର୍ତ୍ତମାନ ଯଦି ବିଦ୍ୟାଳୟ ଗୁଡ଼ିକର ଏପରି ପରିସ୍ଥିତି ତେବେ ୨୦୨୩-୨୪ ବେଳକୁ ବିଦ୍ୟାଳୟରେ ପିଲାମାନେ ତ ଥିବେ କିନ୍ତୁ ସେମାନଙ୍କୁ ପଢ଼େଇବା ପାଇଁ ଶିକ୍ଷକ ନଥିବେ । ଏସବୁ ବିଦ୍ୟାଳୟ ଗୁଡ଼ିକ କେବଳ ନାମକୁ ମାତ୍ର ଥିବ । କିନ୍ତୁ ସେଠାରେ ଆଉ ପାଠ ପଢ଼ା ହେଉନଥିବ । ସରକାରୀ ଓ ଘରୋଇ ବିଦ୍ୟାଳୟ ବିତର୍କ ବେଳେ ଆଜି ଯେମିତି ଆମେ ଆମ ଫେସ୍‌ବୁକ୍‌ ପ୍ରୋଫାଇଲ୍ ଫଟୋରେ ‘ମୁଁ ସରକାରୀ ସ୍କୁଲ୍‌ରେ ପଢ଼ିଥିବାରୁ ଗର୍ବିତ’ ଟ୍ୟାଗ୍ ଲଗେଇ ପୋଷ୍ଟ କରିପାରୁଛେ, ଆଉ ଦଶ ବର୍ଷ ପରେ ବର୍ତ୍ତମାନର ଛାତ୍ର ସମାଜ ସେମିତି କହିପାରିବେ କି ? ସରକାରୀ ସ୍କୁଲ୍‌ରେ ପଢ଼ିଥିବାରୁ ସେମାନେ କେବେ ବି ଗର୍ବିତ ହେବେ ନାହିଁ । କାରଣ ସରକାର ପିଲାମାନଙ୍କ ପାଇଁ ସରକାରୀ ବିଦ୍ୟାଳୟରେ ଶିକ୍ଷକ ବି ନିଯୁକ୍ତି କରୁନାହାନ୍ତି ।

ଆମ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଶିକ୍ଷା ମନ୍ତ୍ରଣାଳୟ ଗୋଟେ ଅଛି । ଶିକ୍ଷା ମନ୍ତ୍ରୀ ଅଛନ୍ତି । କିନ୍ତୁ ଯଦି ଆମେ ବିଦ୍ୟାଳୟକୁ ଶିକ୍ଷକ ଯୋଗାଇ ପାରିବା ନାହିଁ, ତେବେ ଏତେ ସବୁ ସଂସ୍ଥା ଥାଇ ଲାଭ କ’ଣ? ସବୁ ବିଦ୍ୟାଳୟକୁ ଦକ୍ଷ ଓ ପ୍ରଶିକ୍ଷିତ ଶିକ୍ଷକ ଯୋଗାଇ ଦେବା, ଶିକ୍ଷା କ୍ଷେତ୍ରରେ ସରକାରଙ୍କ ପ୍ରଥମ ପଦକ୍ଷେପ ହେବା ଉଚିତ୍ । କେବଳ ଶିକ୍ଷା ଦ୍ୱାରା ହିଁ ଗୋଟିଏ ଉନ୍ନତ ଦେଶ ଓ ସମାଜ ନିର୍ମାଣ ହୋଇପାରିବ । ଶିକ୍ଷାକୁ ଅବହେଳା କରି କୌଣସି ସମାଜ କେବେ ବି ଆଗକୁ ଯାଇପାରିବ ନାହିଁ । ଅର୍ଥନୀତି, ରାସ୍ତାଘାଟ, ପର୍ଯ୍ୟଟନସ୍ଥଳୀ ଆଦି ଯେତେ ଚିକ୍‌ମିକ୍ ହେଲେ କ’ଣ ହେବ, ଯଦି ଆମେ ଆମ ପିଲାମାନଙ୍କୁ ପଢ଼େଇବା ପାଇଁ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି କରିପାରିବା ନାହିଁ!

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହିପରି ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟମାନଙ୍କରେ ୭୦ ପ୍ରତିଶତରୁ ଅଧିକ ଗ୍ରାମାଂଚଳର ପିଲାମାନେ ପଢ଼ୁଛନ୍ତି । ଏହି ବିଦ୍ୟାଳୟକୁ ଯଦି ଶିକ୍ଷକ ଯୋଗାଇ ଦିଆନଯିବ, ତେବେ ଏହି ଗ୍ରାମାଂଚଳର ପିଲାମାନେ ପାଠ ପଢ଼ାରୁ ସମ୍ପୂର୍ଣ୍ଣ ଭାବେ ବଞ୍ଚିତ ହେବେ । ଗ୍ରାମାଂଚଳରେ ଘରୋଇ ସ୍କୁଲ୍ ନାହିଁ । ଯଦି ବି କେଉଁଠି ଘରୋଇ ସ୍କୁଲ୍ ଥିବ, ସେଠି ଲୋକଙ୍କ ପାଖରେ ଟଙ୍କା ନାହିଁ ପିଲାମାନଙ୍କୁ ଘରୋଇ ସ୍କୁଲ୍‌ରେ ପାଠ ପଢ଼େଇବା ପାଇଁ । ତେଣୁ ଏହିପରି ସ୍କୁଲ୍ ଗୁଡ଼ିକ ହିଁ ଗ୍ରାମାଂଚଳର ପିଲାମାନଙ୍କ ପାଇଁ ଏକମାତ୍ର ବିକଳ୍ପ ।

ଏଗୁଡ଼ିକୁ ଅବହେଳା କରିବା ଅର୍ଥ ଗ୍ରାମାଂଚଳର ପିଲାମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଶିକ୍ଷାରୁ ବଞ୍ଚିତ କରିବା । ପରିସ୍ଥିତି ଆଜି ଏପରି ହୋଇଛି, ଶିକ୍ଷା ଅଧିକାର ଆଇନ୍ ଅନୁସାରେ ପିଲାମାନେ ସ୍କୁଲ୍‌ରେ ନାମ ତ ଲେଖାଇଛନ୍ତି, କିନ୍ତୁ ତାଙ୍କୁ ପଢ଼େଇବା ପାଇଁ ସେଠାରେ ଯଥେଷ୍ଟ ସଂଖ୍ୟକ ଶିକ୍ଷକ ନାହାନ୍ତି । ଏହା ଶିକ୍ଷା ଅଧିକାର ଆଇନ୍‌ର ଖୋଲାଖୋଲି ଉଲ୍ଲଂଘନ । ମୋଟେ ରାସ୍ତା ତିଆରି ନକରି ଗାଡ଼ି ଚଳେଇବା ପାଇଁ ଅନୁମତି ଦେବା ଯାହା, ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ନକରି ଶିକ୍ଷା ଅଧିକାର ଆଇନ୍‌କୁ ଲାଗୁକରିବା ତାହା । ଏଥିରେ ସରକାରଙ୍କ ଶିକ୍ଷା ପ୍ରତି ବୈମାତୃକ ମନୋଭାବର ସମ୍ପୂର୍ଣ୍ଣ ପରିଚୟ ମିଳୁଛି ।

ସହରାଂଚଳରେ ପିଲାମାନେ ସମ୍ପୂର୍ଣ୍ଣ ସରକାରୀ ବିଦ୍ୟାଳୟ କିମ୍ବା ଘରୋଇ ବିଦ୍ୟାଳୟରେ ପଢ଼ିବାକୁ ସୁଯୋଗ ପାଉଛନ୍ତି । କିନ୍ତୁ ଗ୍ରାମାଂଚଳର ପିଲାମାନଙ୍କର ପାଠପଢ଼ା କେବଳ ଏହି ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକ ଉପରେ ନିର୍ଭର କରୁଛି । ତେଣୁ ଏହି ବିଦ୍ୟାଳୟ ଗୁଡ଼ିକୁ ସରକାର ତାଙ୍କ ପ୍ରାଥମିକତା ତାଲିକାରେ ରଖିବା ଉଚିତ୍ ।

ସମ୍ପ୍ରତି ଆମ ରାଜ୍ୟରେ ଅନେକ ଶିକ୍ଷିତ ବେକାରୀ ଅଛନ୍ତି । ସେମାନଙ୍କୁ ସରକାର ଏହି ସବୁ ବିଦ୍ୟାଳୟରେ ନିଯୁକ୍ତି ଦେଇ ଅନ୍ତତଃ ପକ୍ଷେ ପିଲାମାନଙ୍କୁ ଉପଯୁକ୍ତ ଶିକ୍ଷା ଗ୍ରହଣ କରିବା ପାଇଁ ଅବସର ସୃଷ୍ଟି କରିବା ଉଚିତ୍ । ସରକାରୀ ତଥ୍ୟ ଅନୁସାରେ ରାଜ୍ୟରେ ସରକାରୀ ସ୍କୁଲ୍ ଓ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲ୍ ମାନଙ୍କରେ ମୋଟ୍ ୧୪୦୦୦ ଶିକ୍ଷକ ପଦବୀ ଖାଲି ପଡ଼ିଛି । ଦୀର୍ଘ ପାଞ୍ଚ ବର୍ଷ ଧରି ଏହି ସବୁ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ବେଳେ ଉକ୍ତ ସ୍କୁଲ୍ ମାନଙ୍କରେ ପାଠପଢ଼ା କିପରି ଚାଲିଥିବ ବୁଝା ପଡ଼ୁଛି । ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରେ ଅଧିକ ପଦବୀ ଖାଲି ପଡ଼ିଛି ବୋଲି ଶିକ୍ଷା ମନ୍ତ୍ରୀ ବିଧାନସଭା ଅଧିବେଶନରେ ସୂଚନା ଦେଇଛନ୍ତି । ୨୦୦୦ରୁ ଅଧିକ ସ୍କୁଲ୍‌ରେ ପ୍ରଧାନଶିକ୍ଷକ ସ୍ଥାନ ଖାଲି ପଡ଼ିଛି ।

ଗୋଟିଏ ପଟେ ଶିକ୍ଷାକୁ ଘରୋଇକରଣ କରିବା ପାଇଁ ରାସ୍ତା ଖୋଲାଯାଉଥିବା ବେଳେ ଅନ୍ୟପଟେ ସରକାରୀ ବିଦ୍ୟାଳୟ ଗୁଡ଼ିକରେ ଖାଲି ଥିବା ଶିକ୍ଷକ ପଦବୀ ପୁରଣ ନକରିବାରୁ ଆମେ କ’ଣ ବୁଝିବା ଯେ, ସରକାର ଜାଣିଶୁଣି ଶିକ୍ଷକ ନିଯୁକ୍ତି ଦେଉନାହାନ୍ତି, ଫଳରେ ସରକାରୀ ସ୍କୁଲ୍‌ ଗୁଡ଼ିକ ଦୁର୍ବଳ ହେବ ଓ ପରିଣତି ସ୍ୱରୁପ ପିଲାମାନେ ଘରୋଇ ବିଦ୍ୟାଳୟ ମୁହାଁ ହେବେ! ସରକାରଙ୍କ ଏତାଦୃଶ ମନୋଭାବ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ରକୁ ପ୍ରଦର୍ଶିନ କରୁଛି । ତେଣୁ ସରକାର ଯଥାଶୀଘ୍ର ଖାଲି ପଡ଼ିଥିବା ଶିକ୍ଷକ ପଦବୀ ଗୁଡ଼ିକୁ ପୁରଣ କରି ଗ୍ରାମାଂଚଳର ପିଲାମାନଙ୍କ ପାଇଁ

ଉତ୍ତମ ଶିକ୍ଷା ଗ୍ରହଣର ସୁଯୋଗ ସୃଷ୍ଟି କରିବା ଉଚିତ୍ । ଭୂଲି ଯିବା ଉଚିତ୍ ନୁହେଁ ଯେ, ବିକାଶର ମୂଖ୍ୟ ସୂଚକାଙ୍କ ହେଉଛି ଶିକ୍ଷା ବ୍ୟବସ୍ଥାର ବିକାଶ ।

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର-୭୫୪୧୩୮
ମୋ- ୯୪୩୮୪୬୮୪୭୪