Latest Odisha News

BREAKING NEWS

ମୋଦୀଙ୍କୁ ଭେଟିବା ପରେ ହଠାତ ଆସି ନବୀନଙ୍କୁ ରାଜ୍ୟପାଳ ସାକ୍ଷାତ କରିବା ବଢ଼ାଇଲା ଚର୍ଚ୍ଚା

ଭୁବନେଶ୍ୱର: ଗୁରୁବାର ସଂଧ୍ୟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜ୍ୟପାଳ ରଘୁବର ଦାସ ଭେଟିବା ଏବେ ରାଜନୈତିକ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଦୁଇ ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ ରାଜ୍ୟପାଳ। ଆଉ ଏହାପରେ ହଠାତ୍ ରାଜ୍ୟପାଳ ଦିଲ୍ଲୀରୁ ଫେରି ନବୀନ ନିବାସ ଯିବାକୁ ଯିବା, ବିଜେଡି-ବିଜେପି ଭିତିରି ସମ୍ପର୍କର ଆଉ ଏକ ମାଧ୍ୟମ ବୋଲି କଂଗ୍ରେସ ଅଭିଯୋଗ କରିଛି।

ସାମ୍ବାଧାନିକ ନିୟମ ଦୃଷ୍ଟିକୋଣରୁ ରାଜ୍ୟପାଳଙ୍କୁ ସ୍ବାଗତ କରନ୍ତି ବା ପାଛୋଟି ନିଅନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏପରି ସ୍ଥିତିରେ ନବୀନ ରାଜଭବନ ଯାଇପାରିବେ କିନ୍ତୁ ରାଜ୍ୟପାଳ ନବୀନ ନିବାସ ଆସିପାରିବେ ନାହିଁ ବୋଲି କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି।

ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କର କେଉଁ ବାର୍ତ୍ତା ଦେବାକୁ ଆସି ହଠାତ ନବୀନ ନିବାସ ଗଲେ ରାଜ୍ୟପାଳ ତାହା ରାଜ୍ୟପାଳଙ୍କ ଅଫିସ ଉତ୍ତର ରଖିବା ଆବଶ୍ୟକ। ରାଜ୍ୟପାଳଙ୍କ ଗସ୍ତ ବାବଦରେ ଆଗୁଆ ସୂଚନା ଜାରି ହୁଏ । ଏପରି ସ୍ଥିତିରେ ହଠାତ ନବୀନ ନିବାସକୁ ରାଜ୍ୟପାଳ ଯିବା ସାମ୍ବିଧାନିକ ପଦର ମର୍ଯ୍ୟାଦା ଉଲ୍ଲଂଘନ କରୁଛି ବୋଲି ବରିଷ୍ଠ କଂଗ୍ରେସ ନେତା କହିଛନ୍ତି। ରାଜ୍ୟପାଳ ଛାଡ ବାଚସ୍ପତି ମଧ୍ୟ ନବୀନ ନିବାସ ଯାଇପାରିବେ ନାହିଁ ବୋଲି ସେ କହିଛନ୍ତି।

ସେହିପରି ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଏହା ସୌଜନ୍ୟମୂଳକ ସାକ୍ଷାତ। ଯେଉଁମାନେ ଏହାଠାରୁ ଅଧିକ ଚର୍ଚ୍ଚା କରୁଛନ୍ତି ସେମାନେ ଅଧିକ କହିପାରିବେ।

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ସୌଜନ୍ୟମୂଳକ ସାକ୍ଷାତ ଥିଲା। ଜଣଙ୍କର ସ୍ବାସ୍ଥ୍ୟାବସ୍ଥା ବାବଦରେ ବୁଝିବାକୁ ଯିବେ ଏବଂ ଦୀପାବଳି ଶୁଭେଚ୍ଛା ଜଣାଇବାକୁ ହେଲେ ପ୍ରୋଟୋକଲ କଥା କେଉଁଠି ଉଠିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ସାମ୍ବିଧାନିକ ପଦବୀ ବାଦ୍ ବ୍ୟକ୍ତିଗତ ଜୀବନ ଅଛି ବୋଲି କହି କଂଗ୍ରେସ ଆଣିଥିବା ଅଭିଯୋଗକୁ ପରୋକ୍ଷରେ ଖାରଜ କରିଛନ୍ତି।

ତେବେ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ନୂଆ ରାଜ୍ୟପାଳ ତାଙ୍କ ଏକ୍ସରେ ପୋଷ୍ଟ କରି କହିଥିଲେ,”ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହ ଏକ ଆନୁଷ୍ଠାନିକ ବୈଠକ ହୋଇଥିଲା। ତାଙ୍କୁ ଦିୱାଲୀ ଶୁଭେଚ୍ଛା ଜଣାଇ ତାଙ୍କୁ ସୁସ୍ଥ ଏବଂ ଦୀର୍ଘ ଜୀବନ କାମନା କରିଥିଲେ। ଏହି ସମୟରେ ତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଏକ ବିସ୍ତୃତ ସକରାତ୍ମକ ଆଲୋଚନା କରାଯାଇଥିଲା”।

Leave A Reply

Your email address will not be published.