ଭୁବନେଶ୍ୱର: ମଙ୍ଗଳବାର ଦିନ ବରମୁଣ୍ଡାଠାରେ ଆୟୋଜିତ ଏକ ଅଙ୍ଗନବାଡ଼ି କେନ୍ଦ୍ରରେ ରାଜ୍ୟ ସ୍ତରୀୟ ‘ଅଙ୍ଗନ କା ଉତ୍ସବ’ ଏବଂ ନବମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଏକ ସୁ-ପୋଷିତ ଓଡିଶା ଗଠନ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ମହିଳା ଓ ଶିଶୁମାନଙ୍କ ପୋଷଣରେ ଉନ୍ନତି ଆଣିବା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଅଙ୍ଗନବାଡି ଓ ସ୍କୁଲ ଜରିଆରେ ଅନେକ ପୋଷଣ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏଥିରେ ଆହୁରି ଉନ୍ନତି ଆଣିବା ପାଇଁ ପୁରା ପରିବାରକୁ ସାମିଲ କରାଯାଉଛି। ପରିବାରର ମହିଳାମାନଙ୍କ ସହିତ ପୁରୁଷମାନଙ୍କୁ ମଧ୍ୟ ଶିଶୁର ପୌଷ୍ଟିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ସଂଶ୍ଳିଷ୍ଟ କରାଯାଉଛି। ସଚେତନତା ଓ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଜରିଆରେ ଆମ ଓଡିଶାକୁ ନିଶ୍ଚିତ ଭାବରେ ଏକ ସୁ-ପୋଷିତ ଓଡିଶା ଭାବେ ପ୍ରତିଷ୍ଠିତ କରାଯିବ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ସ୍କୁଲ ମାଧ୍ୟମରେ ମହିଳା ଓ ଶିଶୁମାନଙ୍କର ପୁଷ୍ଟିକର ସ୍ଥିତିରେ ଉନ୍ନତି ଆଣିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି । ଶିଶୁର ଜୀବନର ପ୍ରଥମ ହଜାରେ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ସମୟ ମଧ୍ୟରେ କେବଳ ମା’ ନୁହେଁ, ପିତା ଏବଂ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ପିଲାର ସଠିକ୍ ପୋଷଣ ଏବଂ ଯତ୍ନ ନେବା ଆବଶ୍ୟକ ।
ମୁଖ୍ୟମନ୍ତ୍ରୀ ‘ପୋଷଣ ମାସ’ ଅବସରରେ ରାଜ୍ୟରେ ଏକାଧିକ କାର୍ଯ୍ୟକ୍ରମ ସଫଳତାର ସହ ଶେଷ ହୋଇଥିବା ପ୍ରକାଶ କରିବା ସହ ଆଧାର ପ୍ରମାଣୀକରଣରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି ବୋଲି ସୂଚନା ଦେଇଛନ୍ତି ।
ମହିଳା ସଶକ୍ତିକରଣ ଉପରେ ଜୋର୍ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମାଜର ଅଧା ଜନସଂଖ୍ୟା ମହିଳାମାନଙ୍କର କଲ୍ୟାଣ ବିନା ବିକାଶ ଅସମ୍ଭବ। ସୁଭଦ୍ରା ଯୋଜନା, ଲକ୍ଷପତି ଦିଦି, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳା ଯୋଜନା ଆଦି ସମ୍ପର୍କରେ ଉଲ୍ଲେଖ କରିବା ସହ ରାଜ୍ୟ ବଜେଟର ଅତି କମରେ ୪୦ ପ୍ରତିଶତ ମହିଳାମାନଙ୍କ ପାଇଁ ଖର୍ଚ୍ଚ ହେଉଛି ବୋଲି ସେ ଦର୍ଶାଇଥିଲେ ।
ମହିଳାମାନଙ୍କ ପାଇଁ ଏକ ବଡ଼ ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମ୍ପୃକ୍ତ ସରକାରୀ ଯୋଜନା ଅଧୀନରେ ଥିବା ଝିଅମାନେ ଗ୍ରାଜୁଏସନ୍ ସମ୍ପୂର୍ଣ୍ଣ କରିବା ପରେ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପାଇବେ । ସେହିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରେ ପିଜି ସ୍ତର ପର୍ଯ୍ୟନ୍ତ ଶିକ୍ଷା ସମ୍ପୂର୍ଣ୍ଣ ମାଗଣା କରାଯାଇଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ, ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଧୀନରେ ଦେଶର ମନୋନୀତ ଘରୋଇ ଡାକ୍ତରଖାନାରେ ମାଗଣାରେ ଚିକିତ୍ସା ସୁବିଧା ପ୍ରଦାନ କରାଯାଉଛି ।
ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା, ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂହ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

