ନୂଆଦିଲ୍ଲୀ: ଏଣିକି ନିର୍ବାଚନ ବେଳର ସମସ୍ତ ରେକର୍ଡ ଯାଞ୍ଚ କରିପାରିବେନି ଜନସାଧାରଣ। ଏହାକୁ ନେଇ ବଦଳିଲା ନିୟମ। ଅର୍ଥାତ ନିର୍ବାଚନ ବେଳର ସିସିଟିଭି ରେକର୍ଡିଂ, ୱେବ କାଷ୍ଟିଂ ଫୁଟେଜ ଆଉ ଦେଖି ହେବନି। ଏ ସମ୍ପର୍କିତ ନିୟମବଦଳାଇଲେ କେନ୍ଦ୍ର ସରକାର । ଏସବୁର ଅପବ୍ୟବହାର ହେଉଥିବା କହି ନିୟମ ପରିବର୍ତ୍ତନ କରାଯାଇଛି। ନିର୍ବାଚନ କମିଶନଙ୍କ ସୁପାରିଶ ଆଧାରରେ ଏହି ନିୟମ ବଦଳା ଯାଇଛି।
ଭୋଟଗ୍ରହଣ କେନ୍ଦ୍ରରେ ସିସିଟିଭି କ୍ୟାମେରା ବ୍ୟବହାର ଦ୍ୱାରା ଭୋଟରଙ୍କ ଗୋପନୀୟତାର ଦୁରୁପଯୋଗ ଏବଂ ସାଲିସ୍ ହୋଇପାରେ ବୋଲି ନିର୍ବାଚନ ଅଧିକାରୀମାନେ ଆଶଙ୍କା ବ୍ୟକ୍ତ କରିଥିଲେ। ତେଣୁ ଭିଡିଓ ଫୁଟେଜ୍, ନାମାଙ୍କନପତ୍ରର କାଗଜାତ ଆଦିର ଦୁରୁପଯୋଗ ରୋକିବା ପାଇଁ ନିୟମାବଳୀରେ ସଂଶୋଧନ କରାଯାଇଛି। ନିର୍ବାଚନ କମିଶନଙ୍କ ଅନୁମୋଦନକ୍ରମେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ନିର୍ବାଚନ ପରିଚାଳନା ନିୟମାବଳୀ, ୧୯୬୧ର ରୁଲ୍ ୯୩ରେ ସଂଶୋଧନ କରିଛନ୍ତି। ଫଳରେ ଇଲେକ୍ଟ୍ରୋନିକ୍ ଡକ୍ୟୁମେଣ୍ଟଗୁଡ଼ିକ ସର୍ବସାଧାରଣରେ ପ୍ରକାଶ ଉପରେ କଟକଣା ଲାଗିଛି।
ଅନ୍ୟପଟେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତକୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ। ନିର୍ବାଚନର ସ୍ଵଚ୍ଛତାରେ ଏହି ନିୟମ ପରିବର୍ତ୍ତନ ଆଞ୍ଚ ଆଣିବ ବୋଲି ସେମାନେ ଅଭିଯୋଗ କରିଛନ୍ତି। ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି, ବୁଥ୍ ଭିତରର ସିସିଟିଭି କ୍ୟାମେରା ଫୁଟେଜର ଅପବ୍ୟବହାର କରାଯାଇପାରେ। ଫୁଟେଜ୍ ସାର୍ବଜନୀନ କରାଗଲା, କିଏ କାହାକୁ ଭୋଟ ଦେଲା ତାହା ଜଣାପଡ଼ି ଯିବାର ଆଶଙ୍କା ରହିଛି। ଆର୍ଟିଫିସିଆଲ୍ ଇଣ୍ଟିଲିଜେନସର ବ୍ୟବହାର କରି ଏହାକୁ ଭିନ୍ନ ରୂପ ବି ଦିଆଯାଇପାରେ। ଏହାପରେ କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରାଳୟ ନିର୍ବାଚନ ପରିଚାଳନା ଆଇନ ୧୯୬୧ର ରୁଲ୍ ୯୩-୨ ଏ ରେ ପରିବର୍ତ୍ତନ କରିଛନ୍ତି ।
ପଞ୍ଜାବ ହରିୟାଣା ହାଇକୋର୍ଟରେ ଦାଏର ଏକ ମାମଲା ପରେ ଏହି ନିୟମ ପରିବର୍ତ୍ତନ କରାଯାଇଥିବା କୁହାଯାଉଛି। ମାମଲା କରିଥିବା ଜଣେ ଓକିଲଙ୍କୁ ହରିୟାଣା ବିଧାନସଭା ନିର୍ବାଚନ ସଂପର୍କିତ ସବୁ ତଥ୍ୟ ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କଂଗ୍ରେସର ଜୟରାମ ରମେଶ କହିଛନ୍ତି, କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ କୋର୍ଟରେ ଚ୍ୟାଲେଞ୍ଜ କରାଯିବ।