Latest Odisha News

BREAKING NEWS

ଉତ୍କର୍ଷ ଓଡିଶା କନକ୍ଲେଭ; ୫ ଲକ୍ଷର ପୁଞ୍ଜିନିବେଶ ଆଶା

ଭୁବନେଶ୍ୱର: ଉତ୍କର୍ଷ ଓଡିଶା–ମେକ୍ ଇନ୍ ଓଡିଶା କନ୍କ୍ଲେଭ୍ ୨୦୨୫। ଭୁବନେଶ୍ୱରର ଜନତା ମଇଦାନରେ ତିନି ଦିନ ଧରି ଆୟୋଜିତ ହେବ ଉତ୍କର୍ଷ ଓଡିଶା ପୁଂଜିନିବେଶ ଶିଖର ସମ୍ମିଳନୀ।

୨୦୨୫ ଜାନୁଆରୀ ୨୮ରୁ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏହି ସମ୍ମିଳନୀ। ଉତ୍କର୍ଷ ଓଡ଼ିଶା କନ୍କ୍ଲେଭ୍ର ପ୍ରାଥମିକ ଲକ୍ଷ୍ୟ ହେଉଛି ଉଭୟ ପାରମ୍ପରିକ ଏବଂ ଯୁଗୋପଯୋଗୀ ବିଭିନ୍ନ ଶିଳ୍ପ କ୍ଷେତ୍ରରେ ଓଡିଶାର ଅଗ୍ରଣୀ ଭୂମିକାକୁ ଏହି ସମ୍ମିଳନୀ ମାଧ୍ୟମରେ ଗୁରୁତ୍ୱ ଦେବା। ଏଥିସହିତ ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ, ଶିଳ୍ପୋନ୍ନତ ତଥା ଅନ୍ତର୍ଭୁକ୍ତୀକରଣ ରାଜ୍ୟରେ ପରିଣତ କରିବା ନେଇ ପ୍ରକାଶ କରିଛନ୍ତି ଶିଳ୍ପ ମନ୍ତ୍ରୀ ସଂପଦ ସ୍ବାଇଁ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ଜୁଏଲ ଓରାମ ପ୍ରମୁଖ ଯୋଗ ଦେବେ।

ତେବେ ରାଜ୍ୟକୁ ଏପର୍ଯ୍ୟନ୍ତ ୨ ଲକ୍ଷ ୭୫ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ଆସିଛି। ଏହା ଦ୍ବାରା ୨ ଲକ୍ଷ ୧୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେହିପରି ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରୁ ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଆଶା ରଖିଛୁ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ସେ ଆହୁରି ମଧ୍ଯ କହିଛନ୍ତି ଯେ, ବିକଶିତ ଓଡିଶାର ସ୍ୱପ୍ନ ସାକାର ପାଇଁ ରାଜ୍ୟ ସରକାର ବଦ୍ଧପରିକର। ‘ସ୍କିଲ୍ଡ ଇନ୍ ଓଡ଼ିଶା’ ଭଳି ପଦକ୍ଷେପ ମାଧ୍ୟମରେ ଆଇଟି, ଉନ୍ନତ ଉତ୍ପାଦନ, ସେମିକଣ୍ଡକ୍ଟର୍ ଏବଂ ଅକ୍ଷୟ ଶକ୍ତି ଭଳି କ୍ଷେତ୍ରରେ ଅଭିବୃଦ୍ଧି ଆଣିବାରେ ସକ୍ଷମ ହେବା।

ଅପରପକ୍ଷରେ ଉତ୍କର୍ଷ ଓଡିଶା କନ୍କ୍ଲେଭରେ ସିଙ୍ଗାପୁର, ମାଲେସିଆ ଓ ଅଷ୍ଟ୍ରେଲିଆ ଆଦି ଓଡିଶାର ସହଭାଗୀ ଦେଶ ଭାବରେ ଅଂଶଗ୍ରହଣ କରିବେ। ସେହିପରି ଏହି ସମାରୋହରେ ୧୬ଟି ଦେଶର କୁଟନୈତିଜ୍ଞ ଏବଂ ପ୍ରତିନିଧି ଯୋଗଦେବେ। ଏସ୍‌ଏଲ୍‌ ମିତ୍ତଲ, ବିର୍ଲା, ଅନୀଲ ଅଗ୍ରୱାଲ, ହିତେଶ ଯୋଶୀ, ଟି ବି ନରେନ୍ଦ୍ରନ ଭଳି ଜଣାଶୁଣା ଶିଳ୍ପପତି ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ।

ଏହି ସମ୍ମିଳନୀରେ ବିକଶିତ ରାଷ୍ଟ୍ରମାନଙ୍କ ଅଂଶଗ୍ରହଣ ଓଡ଼ିଶାକୁ ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର, ମିଳିତ ଉଦ୍ୟୋଗ ଏବଂ ଜ୍ଞାନ ବିନିମୟ ପାଇଁ ସୁଯୋଗ ପ୍ରଦାନ କରିବ।

ଅନ୍ତର୍ଜାତୀୟ ନିବେଶକଙ୍କ ସହ ଉଚ୍ଚମାନର ସହଯୋଗିତା ବିଶ୍ବର ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ସ୍ଥିତିକୁ ଆହୁରି ସୁଦୃଢ଼ କରିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।

Comments are closed.