Latest Odisha News

BREAKING NEWS

ସରକାର ଶ୍ରୀଜଗନ୍ନାଥ ମନ୍ଦିର ପ୍ରତି ସଠିକ୍ ଗୁରୁତ୍ୱ ଦେଇନାହାନ୍ତି: ପୁରୀ ଗଜପତି

ପୁରୀ: ଓଡ଼ିଶା ସରକାର ଶ୍ରୀଜଗନ୍ନାଥ ମନ୍ଦିର ପ୍ରତି ଠିକ୍ ଭାବେ ଦୃଷ୍ଟି ଦେଇନାହାନ୍ତି ବୋଲି ଶନିବାର ଦିନ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ କହିଛନ୍ତି ।

ସୁପ୍ରିମକୋର୍ଟଙ୍କ ଦ୍ୱାରା ନବନିଯୁକ୍ତ ଆମିକସ୍ କ୍ୟୁରି ରଞ୍ଜିତ କୁମାରଙ୍କ ସହିତ ରାଜପ୍ରାସାଦରେ ଆଲୋଚନା ପରେ ଗଣମାଧ୍ୟମର ସମ୍ବାଦଦାତାମାନଙ୍କୁ ପୁରୀ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ କହିଛନ୍ତି, ୧୯୬୦ ମସିହାରେ ରାଜ୍ୟ ସରକାର ପୁରୀ ଗଜପତିଙ୍କ ଠାରୁ ଶ୍ରୀମନ୍ଦିର ପ୍ରଶାସନ ଦାୟିତ୍ୱ ଗ୍ରହଣ କରିଥିଲେ । “ ସେତେବେଳେ ଶ୍ରୀମନ୍ଦିରରେ ହେଉଥିବା ସମସ୍ତ ଅବ୍ୟବସ୍ଥା ରାଜ୍ୟ ସରକାରଙ୍କ ଦ୍ୱାରା ସମାଧାନ ହୋଇପାରିବ ବୋଲି ଆଶା କରାଯାଉଥିଲା । ମାତ୍ର ଦୁର୍ଭାଗ୍ୟର ବିଷୟ ହେଲା, ରାଜ୍ୟ ସରକାର ଏପର୍ଯ୍ୟନ୍ତ ଶ୍ରୀମନ୍ଦିର ସଂସ୍କାର କାର୍ଯ୍ୟକାରୀ କରିପାରିଲେ ନାହିଁ,” ବୋଲି କହିଛନ୍ତି ଗଜପତି ମହାରାଜା ।

ଏହି ପରିପ୍ରେକ୍ଷୀରେ ପୁରୀ ଗଜପତି କହିଛନ୍ତି ଯେ, ମାତ୍ର ୨ ବର୍ଷ ମଧ୍ୟରେ ଆନ୍ଧ୍ର ପ୍ରଦେଶ ଓ ଜମ୍ମୁ ଓ କାଶ୍ମୀର ସରକାର ଭଗବାନ ତିରୁପତି ଏବଂ ବୈଷ୍ଣୋଦେବୀ ମନ୍ଦିରରେ ସଂସ୍କାର ଆଣି ସଫଳ ହୋଇପାରିଛନ୍ତି । ଏହି ସଂସ୍କାର ଫଳରେ ସେହି ଦୁଇ ମନ୍ଦିରରେ ଏବେ ଲକ୍ଷ ଲକ୍ଷ ଭକ୍ତମାନେ ସୁବିଧାରେ ଦର୍ଶନ କରିପାରୁଛନ୍ତି, ବିଭିନ୍ନ ପର୍ବପର୍ବାଣି ସୂଚାରୁରୂପେ ଅନୁଷ୍ଠିତ ହେବା ସହିତ ସେଠାକାର ଭିତ୍ତିଭୂମୀ ବେଶ୍ ସୁନ୍ଦର ଓ ସୁଦୃଢ ହୋଇପାରିଛି । “ମାତ୍ର ସରକାର ଦାୟିତ୍ୱ ନେବାର ୮୦ ବର୍ଷ ବିତି ଯାଇଥିଲେ ମଧ୍ୟ ଶ୍ରୀମନ୍ଦିର ବିକାଶରେ କୌଣସି ପରିବର୍ତ୍ତନ ପରିଲକ୍ଷିତ ହୋଇପାରିନାହିଁ,” ବୋଲି ଗଜପତି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

ଆହୁରି ମଧ୍ୟ ଗଜପତି ଏସମ୍ପର୍କରେ କହିଛନ୍ତି, ଶ୍ରୀମନ୍ଦିରରେ ବିଭିନ୍ନ ସଂସ୍କାର ମୂଳକ ପଦକ୍ଷେପ ତୁରନ୍ତ ଗ୍ରହଣ କରିବା ସହିତ ପ୍ରଶାସନ, ପରିଚାଳନା ତଥା ସେବାୟତ ଏବଂ ବିଭିନ୍ନ ପାରମ୍ପରିକ ରୀତିନୀତି ପ୍ରତି ଦୃଷ୍ଟି ଦେବା ଆବଶ୍ୟକ । “ଏହି ତିନିଗୋଟି ବିଷୟରେ ସଂସ୍କାର ଆଣିପାରିଲେ ଅନ୍ୟାନ୍ୟ ସମସ୍ୟା ଗୁଡ଼ିକ ଧିରେ ଧିରେ ସମାଧାନ ହେବାର ପଥ ପରିଷ୍କାର ହୋଇପାରିବ । ମୁଁ ଆମିକସ୍ କ୍ୟୁରିଙ୍କ ସହିଦ ସାକ୍ଷାତ ଆଲୋଚନା ସମୟରେ ଏହି ତିନୋଟି ବିଷୟ ସମ୍ପର୍କରେ ଦୃଷ୍ଟି ଦେବାକୁ କହିଛି,” ବୋଲି କହିଛନ୍ତି ପୁରୀ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ।

Leave A Reply

Your email address will not be published.