Latest Odisha News

BREAKING NEWS

ଲକ୍‌ଡାଉନ ବେଳେ ପିଲାଙ୍କ ପାଇଁ ସରକାର ଆରମ୍ଭ କଲେ ଅନଲାଇନ ପ୍ରତିଯୋଗିତା ‘ମୋ ପ୍ରତିଭା’

ଭୁବନେଶ୍ୱର: ଲକ୍‌ଡାଉନ ଯୋଗୁଁ ଏବେ ପିଲାଏ ଘରେ ରହି ବୋର ହେଉଛନ୍ତି । ସ୍କୁଲ ବନ୍ଦ ସାଙ୍ଗକୁ ଘରୁ ବାହାରିବା ମନା । ସବୁ ଦିନ ସକାଳୁ ସେମାନଙ୍କର ଗୋଟିଏ ପ୍ରଶ୍ନ ‘ଆଉ କେତେ ଦିନ ରହିବ ଏଇ ଲକ୍ ଡାଉନ’ ? ଏହି ସମୟରେ ୫ରୁ ୧୮ ବର୍ଷ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଏକ ପ୍ରତିଯୋଗିତା । ମହିଳା ଓ ଶିଶୁ ବିକାଶ ବିଭାଗ, କ୍ରୀଡା ଓ ଯୁବ ସେବା ବିଭାଗ ଏବଂ ୟୁନିସେଫ୍ ସହଭାଗିତାରେ ଆରମ୍ଭ ହୋଇଛି ଅନଲାଇନ ପ୍ରତିଯୋଗିତା ‘ମୋ ପ୍ରତିଭା’ ।

ପ୍ରତିଯୋଗିତାରେ ଦୁଇଟି ଶୀର୍ଷକ ରହିଛି । ‘ଲକ୍‌ଡାଉନ ସମୟରେ ଘରେ ରହିବାର ଅନୁଭବ’ ଓ ‘କୋଭିଡ୧୯ ବେଳେ ଆଗାମୀ ପିଢୀର ନାଗରିକ ଭାବେ ମୋ ଦାୟିତ୍ୱ’ । ଏହି ଦୁଇ ଶୀର୍ଷକକୁ ନେଇ ଛାତ୍ରଛାତ୍ରୀ ଡ୍ରଇଁ କରିପାରିବେ, ସ୍ଲୋଗାନ ଲେଖିବେ କିମ୍ବା ପୋଷ୍ଟର ପ୍ରସ୍ତୁତ କରିବେ । ଏଥି ସହ ୫୦୦ ଶଦ୍ଦ ମଧ୍ୟରେ କ୍ଷୁଦ୍ର ଗଳ୍ପ କିମ୍ବା କବିତା ଲେଖି ପାରିବେ । କିନ୍ତୁ ଏଗୁଡିକ ନିଜସ୍ୱ ଲେଖା ହୋଇଥିବା ଦରକାର । ୫ରୁ ୧୮ ବର୍ଷ ମଧ୍ୟରେ ତିନିଟି ବର୍ଗ ରଖାଯାଇଛି ।

୫-୧୦, ୧୦-୧୫ ଓ ୧୫-୧୮ ବର୍ଗର ଛାତ୍ରଛାତ୍ରୀ ଦିନ ୧୦ଟାରୁ ୬ଟା ମଧ୍ୟରେ ଅନଲାଇନରେ ନିଜ ନାଁ ଏଣ୍ଟ୍ରି କରିପାରିବେ । ନିଜ ନାମ, ବୟସ, ସ୍କୁଲର ନାମ ସହ ସମ୍ପୂର୍ଣ୍ଣ ଠିକଣା ଦେଇ ଡ୍ରଇଁ, ପୋଷ୍ଟର, ସ୍ଲୋଗାନ, କ୍ଷୁଦ୍ର ଗଳ୍ପ ଓ କବିତା ହ୍ୱାଟ୍‌ସ୍‌ଆପ୍ ନମ୍ବର ୭୬୫୭୦୩୯୮୯୧କୁ ପଠାଇବେ । ଏଥି ସହ info@sportsodisha.gov.in ରେ ମଧ୍ୟ ଇମେଲ କରିପାରିବେ ।

ପ୍ରତି ଗୁରୁବାର ବିଜେତାମାନଙ୍କ ନାମ ଘୋଷଣା ହେବ । ବିଜେତାଙ୍କୁ ସରକାରଙ୍କ ପକ୍ଷରୁ ସାର୍ଟିଫିକେଟ ଦିଆଯିବ ବୋଲି ସୂଚନା ଦିଆଯାଇଛି । ଏଥି ସହ ପ୍ରତି ବର୍ଗରେ ଶ୍ରେଷ୍ଠ ବିବେଚିତ କଳା ସରକାରଙ୍କ କୋଭିଡ୧୯ ସୂଚନା ଓ ପ୍ରଚାର ଉପକରଣରେ ବ୍ୟବହାର କରାଯିବ ।

Leave A Reply

Your email address will not be published.