Latest Odisha News

BREAKING NEWS

କରୋନା ବିରୋଧୀ ଲଢେଇ: ଆବଶ୍ୟକୀୟ ସାହାଯ୍ୟ ଯୋଗାଇବେ ଏନସିସି କ୍ୟାଡଟ

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢେଇରେ ବେସାମରିକ କର୍ତ୍ତୃପକ୍ଷଙ୍କୁ ସାହାଯ୍ୟ କରିବା ପାଇଁ ଜାତୀୟ ସମରଶିକ୍ଷାର୍ଥୀ ବାହିନୀ (ଏନସିସି) ଆଗେଇ ଆସିଛି ।

ଏହି କ୍ୟାଡେଟମାନେ ଏକ୍ସରସାଇଜ ଏନସିସି ଯୋଗଦାନ କାର୍ଯ୍ୟକ୍ରମରେ କରୋନା ସଂକ୍ରମଣର ମୁକାବିଲା ପାଇଁ କର୍ତ୍ତୃପକ୍ଷଙ୍କୁ ସାହାଯ୍ୟ ଯୋଗାଇ ଦେବେ । ଏନସିସି ପକ୍ଷରୁ ଏ ସଂପର୍କରେ ଆବଶ୍ୟକ ନିର୍ଦ୍ଦେଶାବଳୀ ଜାରି କରାଯାଇ କ୍ୟାଡେଟମାନଙ୍କ ଅସ୍ଥାୟୀ ନିଯୁକ୍ତିର ବ୍ୟବସ୍ଥା କରାଯାଇଛି । କ୍ୟାଡେଟମାନେ ରିଲିଫ ଯୋଗାଣ ଓ ରୋଗର ମୁକାବିଲା କ୍ଷେତ୍ରରେ ଆବଶ୍ୟକ ହେଉଥିବା ଅନ୍ୟାନ୍ୟ କାର୍ଯ୍ୟରେ ସହଯୋଗ କରିବେ ।

କ୍ୟାଡେଟମାନେ ଯେଉଁସବୁ କାମରେ ସହାୟତା କରିବେ ତାହାର ଏକ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଛି । ହେଲ୍ପଲାଇନ ଓ କଲ ସେଂଟରରେ ଆବଶ୍ୟକ ହେଉଥିବା ଲୋକଶକ୍ତିର ଅଭାବ ପୂରଣ କରିବା, ରିଲିଫ ସାମଗ୍ରୀ, ଔଷଧପତ୍ର, ଖାଦ୍ୟ, ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ, ଗୋଷ୍ଠୀ ସହାୟତା, ଡେଟା ପରିଚାଳନା, କ୍ୟୁ ଏବଂ ଟ୍ରାଫିକ ପରିଚାଳନା ଆଦି ଏଥି ମଧ୍ୟରୁ ଅନ୍ୟତମ । ତେବେ ଏନସିସି କ୍ୟାଡେଟମାନଙ୍କୁ ଆଇନଶୃଙ୍ଖଳା ରକ୍ଷା, ସାମରିକ ଦାୟିତ୍ୱ ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ଥାନର ପରିଚାଳନାରେ ନିୟୋଜିତ କରାଯିବ ନାହିଁ ବୋଲି ନିର୍ଦ୍ଦେଶାବଳୀରେ ସ୍ପଷ୍ଟ କରାଯାଇଛି ।

୧୮ ବର୍ଷରୁ ଊର୍ଦ୍ଧ୍ଵ କେବଳ ବରିଷ୍ଠ ସ୍ୱେଚ୍ଛାସେବୀ କ୍ୟାଡେଟମାନଙ୍କୁ ଏହି ନିଯୁକ୍ତି ପ୍ରଦାନ କରାଯିବ । ୮ ରୁ ୨୦ଜଣଙ୍କୁ ନେଇ ଗୋଟିଏ ଗୋଟିଏ ଗୋଷ୍ଠୀରେ ଏହି କ୍ୟାଡେଟମାନଙ୍କୁ ନିଯୁକ୍ତି ଦିଆଯିବ । ସେମାନେ ସ୍ଥାୟୀ ଇନଷ୍ଟ୍ରକ୍ଚର ଷ୍ଟାଫ କିମ୍ବା ସହଯୋଗୀ ଏନସିସସି ଅଧିକାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାମ କରିବେ ।

ଏହି ସ୍ୱେଚ୍ଛାସେବୀ କ୍ୟାଡେଟମାନଙ୍କ ନିଯୁକ୍ତି ପାଇଁ ଜିଲ୍ଲା ପ୍ରଶାସନ/ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ରିକ୍ୟୁଜିସନ ରାଜ୍ୟ ଏନସିସି ନିର୍ଦ୍ଦେଶାଳୟ ମାଧ୍ୟମରେ ପଠାଇବାକୁ ପଡ଼ିବ । ଏ ସଂକ୍ରାନ୍ତ ସବିଶେଷ ନିଷ୍ପତ୍ତି ଗ୍ରୁପ ହେଡକ୍ୱାର୍ଟର ଅଥବା ୟୁନିଟ ମୁଖ୍ୟାଳୟ ସ୍ତରରେ ରାଜ୍ୟ ସରକାରଙ୍କ ସହ ଆଲୋଚନାକ୍ରମେ ଚୂଡ଼ାନ୍ତ ହେବ ।

କ୍ୟାଡେଟମାନଙ୍କୁ କର୍ତ୍ତବ୍ୟ ସଂପାଦନ ପାଇଁ ମୁତୟନ କରାଯିବା ପୂର୍ବରୁ କ୍ଷେତ୍ରୀୟ ସ୍ଥିତି, ଆବଶ୍ୟକତା ଓ ଅନ୍ୟାନ୍ୟ କଥା ବିଚାରକୁ ନିଆଯିବ ।

ଏନସିସି ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରେ । ଏହା ଦେଶର ସର୍ବବୃହତ ୟୁନିଫର୍ମଡ ଯୁବ ସଂଗଠନ । ଏହି ସଂଗଠନ ବିଭିନ୍ନ ସାମାଜିକ ସେବା ଓ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟକ୍ରମରେ ସଂପୃକ୍ତ ରହି କାର୍ଯ୍ୟ କରି ଆସୁଛି ।

Leave A Reply

Your email address will not be published.