Latest Odisha News

ନାଫେଡ ଯୋଗାଇବ ଆଳୁ, କିଲୋକୁ ମାତ୍ର ୩୦ ଟଙ୍କା

ଭୁବନେଶ୍ୱର: ରାଜ୍ୟରେ ଉପୁଜିଥିବା ଆଳୁ ସଙ୍କଟ ଦୂର କରିବା ପାଇଁ ସରକାର ବିଧିବଦ୍ଧ ଭାବେ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଣିକି ରାଜ୍ୟ ସରକାର ନାଫେଡ ମାଧ୍ୟମରେ ଆଳୁ କିଣିବା ସହ ଖାଉଟି ମାନଙ୍କୁ କିଲୋଗ୍ରାମ ପିଛା ୩୦ ଟଙ୍କାରେ ଯୋଗାଇ ଦେବେ । ଏହାଦ୍ୱାରା ଖାଉଟି ମାନଙ୍କୁ ସୁଲଭ ଦରରେ ଆଳୁ ଉପଲବ୍ଧ କରାଇବା ସହ ରାଜ୍ୟରେ ଆଳୁ ସଙ୍କଟ ଦୂର ହୋଇପାରିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।

ଶ୍ରୀ ପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଏଥି ପାଇଁ ପ୍ରଥମ ପର୍ଯ୍ୟାୟରେ ତିନି ଶହ ମେଟ୍ରିକ ଟନ ଆଳୁ ପାଇଁ ନାଫେଡ ମାଧ୍ୟମରେ ଅର୍ଡର ପ୍ରଦାନ କରାଯାଇଛି । ଆସନ୍ତା ସପ୍ତାହକ ମଧ୍ୟରେ ଏହା ରାଜ୍ୟରେ ଉପଲବ୍ଧ ହେବ । ପ୍ରଥମ ପର୍ଯ୍ୟାୟରେ ଏହା ଭୁବନେଶ୍ୱର, କଟକ, ରାଉଲକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ସରକାରୀ ଖୁଚୁରା ଦୋକାନ ମାଧ୍ୟମରେ ଉପଲବ୍ଧ ହେବ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ପାତ୍ର । ବିକ୍ରୟ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଆଳୁ ଦର ଉପରମୁହାଁ ହୋଇଥିବା ବେଳେ ଏହାକୁ ନେଇ ହନ୍ତସନ୍ତ ହେଉଛନ୍ତି ଖାଉଟି । ସରକାରଙ୍କ ହସ୍ତକ୍ଷେପ ପରେ ବି ସ୍ଥିତି ସୁଧୁରୁନି । ଦିନକୁ ଦିନ ବଜାରରେ ଆଳୁ ଦର ବଢିଚାଲିଛି । କିଛି କିଛି ଖୁଚୁରା ଦେକାନୀ ୬୦ ଟଙ୍କା ଚଢା ଦରରେ ଆଳୁ ବିକ୍ରି କରୁଛନ୍ତି । ପଶ୍ଚିମବଙ୍ଗରେ ଏଥର ଆଳୁ ଉତ୍ପାଦନ କମ୍ ହୋଇଥିବାରୁ ଏହା ଉପରେ କଟକଣା ଲଗାଇଛନ୍ତି ମମତା ସରକାର । ସେପଟେ ଉତ୍ତର ପ୍ରଦେଶ ଯେତିକି ଆଳୁ ଆସୁଛି ତାହା ସମୁଦ୍ରକୁ ଶଙ୍ଖେ ମାତ୍ର । ତେଣୁ ଏବେ ଚିନ୍ତାରେ ରାଜ୍ୟ ସରକାର ।

Comments are closed.