ଭୁବନେଶ୍ବର: ଖୁବଶୀଘ୍ର ରାଜ୍ୟରେ ନୂଆ ଜଳ ନୀତି ଲାଗୁ କରିବେ ରାଜ୍ୟ ସରକାର । ୫ ବର୍ଷରେ ୧୫ ଲକ୍ଷ ହେକ୍ଟର ଜମି ସେଚନ ପାଇଁ ମାଷ୍ଟର ପ୍ଲାନ୍ ଆଣିବେ ସରକାର । ଏନେଇ ବିଧାନସଭାରେ ବିବୃତ୍ତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ୫ ବର୍ଷରେ ୧୫ ଲକ୍ଷ ହେକ୍ଟର ଜମି ସେଚନ ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରୁଛୁ । ଚଳିତ ବର୍ଷ ୨ ଲକ୍ଷ ୭୭ ହଜାର ହେକ୍ଟର ଜମିକୁ ଜଳସେଚନ କରିବାକୁ ଲକ୍ଷ୍ୟ ରଖିଛୁ ବୋଲି କହିଛନ୍ତି ।
ଏଥିସହିତ ଜଳସେଚନ ନେଇ ପୂର୍ବ ସରକାର ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବ ସରକାରରେ ଜଳ ସମ୍ପଦ ବିଭାଗ ଦୁର୍ନୀତିର ଗନ୍ତାଘର ପାଲଟିଥିଲା । ପୂର୍ବ ସରକାର ପାଇଁ ଆଜି ଆମେ ଜଳସେଚନ ଲକ୍ଷ୍ୟରୁ ଲକ୍ଷ୍ୟଚ୍ୟୁତ ହୋଇଛୁ । ୨୪ ବର୍ଷ ପରେ ୬୦ରୁ ଅଧିକ ବ୍ଲକରେ ୩୫ ପ୍ରତିଶତରୁ କମ୍ ଜଳସେଚନ ହୋଇଛି । ପୂର୍ବ ସରକାରରେ ଜଳସେଚନ ପାଇଁ ଲକ୍ଷେ ୨ ହଜାର କୋଟି ଖର୍ଚ୍ଚ ହୋଇଛି । ହେଲେ କାହିଁକି ଗ୍ରାଉଣ୍ଡରେ ଜଳସେଚନ ପହଞ୍ଚି ପାରିନାହିଁ ? ଏଥିପାଇଁ ଦାୟୀ କିଏ ? ଲକ୍ଷେ କୋଟି ଟଙ୍କା କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁଠି ୫୦ ପ୍ରତିଶତ ଜଳସେଚନ ହୋଇପାରିଥାନ୍ତା, ସେଠି ୩୪ ପ୍ରତିଶତରେ କାହିଁକି ରହିଗଲା ବୋଲି ପ୍ରଶ୍ନ କରିଛନ୍ତି । ଏଥିସହିତ ପୂର୍ବ ସରକାରରେ ନିମ୍ନମାନର କାମ କରାଗଲା ଏବଂ ପରିଚାଳନା ଠିକ୍ ହୋଇନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଯାହାକୁ ଦୃଷ୍ଟିରେ ରଖି ସରକାର ନୂତନ ଜଳ ନୀତି ଆଣିବାକୁ ଯାଉଛନ୍ତି ।