ଭୁବନେଶ୍ବର: ବକେୟା ଦରମା ପ୍ରସଙ୍ଗ ନେଇ ମିଶନ ଶକ୍ତି ମହିଳାଙ୍କ ଧାରଣାରେ ବିଜେଡି ନେତାଙ୍କ ସମର୍ଥନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା । ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମିଶନ ଶକ୍ତିର ମହିଳାଙ୍କୁ କେହି ବିଭ୍ରାନ୍ତ କରନ୍ତୁ ନାହିଁ । ଗତକାଲି ଏହି ପ୍ରସଙ୍ଗରେ ବିଧାନସଭା ଗୃହରେ ଚର୍ଚ୍ଚା ହୋଇଛି । ମହିଳାମାନେ କାହା କଥାରେ ପଡ଼ି ରାସ୍ତାରେ ଗଡ଼ିବା ଆବଶ୍ୟକତା ନାହିଁ । ମହିଳାଙ୍କ ସ୍ବାର୍ଥ ରକ୍ଷା ପାଇଁ ରାଜ୍ୟ ସରକାର ସବୁବେଳେ ପ୍ରତିଶ୍ରୁତିବଦ୍ଧ । ମହିଳାଙ୍କ ସ୍ବାର୍ଥ ପାଇଁ ଯାହା ଠିକ୍ ସରକାର ତାହା କରିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
ତେବେ କହିରଖୁଛୁ, ୯ ମାସର ବକେୟା ଦରମାକୁ ପ୍ରତିବାଦ କରି ଗାନ୍ଧୀମାର୍ଗରେ ଗର୍ଜିଛନ୍ତି ମିଶନ ଶକ୍ତି ମହିଳା । ବକେୟା ଦରମାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବା ସହ ବିକ୍ଷୋଭ ପଦର୍ଶନ କରିଛନ୍ତି ଅଲ ଓଡିଶା ଜିପିଏଲଫ ମିଶନ ଶକ୍ତି କର୍ମୀ ସଂଘ । ଆଉ ଏମାନଙ୍କ ସହ ସାମିଲ ହୋଇଛନ୍ତି ରାଜ୍ୟ ବିଜୁ ଶ୍ରମିକ ସାମୁଖ୍ୟ ସଙ୍ଘ ଗଣଧାରଣା । ବିଧାନସଭା ଚାଲିଥିବାବେଳେ ସେମାନେ ନିଜର ସମସ୍ୟା ସରକାରଙ୍କୁ ଜଣାଇବାକୁ ଚେଷ୍ଟା କରି ଲୋୟର ପିଏମଜିରେ ଆନ୍ଦୋଳନକାରୀ ବିଧାନସଭା ଆଡକୁ ମୁହାଁଇଥିବା ବେଳେ ପୋଲିସ୍ ସେମାନଙ୍କୁ ଅଟକାଇଥିଲା ।
ସେପଟେ ବିଜେଡି ନେତେ ଏହି ବିକ୍ଷୋଭକୁ ଅଧିକ ଇନ୍ଧନ ଦେଉଥିବା ବେଳେ ବିଜେଡି ବିଧାୟକ ଅରୁଣ ସାହୁ ମଧ୍ୟ ଲୋୟର ପିଏମଜିରେ ପହଞ୍ଚି ସରକାରଙ୍କ ବିରୋଧରେ ବର୍ଷିଥିଲେ । ଆଉ ଆଜି ସମାନ ସ୍ଥିତି ରହିଥିବା ବେଳେ ବିଜେଡି ସହ ଧାରଣାରେ ସାମିଲ ହୋଇଛି କଂଗ୍ରେସ । ସେପଟେ ବିଧାନସଭାରେ ଶୂନ୍ୟକାଳରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଛି ବିରୋଧୀ ବିଜେଡି ।
Comments are closed.