Latest Odisha News

BREAKING NEWS

୯ ଜିଲ୍ଲାରେ ଗଞ୍ଜେଇ ଚାଷ, ୨୪ ଦିନରେ ନଷ୍ଟ ହେଲାଣି ୨୩୭୫ ଏକର ଜମି

ଭୁବନେଶ୍ବର: ରାଜ୍ୟର ମୁଖ୍ୟତଃ ୯ଟି ଜିଲ୍ଲା ଗଞ୍ଜେଇ ଚାଷର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ଏବେ ରାଜ୍ୟରୁ ଗଞ୍ଜେଇ ଚାଷ ମୂଳପୋଛ କରିବାକୁ ପୋଲିସ ପକ୍ଷରୁ ତତ୍ପରତା ଦେଖାଦେଇଛି । ଘଞ୍ଚ ଜଙ୍ଗଲ ଏବଂ ପାହାଡ଼ିଆ ଭୂମି ଯେପରିକି କନ୍ଧମାଳ, ବୌଦ୍ଧ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ ଏବଂ ଅନ୍ୟାନ୍ୟ ପଡୋଶୀ ଜିଲ୍ଲାଗୁଡ଼ିକରେ ଏବେ ବି କ୍ଷେତରେ ଗଞ୍ଜେଇ ଚାଷ ମୁଣ୍ଡ ଟେକିଥିବା ବେଳେ ଏହାକୁ ମୂଳ ପୋଛ କରିବାକୁ ଜିଯାନ୍ ଲଗାଇଦେଇଛି ପୋଲିସ୍ ।

ଏହିମାସ ଆରମ୍ଭରୁ ଗ୍ରୀନ୍ କ୍ଲିନ୍ ଅଭିଯାନ ଆରମ୍ଭ କରି ୨୪ ଦିନ ଭିତରେ ମୋଟ ୨୩୭୫ ଏକର ଗଞ୍ଜେଇ ଚାଷ ଜମିକୁ ନଷ୍ଟ କରିବାରେ ସଫଳ ହୋଇଛି ରାଜ୍ୟ ପୋଲିସ୍ ।  ଏଯାବତ ମୋଟ ୨୮ ଲକ୍ଷ ଗଞ୍ଜେଇ ଗଛ ସମେତ ୫୪ଟି ଗଞ୍ଜେଇ ଚାଲାଣ ଓ ଚାଷ ନେଇ ମାମଲା ରୁଜୁ ହୋଇଥିବା ବେଳେ ୫୩୦୦ କେଜି ଗଞ୍ଜେଇ ଜବତ ସହ ୮୦ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ନଗଦ ୧୫ ଲକ୍ଷରୁ ଅଧିକ ଟଙ୍କା ସହ ୨୦ଟି ଗାଡ଼ି ଜବତ କରାଯାଇଛି । ଏଥିସହିତ ଡ୍ରୋନ୍ ଓ ସାଟେଲାଇଟ୍ ମାଧ୍ୟମରେ ଗଞ୍ଜେଇ ଚାଷ କରାଯାଉଥିବା ଅଞ୍ଚଳ ଗୁଡିକରେ ନଜର ରଖାଯାଇଥିବା ନେଇ ସୂଚନା ଦେଇଛନ୍ତି ଡିଜିପି ୱାଇ.ବି. ଖୁରାନିଆ ।

ତେବେ ନଭେମ୍ବରରୁ ଆରମ୍ଭ ହୋଇଥିବା ଏହି ଗ୍ରୀନ କ୍ଲିନ୍ ଅଭିଯାନ ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ଜାରି ରହିବ । ଗତବର୍ଷ ୧୦ ହଜାର ୫୦୦ ଏକର ଜମି ଏହି ଅଭିଯାନ ଦ୍ବାରା ନଷ୍ଟ କରାଯାଇଥିବା ବେଳେ ଚଳିତ ବର୍ଷ ଗଞ୍ଜେଇ ଚାଷକୁ ପୂରା ମୂଳପୋଛ କରିବା ପାଇଁ ଚେଷ୍ଟା ଜାରି ରଖିଛି ପୋଲିସ୍ ।

Comments are closed.