Latest Odisha News

BREAKING NEWS

ବାଜିଲା ଡିଜେ, ବେଦୀରେ ଟଳିପଡିଲେ ବର: ମନା କରୁଥିଲେ କେହି ଶୁଣିଲେନି

ପାଟନା: ଡିଜେ ବଜାଇବାକୁ ବାରମ୍ବାର ମନା କରୁଥିଲେ ବର । କିନ୍ତୁ କେହି ଶୁଣିଲେନି । ଶେଷରେ ବେଦୀରେ ଟଳିପଡିଲେ ବର । ବିହାରର ସୀତାମଢି ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଛି, ଯାହାକୁ ନେଇ ଶୋକର ଛାୟା ଖେଳିଯାଇଛି । ମାର୍ଚ୍ଚ ୨ରେ ଏହି ଘଟଣା ଘଟିଛି ଓ ମୃତ୍ୟୁ ପଛରେ ଡିଜେ ହିଁ ମୁଖ୍ୟ କାରଣ ବୋଲି ଜଣାପଡିଛି । ସୂଚନା ମୁତାବକ ବିହାରର ସୋନବରସାର ଇନ୍ଦରବା ଗାଁକୁ ସୁରେନ୍ଦ୍ର କୁମାର ନିଜ ବରଯାତ୍ରୀଙ୍କ ସହ ଆସିଥିଲେ । ତେବେ ଯଥାରୀତି ବିବାହ ଚାଲିଥିବାବେଳେ ଯେତେବେଳେ ବର-କନ୍ୟା ପରସ୍ପରକୁ ବରଣମାଳା ପିନ୍ଧାଉଥିଲେ ସେତେବେଳେ ବରଯାତ୍ରୀ ଉଚ୍ଚ ଶବ୍ଦରେ ଡିଜେ ବଜାଇଥିଲେ ।

ଏନେଇ ସୁରେନ୍ଦ୍ର ବରଯାତ୍ରୀଙ୍କୁ କହିଥିଲେ ଯେ ଡିଜେର ଶବ୍ଦ କମାଇଦିଅ କିମ୍ବା ଡିଜେ ବନ୍ଦ କରିଦିଅ । ତେବେ ସୁରେନ୍ଦ୍ରଙ୍କ କଥା କେହି ଶୁଣିନଥିଲେ । ସମସ୍ତେ ହସରେ ଉଡାଇଦେଇଥିଲେ । ଠିକ ଏହି ସମୟରେ ବର ସୁରେନ୍ଦ୍ର ବେହୋସ ହୋଇ ପଡିଯାଇଥିଲେ । ତୁରନ୍ତ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କୁହାଯାଉଛି ଯେ ଡିଜେର ଉଚ୍ଚ ଶବ୍ଦ ଯୋଗୁଁ ସୁରେନ୍ଦ୍ରଙ୍କୁ ହୃଦଘାତ ଆସିଥିଲା ଓ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣାକୁ ନେଇ ଉଭୟ ବର-କନ୍ୟାଙ୍କ ପରିବାରରେ ଶୋକର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.