ନୂଆଦିଲ୍ଲୀ: ଭାରତର ପଡ଼ୋଶୀ ଦେଶ ମିଆଁମାର ଦୀର୍ଘ ଦିନ ଧରି ଗୃହଯୁଦ୍ଧରେ ଜଡ଼ିତ। ଯୁଦ୍ଧକ୍ଷେତ୍ରରେ ଅରାକାନ୍ ସେନା ଏବଂ ଅନ୍ୟାନ୍ୟ ବିଦ୍ରୋହୀ ଗୋଷ୍ଠୀ ଅଛନ୍ତି। ଅନ୍ୟପଟେ ଯୁଣ୍ଟା ଶାସନର ସେନା ଅଛନ୍ତି। ମିଆଁମାରରେ ଚାଲିଥିବା ଗୃହଯୁଦ୍ଧ ଭାରତ, ବାଂଲାଦେଶ ଏବଂ ଚୀନ୍ ସମେତ ଅନ୍ୟାନ୍ୟ ପଡ଼ୋଶୀ ଦେଶଗୁଡ଼ିକୁ ମଧ୍ୟ ପ୍ରଭାବିତ କରୁଛି।
ଏପରି ପରିସ୍ଥିତିରେ ମଧ୍ୟ ଚୀନ୍ ମିଆଁମାରର ପରିସ୍ଥିତିକୁ ନିଜ ଲାଭ ପାଇଁ ବ୍ୟବହାର କରିବାକୁ ଏବଂ ଭାରତକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଛି। ଏହା ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିପାରେ। ଯାହାକୁ ନେଇ ଗୁଇନ୍ଦା ସଂସ୍ଥାଗୁଡ଼ିକ ମିଆଁମାରରେ ଚୀନର ବଢ଼ୁଥିବା ପ୍ରଭାବ ବିଷୟରେ ଭାରତକୁ ସତର୍କ କରାଇ ଦେଇଛନ୍ତି।
ଚୀନର ଟାର୍ଗେଟରେ ଭାରତର ଉତ୍ତର-ପୂର୍ବ ରାଜ୍ୟ ମଣିପୁର
ସିଏନଏନ ରିପୋର୍ଟ ଅନୁଯାୟୀ, ଗୁଇନ୍ଦା ସଂସ୍ଥାଗୁଡ଼ିକ ଚେତାବନୀ ଦେଇଛନ୍ତି ଯେ ମିଆଁମାରରେ ଚୀନର ବଢ଼ୁଥିବା ପ୍ରଭାବ ଭାରତ ପାଇଁ ଏକ ବଡ଼ ବିପଦ ପାଲଟିଛି। ଭାରତର ଉତ୍ତର-ପୂର୍ବ ରାଜ୍ୟ ମଣିପୁର ଚୀନର ଟାର୍ଗେଟରେ ଅଛି। କାରଣ ଏହା ଏକ ସମ୍ବେଦନଶୀଳ ରାଜ୍ୟ ଯେଉଁଠାରେ ଦୀର୍ଘ ସମୟ ଧରି ଅଶାନ୍ତି ଲାଗି ରହିଛି। ଏଜେନ୍ସିଗୁଡ଼ିକ କହିଛନ୍ତି ଯେ ଚୀନର ଆକ୍ରମଣାତ୍ମକ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି, ଭାରତକୁ ଭାରତ ଏବଂ ମିଆଁମାର ମଧ୍ୟରେ ଥିବା ୧୬୯୩ କିଲୋମିଟର ଲମ୍ବା ସୀମା ଉପରେ କଡ଼ା ନଜର ରଖିବାକୁ ପଡିବ।
ଚୀନ୍ ରାଡାର ସିଷ୍ଟମ ସ୍ଥାପନ କରୁଛି
ଚୀନ୍ ମିଆଁମାର ସୀମାନ୍ତ ୟୁନାନ ରାଜ୍ୟରେ ଏକ ଅତ୍ୟାଧୁନିକ ରାଡାର ସିଷ୍ଟମ (LPAR, ଲାର୍ଜ ଫେଜଡ୍ ଆରେ ରାଡାର) ସ୍ଥାପନ କରିଛି। ଏହା ସାହାଯ୍ୟରେ ଚୀନ୍ ସମଗ୍ର ଅଞ୍ଚଳ ଉପରେ ନଜର ରଖିପାରିବ। ଏହା ବ୍ୟତୀତ, ଚୀନ୍ ମିଆଁମାରର ଜୁଣ୍ଟା ସେନା ସହିତ ମଧ୍ୟ ଜଡିତ। ଅନ୍ୟପକ୍ଷରେ ଏହା ଅରାକାନ୍ ସେନା ଭଳି ସଶସ୍ତ୍ର ଗୋଷ୍ଠୀକୁ ମଧ୍ୟ ଅସ୍ତ୍ରଶସ୍ତ୍ର ଯୋଗାଇଥାଏ। ଅର୍ଥାତ୍ ଚୀନ୍ ଏକ ଦ୍ୱୈତ ନୀତି ବ୍ୟବହାର କରୁଛି।
ଚୀନ୍ ମିଆଁମାରରେ ଭାରତକୁ ଘେରି ରହିଛି
ରିପୋର୍ଟ ଅନୁଯାୟୀ, ଚୀନର ରଣନୀତି ଷ୍ଟ୍ରିଙ୍ଗ ଅଫ୍ ପର୍ଲ୍ସ ତତ୍ତ୍ୱ ଉପରେ ଆଧାରିତ। ଏହି ରଣନୀତି ମାଧ୍ୟମରେ, ଚୀନ୍ ତାର ରଣନୈତିକ ସ୍ଥାନ ଏବଂ ସହଯୋଗୀ ଦେଶରେ ତାର ନେଟୱାର୍କକୁ ମଜବୁତ କରି ଭାରତକୁ ଘେରିବାକୁ ଚେଷ୍ଟା କରୁଛି। ଏହା ଭାରତର ପୂର୍ବ ଦିଗରେ କାର୍ଯ୍ୟ ନୀତିକୁ ପ୍ରଭାବିତ କରିପାରେ।
Comments are closed.