Latest Odisha News

ଜିଏସ୍‌ଟି ପରିଷଦର ନିଷ୍ପତ୍ତି, ଏଣିକି ସିନେମା ହଲ୍‌ରେ ଶସ୍ତା ହେବ ଖାଜ୍ୟପେୟ

ନୂଆଦିଲ୍ଲୀ: ଏଣିକି ସିନେମା ହଲ୍‌ରେ ଶସ୍ତା ହେବ ଖାଜ୍ୟପେୟ। ବର୍ତ୍ତମାନଠାରୁ ସିନେପ୍ଲେକ୍ସଗୁଡିକରେ ଥିବା ରେଷ୍ଟୁରାଣ୍ଟରେ ୧୮ ପ୍ରତିଶତ ସାମଗ୍ରୀ ଏବଂ ଜିଏସଟି ଲାଗୁ ଥିବାବେଳେ ଏହା ୫ ପ୍ରତିଶତକୁ ଖସିବ। ଏହି ପ୍ରସ୍ତାବରେ ମୋହର ମାରିଛି ଜିଏସଟି ପରିଷଦ। ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ମଙ୍ଗଳବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ପରିଷଦର ୫୦ତମ ବୈଠକ ବସିଥିଲା। ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବା ସହ ଅନେକ ପ୍ରସ୍ତାବକୁ ଅନୁମୋଦନ ମିଳିଛି।

ଏହି ବୈଠକରେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଅନ୍‌ଲାଇନ୍‌ ଗେମିଂ, ଘୋଡାଦୌଡ଼ ଏବଂ କ୍ୟାସିନୋ ଭଳି ବେଟିଂରେ ୨୮ ପ୍ରତିଶତ ଟିକସ ଲାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ଉକ୍ତ ବୈଠକରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ର ଓ ରାଜ୍ୟ ଗୁଡିକର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ବୈଠକ ପରେ ମହାରାଷ୍ଟ୍ର ମନ୍ତ୍ରୀ ସୁଧୀର ମୁନଗଣ୍ଟିୱାର କହିଛନ୍ତି ଅନଲାଇନ ଗେମିଂକୁ ଜିଏସଟି ଆଇନ ପରିସରକୁ ଆଣାଯାଇଛି। ବେଟ୍‌ରେ ସମ୍ପୂର୍ଣ୍ଣ ଫେସ୍ ଭେଲ୍ୟୁ ଉପରେ ଟିକସ ଲାଗିବ। ଏହା ବ୍ୟତୀତ ଗାଡିଗୁଡିକର ପଞ୍ଜୀକରଣ ଉପରେ ଜିଏସଟି ଭାଗ ଉପଭୋକ୍ତା ରାଜ୍ୟକୁ ବି ମିଳିବ।

ସେହିଭଳି ବିରଳ ରୋଗ ପାଇଁ ଉଦ୍ଧିଷ୍ଟ ସ୍ୱତନ୍ତ୍ର ଔଷଧ ପାଇଁ ଟିକସ ଛାଡକୁ ଅନୁମୋଦନ ମିଳିଛି। ଆମଦାନି ହେଉଥିବା କ୍ୟାନସର ଔଷଧ ଡୁନୁଟୁକ୍ସିମ୍ୟାବ୍ ଉପରେ ଆଇଜିଏସଟି ହଟାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଏହା ଉପରେ ୧୨ ପ୍ରତିଶତ ଲାଗୁଛି ଯାହାକୁ ଶୂନ କରିଦିଆଯାଇଛି। ସେହିପରି ସାଟେଲାଇଟ ଲଞ୍ଚିଂ ସେବା ପ୍ରଦାନ କରୁଥିବା ଘରୋଇ କମ୍ପାନୀଗୁଡିକୁ ଜିଏସଟି ପରିସରରୁ ବାହାରେ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଜିଏସଟି ଆପିଲେଟ୍‌ ଟ୍ରିବ୍ୟୁନାଲ ଗଠନକୁ ମଞ୍ଜୁରୀ ଦିଆଯାଇଛି। ଏହାଦ୍ୱାରା କରଦାତାଙ୍କୁ ଆଶ୍ୱସ୍ତି ମିଳିବ।

Leave A Reply

Your email address will not be published.