Latest Odisha News

BREAKING NEWS

୫ ପ୍ରତିଶତ ଟିକସ ସ୍ଲାବରେ ହୋଇପାରେ ପରିବର୍ତନ

ନୂଆଦିଲ୍ଲୀ : ଆସନ୍ତା ମାସରେ ବସିବ ଜିଏସଟି ପରିଷଦ ବୈଠକ।  ଏହି ବୈଠକରେ ୫ ପ୍ରତିଶତ ଟିକସ ସ୍ଲାବରେ ପରିବର୍ତନ ହୋଇପାରେ । କିଛି ସାମଗ୍ରୀକୁ ୫ ପ୍ରତିଶତରୁ ୩ ପ୍ରତିଶତ ସ୍ଲାବକୁ କମାଯାଇପାରେ ଏବଂ ଆଉ କିଛି ୮ ପ୍ରତିଶତକୁ ବଢାଯାଇପାରେ ।  ବିଶେଷଜ୍ଞଙ୍କ ମତରେ ଅଧିକାଂଶ ରାଜ୍ୟ ୫ ପ୍ରତିଶତ ଟିକସ ସ୍ଲାବ ବଦଳରେ ଅଧିକ ବ୍ୟବହାର ହେଉଥିବା ସାମଗ୍ରୀ ପାଇଁ ୩ ପ୍ରତିଶତ ଏବଂ କମ୍ ବ୍ୟବହାର ହେଉଥିବା ସାମଗ୍ରୀ ପାଇଁ ୮ ପ୍ରତିଶତ ଟିକସ ସ୍ଲାବ ଉପରେ ସହମତି ପ୍ରକାଶ କରିପାରନ୍ତି ।

ରାଜ୍ୟଗୁଡ଼ିକ ରାଜସ୍ୱ ବୃଦ୍ଧି ଉପରେ ଗୁରୁତ୍ୱ ଦେଉଛନ୍ତି, ଏପରି ହେଲେ ସେମାନଙ୍କୁ ଆଉ କେନ୍ଦ୍ରରୁ ମିଳୁଥିବା କ୍ଷତିପୂରଣ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଏବେ ଜିଏସଟିରେ ୫, ୧୨, ୧୮ ଓ ୨୮ ପ୍ରତିଶତର ୪ଟି ଟିକସ ସ୍ଲାବ ରହିଛି । ସୁନା ଗହଣା ଉପରେ ୩ ପ୍ରତିଶତ ଟିକସ ଲାଗୁ ହେଉଥିବା ବେଳେ ୩ ପ୍ରତିଶତ ସ୍ଲାବ ବାହାରେ ଥିବା ଗହଣା ଉପରେ ୭ ପ୍ରତିଶତ ଟିକସ ଲାଗୁ ହୋଇପାରେ । ଏହା ବଦଳରେ ୮ କିମ୍ବା ୯ ପ୍ରତିଶତ ମଧ୍ୟ ବିଚାର କରାଯାଇପାରେ। ପାଞ୍ଚ ପ୍ରତିଶତ ସ୍ଲାବକୁ ଯଦି ଏକ ପ୍ରତିଶତ ମଧ୍ୟ ବୃଦ୍ଧି କରାଯାଏ ତେବେ ବାର୍ଷିକ ପ୍ରାୟ ୫୦ ହଜାର କୋଟି ଟଙ୍କାର ଅତିରିକ୍ତ ରାଜସ୍ୱ ମିଳିବ।

ଏହା ପଛର କାରଣ ସମ୍ପର୍କରେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଜୁନ୍ ମାସରେ ଜିଏସଟି କ୍ଷତିପୂରଣ ବ୍ୟବସ୍ଥା ଶେଷ ହେଉଥିବାରୁ ରାଜ୍ୟଗୁଡ଼ିକ ରାଜସ୍ୱ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଜରୁରୀ ହୋଇପଡ଼ିଛି। ତେଣୁ ଜୁଲାଇ ୧ରେ ନୂଆ ବ୍ୟବସ୍ଥା ଜାରି ହେବାର କାର୍ୟ୍ୟକ୍ରମ ରହିଛି । ୨୦୧୭ରେ ଯେତେବେଳେ ଜିଏସଟି ଲାଗୁ ହୋଇଥିଲା ସେତେବେଳେ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ପ୍ରଦାନ କରିଥିଲେ। ଏଥିରେ ୨୦୨୨ ଯାଏ ୫ ବର୍ଷ ପାଇଁ କ୍ଷତିପୂରଣ ପ୍ରଦାନ ଏବଂ ୨୦୧୫-୧୬ ମୂଳ ବର୍ଷର ରାଜସ୍ୱ ଉପରେ ବାର୍ଷିକ ୧୪ ପ୍ରତିଶତ ହାରରେ ସେମାନଙ୍କ ରାଜସ୍ୱ ସୁରକ୍ଷା ପାଇଁ ସହମତି ପ୍ରକାଶ ପାଇଥିଲା। ଏବେ ରାଜ୍ୟମାନେ ଅନୁଭବ କରୁଛନ୍ତି ଯେ ପରିଷଦ ଆଗରେ ଅଧିକ ଟିକସ ମାଧ୍ୟମରେ ରାଜସ୍ୱ ବୃଦ୍ଧି ହିଁ ଏକମାତ୍ର ବିକଳ୍ପ।

Leave A Reply

Your email address will not be published.