Latest Odisha News

ଓଡ଼ିଶାରେ ୧୨ ଦିନ ରହିଥିଲା ଗୁଡ୍ଡୁ ମୁସଲିମ୍, ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ଭୁବନେଶ୍ୱର: ୟୁପି ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦର ସହଯୋଗୀ ଗୁଡ୍ଡୁ ମୁସଲିମ୍ ଓଡ଼ିଶାରେ ୧୨ ଦିନ ରହିଥିଲା । ଶେଷ ଥର ପାଇଁ ବରଗଡ଼ରେ ଗୁଡ୍ଡୁ ମୁସଲିମର ଲୋକେସନ୍ ଟ୍ରେସ୍ କରାଯାଇଥିବା ବେଳେ ସେ ସେଠାରୁ ଛତିଶଗଡ଼ ପଳାଇଥିବା କୁହାଯାଉଛି ।

ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ, ଅତିକର ସହଯୋଗୀ ଗୁଡ୍ଡୁ ମୁସଲିମ୍ ଏପ୍ରିଲ୍ ୨ରୁ ୧୩ ତାରିଖ ଯାଏ ଓଡ଼ିଶାରେ ରହିଥିଲା । ପାଖାପାଖି ୧୨ ଦିନ ଧରି ଓଡ଼ିଶାର ବିଭିନ୍ନ ସ୍ଥାନରେ ଗୁଡ୍ଡୁ ମୁସଲିମ୍ ରହିବା ପରେ ଏକ ପୋଷାକ ଭର୍ତ୍ତି ବ୍ୟାଗ୍ ଛାଡ଼ି ଦେଇ ସେ ପଳାଇଥିବା ଇଣ୍ଡିଆ ଟୁଡେରେ ରିପୋର୍ଟ ପ୍ରକାଶ ପାଇଛି ।

ଗୁଡ୍ଡୁ ମୁସଲିମର ସହଯୋଗୀ ରାଜା ଖାନକୁ ପୋଲିସ ପଚରାଉଚରା କରିଛି । ପୋଲିସ ନଜରରୁ ବର୍ତ୍ତିବା ଲାଗି ଗୁଡ୍ଡୁ ମୁସଲିମ୍ ଦାଢ଼ି ବଢ଼ାଇ ଦେଇଥିବା ରାଜା ଖାନ ସୂଚନା ଦେଇଛି । ଗୁଡ୍ଡୁ ମୁସଲିମ୍ ମୀରଟ, ଆଜମେର, ଝାନସୀ, ନାଶିକ, ପୁଣେ ଦେଇ ବରଗଡ଼ ଆସିଥିବା ସୂଚନା ପାଇଛି ୟୁପି ଏସଟିଏଫ୍ । ଏବେ ଗୁଡ୍ଡୁ ମୁସଲିମ୍ ଛତିଶଗଡ଼ରେ ଛପିଥିବା ଆଶଙ୍କା କରାଯାଉଛି ।

ଏହା ପୂର୍ବରୁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା ଗୁଡ୍ଡୁ ମୁସଲିମ୍ ପୁରୀ ଆସିଥିଲା ବୋଲି । ତେବେ ପୋଲିସ ଏ ଖବରକୁ ଖଣ୍ଡନ କରିଥିବା ବେଳେ ପରେ ୟୁପି ଏସଟିଏଫ ବରଗଡ଼ ଆସିବା ପରେ ଗୁଡ୍ଡୁ ମୁସଲିମ୍ ଓଡ଼ିଶା ଆସିଥିବା ସ୍ପଷ୍ଟ ହୋଇଥିଲା ।

ଅତିକ ଅହମ୍ମଦ ଗ୍ୟାଙ୍ଗର ଫେରାର୍ ସଦସ୍ୟଙ୍କ ମଧ୍ୟରୁ ଗୁଡ୍ଡୁ ମୁସଲିମକୁ ସବୁଠୁ ଘାତକ କୁହାଯାଏ । ଗୁଡ୍ଡୁ ମୁସଲିମ୍ କାହାକୁ ମାରିବା ଲାଗି ବନ୍ଧୁକ ବଦଳରେ ବୋମାକୁ ବେଶୀ ପସନ୍ଦ କରେ ।

Comments are closed.