Latest Odisha News

BREAKING NEWS

ନବଯୌବନ ଦର୍ଶନରୁ ନୀଳାଦ୍ରୀବିଜେ ଯାଏଁ ନିରନ୍ତର ସ୍ବାସ୍ଥ୍ୟସେବା ଲାଗି ନିର୍ଦ୍ଦେଶ

ଭୁବନେଶ୍ବର: ଚଳିତ ବର୍ଷ ମହାପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ଆରମ୍ଭ କରିଛି। କିଭଳି ଭାବରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ସେନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘନଘନ ଉଚ୍ଚ ସ୍ତରୀୟ ବୈଠକ ବସୁଛି। ଯାହା ସ୍ବାସ୍ଥ୍ୟ ବିଭାଗ ଅନ୍ତର୍ଗତ ବିଭିନ୍ନ ନିର୍ଦ୍ଦେଶାଳୟ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କରାଯାଇଥିବା ପ୍ରାକ୍ ପ୍ରସ୍ତୁତିର ସମୀକ୍ଷା କରି ମହାପ୍ରଭୁଙ୍କ ଯାତ୍ରା ସମୟରେ ସେବାୟତ,ଭକ୍ତ,ପର୍ଯ୍ୟଟକଙ୍କ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇଦେବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଉଛି।   ଔଷଧ ଓ ମାନବ ସମ୍ବଳ ଆଗୁଆ ପୁରୀରେ ପ୍ରସ୍ତୁତ ରଖିବା ପାଇଁ  ସ୍ବାସ୍ଥ୍ୟ ବିଭାଗ ଅଧିନସ୍ଥ ସମସ୍ତ ନିର୍ଦ୍ଦେଶାଳୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସାଧାରଣ ଭାବରେ ପୁରୀ ଜିଲ୍ଲାର ବିଭିନ୍ନ ସରକାରୀ ହସ୍ପିଟାଲରେ ସ୍ୱାସ୍ଥ୍ୟସେବାର ଦୃଢ଼ୀକରଣ, ଆବଶ୍ୟକୀୟ ସଂଖ୍ୟକ ଫାଷ୍ଟ୍ଏଡ୍ କେନ୍ଦ୍ର ସ୍ଥାପନ କରିବା ସହିତ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ଆମ୍ବୁଲାନ୍ସ ସେବା ବ୍ୟବସ୍ଥା, ପୁରୀରେ ଅଧିକ ଡାକ୍ତର ବିଶେଷଜ୍ଞ, ଡାକ୍ତର, ନର୍ସିଂ ଅଫିସର ଓ ପରାମେଡିକ୍ସ ନିୟୋଜନ, ଖାଦ୍ୟ ନିରାପତ୍ତା, କୌଣସି ପ୍ରକାର ସମ୍ଭାବ୍ୟ ସଂକ୍ରାମକ ରୋଗର ମୁକାବିଲା ଓ ନିୟନ୍ତ୍ରଣ, ଜନସ୍ବାସ୍ଥ୍ୟ ଓ ବ୍ୟାପକ ସଚେତନତା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।
ନବଯୌବନ ଦର୍ଶନ (୨୬ ଜୁନ) ରୁ ନୀଳାଦ୍ରୀ ବିଜେ( ୮ ଜୁଲାଇ) ପର୍ଯ୍ୟନ୍ତ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କେ.ଡି.ଏମ୍.ଏମ୍ ପୌରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର, ପୋଲିସ ହସ୍ପିଟାଲ, ସାକ୍ଷୀଗୋପାଳ, ମଙ୍ଗଳପୁର, ପିପିଲି ଷ୍ଟେସନ ରୋଡ, ରେବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଟି.ବି.ଆଇ.ଡି.ଏଚ୍ ହସ୍ପିଟାଲ, ଜଗନ୍ନାଥ ମେଡିକାଲ କଲେଜରେ ଅଧିକ ସଂଖ୍ୟକ ବେଡ୍, ଚିକିତ୍ସା ସୁବିଧା ଏବଂ ଔଷଧ ଆଦିର ବ୍ୟବସ୍ଥା କରିବା ପାଇଁ ସ୍ଥିର କରାଯାଇଛି।
ଚଳିତ ବର୍ଷ ଅଧିକ ମାତ୍ରାରେ ଫାଷ୍ଟ୍-ଏଡ୍ କେନ୍ଦ୍ର ଖୋଲିବା ପାଇଁ ସ୍ଥିର କରାଯାଇଛି। ଏହି କେନ୍ଦ୍ର ଗୁଡ଼ିକ ୩ ଟି ସିଫ୍ଟରେ ୨୪ ଘଣ୍ଟା ଧରି କାର୍ଯ୍ୟ କରିବେ। ପ୍ରତି ସିଫ୍ଟରେ ଜଣେ ଡାକ୍ତର, ଜଣେ ଫାର୍ମାସିଷ୍ଟ, ଜଣେ ବହୁମୁଖି ସ୍ବାସ୍ଥ୍ୟ ସେବକ ଓ ଜଣେ ସହାୟକ ନିୟୋଜିତ ରହିବେ। ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ୧୨ଟି, ସମୁଦ୍ରକୂଳରେ ୩ଟି, ତାଳବଣିଆ ବସ୍ ଷ୍ଟାଣ୍ଡ ଓ ରେଳ ଷ୍ଟେସନରେ ୩ଟି, ପୁରୀ ଭୁବନେଶ୍ବର ରାସ୍ତାରେ ୯ଟି, ପୁରୀ କୋଣାର୍କ ରାସ୍ତାରେ ୪ଟି, ପୁରୀ ସାତପଡ଼ା ରାସ୍ତାରେ ୨ଟି ଏହିପରି ୩୩ଟି ଫାଷ୍ଟ୍-ଏଡ୍ ସେବାକେନ୍ଦ୍ର ଖୋଲିବା ପାଇଁ ପ୍ରାଥମିକ ସ୍ତରରେ ନିଷ୍ପତ୍ତି ନିଆଯାଇଛି।
ସେହିପରି ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସମୁଦ୍ରକୂଳ, ସହର ଭିତର, ପୁରୀ-ଭୁବନେଶ୍ବର ରାସ୍ତା, ପୁରୀ-କୋଣାର୍କ ରାସ୍ତା ଓ ପୁରୀ-ସାତପଡ଼ା ରାସ୍ତାର ବିଭିନ୍ନ ସ୍ଥାନରେ ଅଧିକ ୩୧ଟି ଆମ୍ବୁଲାନ୍ସ ନିୟୋଜନ କରାଯିବ। ଅତିରିକ୍ତ ୭ଟି ୧୦୮-ଆମ୍ବୁଲାନ୍ସ ୨୦୩ ଜାତୀୟ ରାଜପଥର ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ନିୟୋଜିତ ହେବା ନେଇ ବୈଠକ ରେ ନିଷ୍ପତ୍ତି ହୋଇଛି।
ରଥଯାତ୍ରା ସମୟରେ ଜରୁରୀକାଳୀନ ସେବା ସଠିକ ଭାବରେ ପରିଚାଳନା କରିବା ପାଇଁ ୩୦୦ ରୁ ଅଧିକ ବିଶେଷଜ୍ଞ, ଡାକ୍ତର, ସଂକ୍ରାମକ ରୋଗ ବିଶେଷଜ୍ଞ, ଫାର୍ମାସିଷ୍ଟ, ନର୍ସିଂ ଅଫିସର, ବହୁମୁଖି ସ୍ବାସ୍ଥ୍ୟକର୍ମୀ, ଖାଦ୍ୟ ନିରାପତ୍ତା ଅଫିସର, ଡ୍ରେସର ଏବଂ ସହାୟକମାନଙ୍କୁ ନିୟୋଜିତ ରହିବେ। ଖାଦ୍ୟ ନିରାପତ୍ତା ଏବଂ ସମ୍ଭାବ୍ୟ ସଂକ୍ରମଣ ନିରାକରଣ ନିମନ୍ତେ ଲଗାତର ତନଖି, ଜଳଉତ୍ସ ବିଶୁଦ୍ଧିକରଣ, ଜଳର ଗୁଣାତ୍ମକ ମାନ ଯାଞ୍ଚ, ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଗୁଡିକ ଜାରି ରହିବ।
ତେବେ ଏହି ଉଚ୍ଚ ସ୍ତରୀୟ ବୈଠକରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଡାକ୍ତର ବୃନ୍ଦା.ଡି, ରାଜ୍ୟ ଔଷଧ ନିଗମ ପରିଚାଳନା ନିର୍ଦ୍ଦେଶକ ଡାକ୍ତର ପୋମା ଟୁଡୁ, ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ ନିର୍ଦ୍ଦେଶକ ଡାକ୍ତର ଅମରେନ୍ଦ୍ର ମହାନ୍ତିଙ୍କ ସମେତ ଜନସ୍ୱାସ୍ଥ୍ୟ ନିର୍ଦେଶକ ନୀଳକଣ୍ଠ ମିଶ୍ର ସମେତ ବିଭାଗର ବରିଷ୍ଠ ଅଧିକାରୀ, ବିଭିନ୍ନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ମାନେ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି।

Comments are closed.