Latest Odisha News

BREAKING NEWS

ଓଡ଼ିଶାରେ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସହ ଶୀତଳ ଭଣ୍ଡାର ସ୍ଥାପନ କରିବାକୁ ଗୁଜୁରାଟ କମ୍ପାନୀ ଆଗ୍ରହୀ

ଭୁବନେଶ୍ୱର: ଉତ୍କର୍ଷ ଓଡ଼ିଶା କନକ୍ଲେଭ ସଫଳତାର ସହ ଶେଷ ହୋଇଛି । ହେଲେ ଏହା ପରେ ମଧ୍ୟ ଓଡ଼ିଶାକୁ ନିବେଶକଙ୍କ ସୁଅ ଛୁଟିଛି । ବର୍ତ୍ତମାନ ଗୁଜୁରାଟର ଫଣିଧର ଗ୍ରୁପ ଓଡ଼ିଶାରେ ନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏହି ଗ୍ରୁପ ଓଡ଼ିଶାରେ ଶୀତଳ ଭଣ୍ଡାର କରିବା ସହିତ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ପ୍ରତିଷ୍ଠା କରିବା ନେଇ ଆଗ୍ରହ ଦେଖାଇଛନ୍ତି । ଏହି ପରିପ୍ରେକ୍ଷିରେ ଫଣିଧର ଗ୍ରୁପର ଚେୟାରମ୍ୟାନ କୃଣାଳ ପଟେଲ ଓ ପ୍ରେସିଡେଣ୍ଟ ଡ଼ ବିଭୁ ପ୍ରସାଦ ସ୍ଵାଇଁ ଆଜି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ସାକ୍ଷାତକରି ଏହି ବିଷୟରେ ଆଲୋଚନା କରିଛନ୍ତି ।

କୃଷିଭିତ୍ତିକ ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ଓଡ଼ିଶା ସରକାର ନିବେଶକ ଅନୁକୂଳ ନୀତି ନିର୍ଦ୍ଧାରିତ କରିଛନ୍ତି । ଏତଦବ୍ୟତୀତ ବିଭିନ୍ନ ଯୋଜନା ମାଧ୍ୟମରେ ସବସିଡ଼ି ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅନ୍ତର୍ଗତ ଦିଆ ଯାଉଥିବା ସୁବିଧାର ଲାଭ ମଧ୍ୟ ଏହି କମ୍ପାନୀ ପାଇ ପାରିବେ ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ।

ଫଣିଧର ଗ୍ରୁପ ଗୁଜୁରାଟର ଏକ ନାମକରା କୃଷି ଉଦ୍ୟୋଗ । ଗୁଜୁରାଟର ମେହେସାନାରେ ଏହାର ଏକ ମେଗା ଫୁଡ଼ ପାର୍କ ରହିଛି । ସେହିଭଳି ଏକ ମେଗା ଫୁଡ଼ ପାର୍କ ପରବର୍ତ୍ତୀ ସମୟରେ ଓଡ଼ିଶାରେ ମଧ୍ୟ ଖୋଲିବା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ଆଗରେ ଇଚ୍ଛାପ୍ରକାଶ କରିଛନ୍ତି ।

Comments are closed.