Latest Odisha News

BREAKING NEWS

କାମ ଚାପ ସତ୍ବେ ପରିବାର ପାଇଁ ଚାକିରି ଛାଡିପାରୁନଥିଲେ, କାଟିଦେଲେ ହାତ ଆଙ୍ଗୁଠି.

ସୁରଟ: ଗୁଜୁରାଟର ସୁରଟରେ ଜଣେ ବ୍ୟକ୍ତି କାମ ଚାପରୁ ରକ୍ଷା ପାଇବା ପାଇଁ ନିଜ ହାତ ଆଙ୍ଗୁଠି କାଟି ଦେଇଛନ୍ତି। ଏହା ପରେ ବ୍ୟକ୍ତି ଜଣକ ପୋଲିସରେ ଅଭିଯୋଗ କରିଥିଲେ ଯେ ତାଙ୍କ ଆଙ୍ଗୁଠି ଗାଏବ ହୋଇଯାଇଛି। ଯାହା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।

ପୋଲିସର ସୂଚନା ଅନୁଯାୟୀ, ଗୁଜୁରାଟର ସୁରଟରେ ରହୁଥିବା ମୟୂର ତାରପରା ନିଜ ସମ୍ପର୍କୀୟଙ୍କ ହୀରା ଫାର୍ମରେ କମ୍ପ୍ୟୁଟର ଅପରେଟର ଭାବରେ କାର୍ଯ୍ୟ କରୁଥିଲେ। ଡିସେମ୍ବର ୮ରେ ସେ ପୋଲିସ ନିକଟରେ ଅଭିଯୋଗ କରିଥିଲେ ଯେ ତାଙ୍କ ବାମ ହାତରେ ଥିବା ଆଙ୍ଗୁଠିଗୁଡିକ ଗାଏବ ହୋଇଯାଇଛି। ତାଙ୍କର ପ୍ରାରମ୍ଭିକ ବୟାନ ଅନୁଯାୟୀ, ମୟୂର ଘଟଣା ଘଟିଥିବା ରାତିରେ ସୁରଟର ବେଦାନ୍ତ ସର୍କଲ ନିକଟରେ ନିଜ ବନ୍ଧୁଙ୍କୁ ଅପେକ୍ଷା କରିଥିଲେ। ହେଲେ ୧ ଘଣ୍ଟା ପରେ ବି ତାଙ୍କ ସାଙ୍ଗ ନଆସିବାରୁ ସେ ଘରକୁ ଯିବାକୁ ସ୍ଥିର କରିଥିଲେ। ସେ ରାସ୍ତାରେ ଯାଉଥିବା ବେଳେ ମୁଣ୍ଡ ବୁଲାଇବାରୁ ଏକ ସ୍ଥାନରେ ଅଟକି ଯାଇଥିଲେ। ଯାହା ପରେ ସେ ବେହୋଶ ହୋଇପଡିଥିଲେ। ଚେତା ଫେରିବା ପରେ ତାଙ୍କ ବାମ ହାତର ଚାରି ଆଙ୍ଗୁଳି କଟି ଯାଇଥିଲା।

ପରେ ସେ ଜଣେ ବନ୍ଧୁଙ୍କ ସହାୟତାରେ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାକୁ ଯାଇଥିଲେ। ଡାକ୍ତରମାନେ ତାଙ୍କ କଟିଯାଇଥିବା ଆଙ୍ଗୁଳିର ଚିକିତ୍ସା କରି ସେହି ଦିନ ତାଙ୍କୁ ଡିସଚାର୍ଜ କରିଦେଇଥିଲେ। ଘଟଣାକୁ ନେଇ ସେ ପୋଲିସରେ ଅଭିଯୋଗ ମଧ୍ଯ କରିଥିଲେ।

ହେଲେ ଯେଉଁ ସ୍ଥାନରେ ଘଟଣା ଘଟିଥିଲା ​​ସେହି ସ୍ଥାନରେ ପୋଲିସକୁ କୌଣସି ରକ୍ତ ଦାଗ କିମ୍ବା ଅନ୍ୟ ପ୍ରମାଣ ମିଳିନଥିଲା। ଫଳରେ ମୟୂର ଉପରେ ସନ୍ଦେହ ବଢିଥିଲା। ପଚରାଉଚରା କରିବାରୁ ସେ ସତ ମାନିଥିଲେ। ତେବେ ସେ ପ୍ରଥମେ ତିନୋଟି ଆଙ୍ଗୁଳି କାଟିଥିଲେ ଏବଂ ପରେ ଚତୁର୍ଥ ଆଙ୍ଗୁଳିକୁ ମଧ୍ୟ କାଟି ଦେଇଥିଲେ।

ଡିସିପିଙ୍କ ଅନୁଯାୟୀ, ମୟୂର କାମ ଚାପରେ ବ୍ୟତିବ୍ୟସ୍ତ ହୋଇପଡିଥିଲେ। ସେ ଚାକିରି ଛାଡିବାକୁ ଚାହୁଁଥିଲେ ମଧ୍ଯ ତାଙ୍କ ପରିବାର ତାଙ୍କୁ ଏପରି କରିବାକୁ ବାରଣ କରିଥିଲା। ଫଳରେ କାର୍ଯ୍ୟ ଜାରି ରଖିବାକୁ ବାଧ୍ୟ ହୋଇଥିଲେ।

 

 

Leave A Reply

Your email address will not be published.