ଗୁଜରାଟ: ଦୀପାବଳି ପୂର୍ବରୁ ଗୁଜରାଟ ସରକାର ସିଏନଜି, ପିଏନଜିରେ 10 ପ୍ରତିଶତ ଭାଟ୍ ପ୍ରତ୍ୟାହାର କରିଛନ୍ତି। ଏଥିସହ ପ୍ରତିବର୍ଷ 38 ଲକ୍ଷ ହିତାଧିକାରୀଙ୍କୁ ଦୁଇଟି ରୋଷେଇ ଗ୍ୟାସ୍ ସିଲିଣ୍ଡର ମାଗଣାରେ ଦିଆଯିବ। ଯେଉଁମାନେ କେନ୍ଦ୍ରର ଉଜ୍ଜଳା ଯୋଜନାରେ ସିଲିଣ୍ଡର ନେଇଛନ୍ତି ସେମାନେ ପ୍ରତିବର୍ଷ ଦୁଇଟି ସିଲିଣ୍ଡର ପାଇବେ। ଗତକାଲି ଗୁଜରାଟ ସରକାର ଏହି ଘୋଷଣା କରିଛନ୍ତି। ଯେତେବେଳେ କି ଆଉ ମାସେ ମଧ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାକୁ ଯାଉଛି।
ପିଏନଜି, ସିଏନଜିରେ ଭାଟ ହ୍ରାସ ଏବଂ ଦୁଇଟି ମାଗଣା ଏଲପିଜି ସିଲିଣ୍ଡର ଯୋଜନା ଘୋଷଣା କରିବା ଦ୍ବାରା ଗୁଜରାଟ ସରକାର 1650 କୋଟି ଟଙ୍କା ରାଜସ୍ବ ଖର୍ଚ୍ଚ ଭରଣ କରିବେ।
ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାଗଣା ଯୋଜନା ପ୍ରଥା ଉପରେ ରୋକ୍ ଲଗାଇବାକୁ ପରାମର୍ଶ ଦେଇଥିଲେ। ଏହାକୁ ନେଇ ଏବେ ଦେଶରେ ବିତର୍କ ଜାରି ରହିଛି। ବିରୋଧୀ ଆମ୍ ଆଦମୀ ପାର୍ଟି ସମେତ କଂଗ୍ରେସ ଓ ଅନ୍ୟାନ୍ୟ ଆଞ୍ଚଳିକ ଦଳ ମଧ୍ୟରେ ଗୋଟିଏ ମତ ପାର୍ଥକ୍ୟ ଦେଖାଦେଇଛି। ଗୋଟିଏ ଜନକଲ୍ୟାଣ ସରକାରରେ ଏହି ବ୍ୟବସ୍ଥା କେତେ ଦୂର ଠିକ ତାକୁ ନେଇ ବିତର୍କ ଜାରି ରହିଛି। ନିକଟରେ ନିର୍ବାଚନ କମିଶନର ମଧ୍ୟ ଏ ସଂକ୍ରାନ୍ତରେ ଏକ ପରାମର୍ଶ ମଧ୍ୟ ରାଜନୈତିକ ଦଳଙ୍କ ଠାରୁ ଲୋଡିଛନ୍ତି।
ଏହି ସମୟରେ ଗୁଜରାଟର ବିଜେପି ସରକାର ମାଗଣା ସିଲିଣ୍ଡର ବାଣ୍ଟିବ ବୋଲି ଘୋଷଣା କରିଛି। ସମାନ ପ୍ରକାର ଘୋଷଣା ଆମ୍ ଆଦମୀ ପାର୍ଟି ମଧ୍ୟ ଗୁଜରାଟରେ ଘୋଷଣା କରିଛି। ଭୋଟ୍ ଦେଲେ ମାଗଣା ଇଲେକ୍ଟ୍ରି ସେବା ମିଳିବ ବୋଲି ଆପ୍ କହିଛି। ତେଣୁ ବିରୋଧୀଙ୍କୁ ମୁକାବିଲା କରିବାକୁ ଯାଇ ବିଜେପି ସରକାର ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି।
Comments are closed.