Latest Odisha News

ଦେଶର ୨୬ତମ ସିଇସି ଭାବେ ଦାୟିତ୍ଵ ନେଲେ ଜ୍ଞାନେଶ କୁମାର

ନୂଆଦିଲ୍ଲୀ: ଦାୟିତ୍ବ ନେଲେ ନୂଆ ମୁଖ୍ୟ ନିର୍ବାଚନ କମିଶନର । ଗତକାଲି ସିଇସି ପଦରୁ ରାଜୀବ କୁମାର ଅବସର ନେବା ପରେ ଆଜି କାର୍ଯ୍ୟଭାର ସମ୍ଭାଳିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର । ୨୦୨୯ ଜାନୁଆରୀ ୨୬ରେ ସରିବ ଜ୍ଞାନେଶଙ୍କ କାର୍ଯ୍ୟକାଳ ।

କେରଳର ୧୯୮୮ ଆଇଏଏସ୍ କ୍ୟାଡର୍ ଜ୍ଞାନେଶ କୁମାର ଏବେ ଦେଶର ୨୬ତମ ସିଇସି ଭାବରେ ଦାୟିତ୍ଵ ନେଇଛନ୍ତି । ୬୧ ବର୍ଷୀୟ ଜ୍ଞାନେଶ ସିଇସି ଭାବେ ଦାୟିତ୍ୱ ନେବା ପୂର୍ବରୁ କେନ୍ଦ୍ର ନିର୍ବାଚନ ଆୟୋଗରେ ଅନ୍ୟତମ କମିଶନର ଭାବେ ଦାୟିତ୍ୱ ତୁଲାଉଥିଲେ। ଜ୍ଞାନେଶ କୁମାର ସିଇସି ଭାବେ ପଦୋନ୍ନତି ପାଇବା ପରେ ୩ଜଣିଆ ନିର୍ବାଚନ ଆୟୁକ୍ତରେ ଗୋଟିଏ ପଦ ଖାଲି ହୋଇଥିଲା। ଏହି ସ୍ଥାନରେ ବିବେକ ଯୋଶୀଙ୍କୁ ନିଯୁକ୍ତି ମିଳିଛି। ପ୍ରକାଶ ଯୋଗ୍ୟ ଯେ, ୩ଜଣିଆ କେନ୍ଦ୍ର ନିର୍ବାଚନ ଆୟୋଗରେ ଜଣେ ମୁଖ୍ୟ ନିର୍ବାଚନ କମିଶନର ରହୁଥିବା ବେଳେ ଅନ୍ୟ ୨ଜଣ ନିର୍ବାଚନ କମିଶନର ଭାବେ ନିଯୁକ୍ତି ପାଇଥାନ୍ତି। ନିର୍ବାଚନ ଆୟୋଗରେ ଅନ୍ୟତମ କମିଶନର ଭାବେ ଏବେ ଡ. ସୁଖବୀନ୍ଦର ସିଂ ସାନ୍ଧୁ ଅବସ୍ଥାପିତ ଅଛନ୍ତି।

୨୦୨୪ ଲୋକ ସଭା ନିର୍ବାଚନ ସମେତ ଗୁରୁତ୍ୱପୂର୍ଣ୍ଣ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପରିଚାଳନାର ନେତୃତ୍ୱ ନେଇଥିବା ମୁଖ୍ୟ ନିର୍ବାଚନ କମିଶନର ତଥା ୧୯୮୪ ମସିହା ବିହାର/ଝାଡ଼ଖଣ୍ଡ ଆଇଏଏସ୍ କ୍ୟାଡର ରାଜୀବ କୁମାର ଗତକାଲି ଅବସର ଗ୍ରହଣ କରିଛନ୍ତି। ସେ ୨୦୨୦ ସେପ୍ଟେମ୍ବର ୧ରେ ନିର୍ବାଚନ କମିଶନର ଭାବେ ଯୋଗଦେଇଥିବାବେଳେ ୨୦୨୨ ମେ’ ୧୫ରେ ୨୫ତମ ସିଇସି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ନିର୍ବାଚନ କମିଶନର ଭାବେ ସେ ଏହି ସଂସ୍ଥାର ଗଠନ, ବୈଷୟିକ, ସାମର୍ଥ୍ୟ ବିକାଶ, ଯୋଗଯୋଗ, ଅନ୍ତର୍ଜାତୀୟ ସହଯୋଗ ଏବଂ ପ୍ରଶାସନିକ ସଂସ୍କାର ଦିଗରେ କାର୍ଯ୍ୟ କରିଥିଲେ। ସେ ୩୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ନିର୍ବାଚନ ପରିଚାଳନା ସମେତ ୨୦୨୨ରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ, ୨୦୨୪ର ଲୋକ ସଭା ନିର୍ବାଚନ ଓ ରାଜ୍ୟ ସଭା ନିର୍ବାଚନ ପରିଚାଳନା କରିଥିଲେ।

Comments are closed.