Latest Odisha News

BREAKING NEWS

H1N1 ଆଲର୍ଟ: ରାଜଧାନୀରେ ୬ ଗୁଣା ବଢ଼ିଲା ସଂକ୍ରମଣ ମାମଲା, ଅକ୍ସିଜେନ ସ୍ତର ହ୍ରାସକୁ ନେଇ ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ବର୍ତ୍ତମାନ H1N1 ବା ସ୍ୱାଇନ୍ ଫ୍ଲୁ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହି ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ଡାକ୍ତରମାନେ ସାଧାରଣ ଜନତାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସତର୍କ ସୂଚନା ଜାରି କରିଛନ୍ତି। ବିଶେଷ କରି ସଂକ୍ରମିତ ରୋଗୀଙ୍କ କ୍ଷେତ୍ରରେ ଦେଖାଦେଉଥିବା ଶ୍ୱାସକ୍ରିୟା ଜନିତ ସମସ୍ୟା ଏବଂ ଶରୀରରେ ଅକ୍ସିଜେନ୍ ସ୍ତର କମିଯିବା ଭଳି ଲକ୍ଷଣକୁ ହାଲୁକା ଭାବେ ନ ନେବାକୁ ପରାମର୍ଶ ଦିଆଯାଇଛି । ସାଧାରଣତଃ ଏହି ଫ୍ଲୁରେ ଆକ୍ରାନ୍ତ ହୋଇଥିବା ଅଧିକାଂଶ ରୋଗୀ ଘରୋଇ ତଥା ପ୍ରାଥମିକ ଚିକିତ୍ସାରେ ସୁସ୍ଥ ହୋଇଯାଆନ୍ତି। ତେବେ ସଂକ୍ରମଣ ଯଦି ଫୁସଫୁସର ତଳ ଅଂଶକୁ ବ୍ୟାପିଯାଏ, ତେବେ ତାହା ନିମୋନିଆ ଭଳି ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ ।

ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ବର୍ଷ ଅଗଷ୍ଟ ମାସ ସୁଦ୍ଧା ଦିଲ୍ଲୀରେ କେବଳ ୨୨୯ଟି H1N1 ମାମଲା ଚିହ୍ନଟ ହୋଇଥିଲା। କିନ୍ତୁ ଚଳିତ ବର୍ଷ ଅଗଷ୍ଟ ୧୨ ତାରିଖ ସୁଦ୍ଧା ଏହି ସଂଖ୍ୟା ୧,୪୪୯ରେ ପହଞ୍ଚିଛି। ଅର୍ଥାତ୍ ଗତ ବର୍ଷ ତୁଳନାରେ ମାମଲା ୬ ଗୁଣାରୁ ମଧ୍ୟ ଅଧିକ ବୃଦ୍ଧି ପାଇଛି। ଏହି ସ୍ଥିତିକୁ ଦୃଷ୍ଟିରେ ରଖି ରାମ ମନୋହର ଲୋହିଆ (RML) ଏବଂ ସଫଦରଜଙ୍ଗ ହସ୍ପିଟାଲ ସମେତ ରାଜଧାନୀର ଅନ୍ୟ ପ୍ରମୁଖ ଡାକ୍ତରଖାନାଗୁଡ଼ିକରେ ଆବଶ୍ୟକୀୟ ପ୍ରସ୍ତୁତିକୁ କଡ଼ାକଡ଼ି କରାଯାଇଛି ।

ଏସିଆନ୍ ହସ୍ପିଟାଲର ଇଣ୍ଟରନାଲ ମେଡିସିନ ବିଭାଗର ବରିଷ୍ଠ ଡାକ୍ତର ସୁନୀଲ ରାଣାଙ୍କ ସୂଚନା ଅନୁଯାୟୀ, H1N1 ହେଉଛି ଏକ ଇନ୍‌ଫ୍ଲୁଏଞ୍ଜା-ଏ ଭାଇରସ୍ । ସବୁ ରୋଗୀଙ୍କ କ୍ଷେତ୍ରରେ ଶ୍ୱାସକ୍ରିୟା ଜନିତ ସମସ୍ୟା ଦେଖାଦିଏ ନାହିଁ। କିନ୍ତୁ ଭାଇରସ୍ ଫୁସଫୁସରେ ପହଞ୍ଚିଲେ ଏହା ରକ୍ତକୁ ଅକ୍ସିଜେନ ଯୋଗାଇବା ପ୍ରକ୍ରିୟାକୁ ବାଧାପ୍ରାପ୍ତ କରିଥାଏ। ଫଳରେ ରୋଗୀର ଅକ୍ସିଜେନ୍ ଲେଭଲ୍ ଦ୍ରୁତ ହ୍ରାସ ପାଏ ଏବଂ ହାଇପୋକ୍ସିଆ, ଏକ୍ୟୁଟ୍ ରେସ୍ପିରେଟୋରୀ ଡିଷ୍ଟ୍ରେସ୍ ସିଣ୍ଡ୍ରୋମ୍ ବା ରେସ୍ପିରେଟୋରୀ ଫେଲ୍ୟୁର୍ ଭଳି ସମସ୍ୟା ଉପୁଜିଥାଏ ।

ଡାକ୍ତରଙ୍କ ମତରେ ବିଶ୍ରାମ ନେଉଥିବା ସମୟରେ ମଧ୍ୟ ନିଶ୍ୱାସ ନେବାରେ କଷ୍ଟ ହେବା, ଛାତିରେ ଯନ୍ତ୍ରଣା ବା ଚାପ ଅନୁଭବ କରିବା, ଜୋରରେ ଶ୍ୱାସ ନେବା, ଓଠ ନୀଳ ବା ହଳଦିଆ ପଡ଼ିଯିବା ଏବଂ ଅତ୍ୟଧିକ ନିଦ୍ରାଳୁ ଭାବ ଦେଖାଦେବା ରୋଗର ଗମ୍ଭୀର ଅବସ୍ଥାକୁ ସୂଚାଇଥାଏ। ସେହିପରି ପଲ୍ସ ଅକ୍ସିମିଟରରେ ଅକ୍ସିଜେନ୍ ସାଚୁରେସନ୍ କ୍ରମାଗତ ଭାବେ ୯୦ ପ୍ରତିଶତରୁ କମ୍ ରହିଲେ ତୁରନ୍ତ ଅକ୍ସିଜେନ୍ ଥେରାପି ଆବଶ୍ୟକ ହୋଇଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏହିସବୁ ଲକ୍ଷଣକୁ ବିପଦଜନକ ବୋଲି ଦର୍ଶାଇଛି ।

ଶେଷରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସ୍ପଷ୍ଟ କରିଛନ୍ତି ଯେ, ଏହି ସ୍ଥିତିରେ ଲୋକେ ଆତଙ୍କିତ ନ ହୋଇ ସତର୍କ ରହିବା ଦରକାର। ସାଧାରଣ ଥଣ୍ଡା ବା କାଶ ହେଲେ ତାହାକୁ ଗମ୍ଭୀର H1N1 ବୋଲି ଭାବିବା ଉଚିତ ନୁହେଁ । କିନ୍ତୁ କ୍ରମାଗତ ଭାବେ ନିଶ୍ୱାସ ପ୍ରଶ୍ୱାସରେ ବାଧା ଉପୁଜିଲେ କିମ୍ବା ଜ୍ୱର କମିବା ପରିବର୍ତ୍ତେ ବଢ଼ିଲେ, ଏହାକୁ ଆଦୌ ଅଣଦେଖା କରନ୍ତୁ ନାହିଁ । ଠିକ୍ ସମୟରେ ଡାକ୍ତରୀ ପରୀକ୍ଷା ଓ ଉପଯୁକ୍ତ ଚିକିତ୍ସା କଲେ ରୋଗୀଙ୍କ ଜୀବନ ରକ୍ଷା କରାଯାଇପାରିବ ।

Leave A Reply

Your email address will not be published.