Latest Odisha News

BREAKING NEWS

ଭାଙ୍ଗିଗଲା ଆମେରିକା ସ୍ବପ୍ନ

ନୂଆଦିଲ୍ଲୀ: ପାଦରେ ବେଡି, ହାତରେ ହ୍ୟାଣ୍ଡକଫ୍ । ଆମେରିକା ଏୟାରଫୋର୍ସର ବିମାନରେ ମୁଣ୍ଡ ତଳକୁ କରି ଏଭଳି ସ୍ଥିତିରେ ଭାରତ ଫେରିଛନ୍ତି ପ୍ରବାସୀ। ଆମେରିକା ଚାହିଁଥିଲେ ଏମାନଙ୍କୁ ସାଧାରଣ ଯାତ୍ରୀ ବିମାନରେ ଭାରତ ପଠାଇ ପାରିଥାନ୍ତା, କାରଣ ଏମାନେ କେହି କୁଖ୍ୟାତ ଅପରାଧୀ ନୁହନ୍ତି । ହେଲେ ଅଧିକ ଖର୍ଚ୍ଚ କରି ଅବୈଧ ଭାରତୀୟ ପ୍ରବାସୀଙ୍କୁ ଜାଣିଶୁଣି ଯୁଦ୍ଧ ବିମାନରେ ପଠାଇ ପ୍ରତୀକାତ୍ମକ ସନ୍ଦେଶ ଦେଇଛି ଆମେରିକା । ସେପଟେ ଅନେକ କଷ୍ଟ କରି ସେଠାରେ ପହଞ୍ଚିଥିବା ୧୦୪ ଭାରତୀୟଙ୍କ ପାଇଁ ଆମେରିକା ସ୍ବପ୍ନ ଦୁସ୍ବପ୍ନ ପାଲଟିଛି । ସେପଟେ ପ୍ରବାସୀଙ୍କୁ ଏଭଳି ଭାରତ ପଠାଇବାକୁ ନେଇ ସଂସଦରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

ଆମେରିକାରେ ପହଞ୍ଚିଲି ଏମିତି

ଅନେକ ସ୍ବପ୍ନ ନେଇ ବହୁ କଷ୍ଟ ପରେ ଆମେରିକାରେ ପହଞ୍ଚିଥିଲେ ଆକାଶଦୀପ । ୨୦୨୧ରେ ଦ୍ବାଦଶ ପରୀକ୍ଷା ଦେବା ପରେ ବିଦେଶ ଯିବାକୁ ଉଦ୍ୟମ କରିଥିଲେ । କାନାଡା ଯିବାକୁ ପରୀକ୍ଷା ଦେଲେ ହେଲେ ପାସ୍ ହେଲେନି । ପରେ ଦୁବାଇ ଯାଇ ସେଠାରୁ ଜଣେ ଏଜେଣ୍ଟଙ୍କ ସହାୟତାରେ ଆମେରିକା ଯାଇଥିଲେ ଆକାଶଦୀପ । ହେଲେ ଆମେରିକା ଯିବା ପାଇଁ ଜମି ବିକି, ଋଣ ନେଇ ୪୫ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ତାଙ୍କ ପରିବାର । ଏବେ ଆକାଶଦୀପ ଭାରତ ଫେରିଥିବା ବେଳେ ଋଣଭାରରେ ବୁଡିଛନ୍ତି ତାଙ୍କ ପରିବାର । ଆକାଶଦୀପଙ୍କ ପରି ଯଶପାଲ ସିଂ ବି ଭାରତ ଫେରିଛନ୍ତି । ଆଇନଗତ ଭାବେ ଆମେରିକା ନେବାକୁ କଥା ଦେଇଥିଲା ଏଜେଣ୍ଟ । ହେଲେ ପ୍ରଥମେ ବ୍ରାଜିଲ ଓ ପରେ ବିପଜ୍ଜନକ ଡଙ୍କିରୁଟ୍ ଦେଇ ଆମେରିକାରେ ପହଞ୍ଚିଥିଲେ ଯଶପାଲ । ହେଲେ ତାଙ୍କୁ ୟୁଏସ୍ ବର୍ଡର ପାଟ୍ରୋଲ ଗିରଫ କରି ୧୧ଦିନ ଅଟକ ରଖିବା ପରେ ଭାରତ ପଠାଇଛନ୍ତି ।

ଆମେରିକା ସ୍ବପ୍ନ ଭାୟା ଡଙ୍କି ରୁଟ୍

କେବଳ ଆକାଶଦୀପ କି ଯଶପାଲ ନୁହନ୍ତି, ଆମେରିକାରୁ ଫେରିଥିବା ଅଧିକାଂଶ ପ୍ରବାସୀଙ୍କର ଏଭଳି ସମାନ କାହାଣୀ । କିଏ ବ୍ରାଜିଲରୁ ତ କିଏ ମେକ୍ସିକୋ ବାଟ ଦେଇ ଆମେରିକାରେ ପହଞ୍ଚିଥିଲେ । ଡଙ୍କିରୁଟ୍ ଦେଇ ଆମେରିକା ଯାତ୍ରା ବି ବେଶ୍ ଯନ୍ତ୍ରଣାଦାୟକ । ୧୭ରୁ ୧୮ପାହାଡ ଅତିକ୍ରମ କରିବାକୁ ପଡୁଥିଲା । ପାଦ ଖସିଲେ ଜୀବନ ଗଲା । ଆହତ ହୋଇ ପଡିଗଲେ ବି ଉଠାଇବାକୁ କେହି ନାହାନ୍ତି । କେତେବେଳେ ଘନ ଜଙ୍ଗଲ ତ କେତେବେଳେ ପ୍ରବଳ ଥଣ୍ଡା ପୁଣି କେତେବେଳେ ଅଥଳ ସମୁଦ୍ର। ଯନ୍ତ୍ରଣାଦାୟକ ଯାତ୍ରା ପରେ ଆମେରିକାରେ ପହଞ୍ଚି ସ୍ବପ୍ନ ପୂରଣ କରିବା ପୂର୍ବରୁ ଏମାନଙ୍କୁ ନେବାକୁ ପଡିଛି ଅପମାନଜନକ ବିଦାୟ।

ପରିବାର ପାଇଁ ଆମେରିକା ଦୁସ୍ବପ୍ନ

୧୦୪ଜଣ ପ୍ରବାସୀ ଫେରିଥିବା ବେଳେ ଏବେ ଅଧିକାଂଶଙ୍କ ପରିବାର ଉପରେ ଋଣ ବୋଝ । ହରିୟାଣାର ୩୩ଜଣ ପ୍ରବାସୀ ଆମେରିକାରୁ ଫେରିଥିବା ବେଳେ ଏହା ମଧ୍ୟରୁ ୧୪ଜଣ ହେଉଛନ୍ତି କେବଳ କୁରୁକ୍ଷେତ୍ର ଜିଲ୍ଲୀର । ଗୁଜରାଟରୁ ୩୩, ପଞ୍ଜାବରୁ ୩୦, ୟୁପି ଓ ମହାରାଷ୍ଟ୍ରରୁ ୩ଜଣ ଲେଖାଏଁ ଓ ଦୁଇ ଜଣ ଚଣ୍ଡୀଗଡ଼ରୁ ରହିଛନ୍ତି । ଆମେରିକା ଯିବାକୁ କିଏ ଘର ବନ୍ଧା ପକାଇ ଟଙ୍କା ଯୋଗାଡ଼ କରିଛି ତ କିଏ ପ୍ରବଳ ଋଣ କରିଛି । ଆମେରିକାରେ ଭଲ ଚାକିରି ପାଇଁ ଆଶା କରି ବସିଥିବା ପରିବାର ଆଖିରେ ଏବେ ଲୁହ । କାରଣ ଯେଉଁ ଆଶାରେ ଆମେରିକା ପଠାଇଥିଲେ ଏବେ ତାହା ଭାଙ୍ଗି ଯାଇଛି ।

ପ୍ରବାସୀଙ୍କୁ ଆମେରିକା ଅପମାନଜନକ ଢଙ୍ଗରେ ଫେରାଇବାକୁ ନେଇ ସଂସଦରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସାଂସଦ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ଅଖିଳେଶ ଯାଦବଙ୍କ ସହ ବହୁ ବରିଷ୍ଠ ନେତା ଏଥିରେ ଯୋଗ ଦେଇଥିଲେ । ସାଂସଦମାନେ ହାତରେ ହ୍ୟାଣ୍ଡକଫ ଲଗାଇ ପ୍ରତୀକାତ୍ମକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେପଟେ ଆମେରିକାରୁ ପ୍ରବାସୀଙ୍କୁ ଫେରାଇବା ପ୍ରକ୍ରିୟା ନୂଆ ନୁହେଁ ବୋଲି ଗୃହରେ କହିଛନ୍ତି ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର । ଏଥିସହ ଦେଶକୁ ଫେରୁଥିବା ପ୍ରବାସୀଙ୍କ ସହ ଯେପରି ଖରାପ ବ୍ୟବହାର ନହୁଏ ସେନେଇ ଆମେରିକା ସରକାରଙ୍କ ସହ ଆଲୋଚନା ଚାଲିଥିବା ସେ କହିଛନ୍ତି ।

Comments are closed.