Rajya Sabha Seats: ହରଦୀପ ପୁରୀଙ୍କ ବାଜିମାତ୍! ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବିରୋଧ ନିର୍ବାଚିତ, କୋର୍ଟ ଯିବ କଂଗ୍ରେସ…
ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନରେ ବିଜେପିର ବଡ଼ ବାଜିମାତ୍! ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବିରୋଧ ନିର୍ବାଚିତ ହେଲେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ। ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କ ନାମାଙ୍କନ ପତ୍ର ଖାରଜ ହେବା ପରେ ପୁରୀଙ୍କ ପାଇଁ ରାଜ୍ୟସଭା ଆସନର ବାଟ ସଫା ହୋଇଯାଇଥିଲା। ନଭେମ୍ବର ୫ ତାରିଖ ଗୁରୁବାର ଦିନ ରିଟର୍ଣ୍ଣିଂ ଅଫିସର ତାଙ୍କୁ ନିର୍ବିରୋଧ ନିର୍ବାଚିତ ଘୋଷଣା କରିଛନ୍ତି। ତେବେ ଏହି ନିଷ୍ପତ୍ତିକୁ ନେଇ ରାଜନୈତିକ ବିବାଦ ତେଜିଛି। କଂଗ୍ରେସ ଏହାକୁ ଭାରତୀୟ ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି କହିବା ସହ ନିଷ୍ପତ୍ତି ବିରୋଧରେ କୋର୍ଟର ଦ୍ୱାରସ୍ଥ ହେବାକୁ ଘୋଷଣା କରିଛି।
ମଧ୍ୟପ୍ରଦେଶ ରାଜ୍ୟସଭା ଉପନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ କାଣ୍ଟେ ସାୟନ୍ନା ଏବଂ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ରାଜକୁମାର ଲୋହାନୀଙ୍କ ନାମାଙ୍କନ ପତ୍ର ଖାରଜ ହୋଇଥିଲା। ମଙ୍ଗଳବାର ନାମାଙ୍କନ ଯାଞ୍ଚର ଶେଷ ଦିନରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଫଳରେ ନିର୍ବାଚନୀ ମଇଦାନରେ କେବଳ ହରଦୀପ ସିଂହ ପୁରୀ ରହିଥିଲେ। ଅକ୍ଟୋବର ୩୧ ତାରିଖ ଶନିବାର ଦିନ ପୁରୀ ନିଜର ନାମାଙ୍କନ ଦାଖଲ କରିଥିଲେ। ଏହି ସମୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ବିଜେପିର ରାଜ୍ୟ ସଭାପତି ହେମନ୍ତ ଖଣ୍ଡେଲୱାଲ ଏବଂ ଅନ୍ୟ ବରିଷ୍ଠ ଦଳୀୟ ନେତାମାନେ ଉପସ୍ଥିତ ଥିଲେ। ନିର୍ବିରୋଧ ନିର୍ବାଚିତ ଘୋଷଣା ପରେ ହେମନ୍ତ ଖଣ୍ଡେଲୱାଲ ନିର୍ବାଚନ ସମ୍ପର୍କିତ ପ୍ରମାଣପତ୍ର ଗ୍ରହଣ କରିଥିଲେ।
ହରଦୀପ ସିଂହ ପୁରୀଙ୍କ ନାମାଙ୍କନ ପତ୍ରକୁ ନେଇ ମଧ୍ୟ ଆପତ୍ତି ଉଠିଥିଲା। ଦୁଇ ସ୍ୱାଧୀନ ପ୍ରାର୍ଥୀ ଏବଂ କଂଗ୍ରେସ ନେତା ହେମନ୍ତ କଟାରେ ପୁରୀଙ୍କ ନାମାଙ୍କନକୁ ବିରୋଧ କରିଥିଲେ। ସେମାନଙ୍କ ଅଭିଯୋଗ ଥିଲା ଯେ, ନାମାଙ୍କନ ସହ ଦାଖଲ କରାଯାଇଥିବା ଫର୍ମ-୨୬ର ଆଫିଡେଭିଟ୍ ଅବୈଧ ଏବଂ ଅସମ୍ପୂର୍ଣ୍ଣ। ଏହି ଆପତ୍ତିଗୁଡ଼ିକର ଯାଞ୍ଚ କରିଥିଲେ ରିଟର୍ଣ୍ଣିଂ ଅଫିସର ଉମେଶ ଶର୍ମା। ଯାଞ୍ଚ ପରେ ସେ କହିଥିଲେ ଯେ, ପୁରୀଙ୍କ ନାମାଙ୍କନରେ କୌଣସି ତ୍ରୁଟି ମିଳିନାହିଁ ଏବଂ ଜନପ୍ରତିନିଧି ଆଇନର କୌଣସି ନିୟମ ଉଲ୍ଲଂଘନ ହୋଇନାହିଁ। ତେଣୁ ନାମାଙ୍କନକୁ ବୈଧ ଘୋଷଣା କରାଯାଇଥିଲା।
ନାମାଙ୍କନ ଖାରଜ ଏବଂ ରିଟର୍ଣ୍ଣିଂ ଅଫିସରଙ୍କ ନିଷ୍ପତ୍ତିକୁ ନେଇ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ଦେଇଛି। କଂଗ୍ରେସ ନେତା ହେମନ୍ତ କଟାରେ ଏବଂ ବିଧାୟକ ଆତିଫ ଆକିଲ ଏହି ନିଷ୍ପତ୍ତି ବିରୋଧରେ କୋର୍ଟକୁ ଯିବେ ବୋଲି କହିଛନ୍ତି। ଏନେଇ କଂଗ୍ରେସ ପକ୍ଷରୁ କୁହାଯାଇଛି, “ଏହା ଭାରତୀୟ ଗଣତନ୍ତ୍ର ଉପରେ ଆକ୍ରମଣ। ଏତେ ଗୁରୁତ୍ୱପୂର୍ଣ୍ଣ ତ୍ରୁଟି ଥିବା ସତ୍ତ୍ୱେ ନାମାଙ୍କନ ପତ୍ର ଖାରଜ କରାଗଲା ନାହିଁ।” ଏହି ନିଷ୍ପତ୍ତିର ଆଇନଗତ ଲଢ଼େଇ ଏବେ କୋର୍ଟରେ ହେବା ସମ୍ଭାବନା ରହିଛି।
କେନ୍ଦ୍ରମନ୍ତ୍ରୀ ଏଲ୍. ମୁରୁଗନ ରାଜ୍ୟସଭାରୁ ଇସ୍ତଫା ଦେବା ପରେ ମଧ୍ୟପ୍ରଦେଶର ଏହି ଆସନ ଖାଲି ହୋଇଥିଲା। ଏହି ଆସନ ପାଇଁ ବିଜେପି ହରଦୀପ ସିଂହ ପୁରୀଙ୍କୁ ପ୍ରାର୍ଥୀ କରିଥିଲା। ବର୍ତ୍ତମାନ ପୁରୀ ଉତ୍ତରପ୍ରଦେଶରୁ ରାଜ୍ୟସଭା ସଦସ୍ୟ ଅଛନ୍ତି। ସେଠାରେ ତାଙ୍କ କାର୍ଯ୍ୟକାଳ ନଭେମ୍ବର ୨୫ରେ ଶେଷ ହେବାକୁ ଯାଉଛି। ମଧ୍ୟପ୍ରଦେଶରେ ବିଜେପି ସରକାର ଥିବାରୁ ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ବିଜୟ ଆଶା କରାଯାଉଥିଲା। ରାଜନୀତିକୁ ଆସିବା ପୂର୍ବରୁ ହରଦୀପ ସିଂହ ପୁରୀଙ୍କର ଦୀର୍ଘ କୂଟନୈତିକ କ୍ୟାରିୟର ଥିଲା। ସେ ୧୯୭୪ ବ୍ୟାଚ୍ର ଭାରତୀୟ ବିଦେଶ ସେବା (IFS) ଅଧିକାରୀ ଥିଲେ। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ। ୩୯ ବର୍ଷର କୂଟନୈତିକ ସେବା ପରେ ୨୦୧୩ ଫେବୃଆରୀରେ ସେ ଅବସର ନେଇଥିଲେ। ଏହାପରେ ୨୦୧୪ ଜାନୁଆରୀ ୨ରେ ବିଜେପିରେ ଯୋଗ ଦେଇଥିଲେ। ୨୦୧୪ରେ କେନ୍ଦ୍ରରେ ବିଜେପି ସରକାର ଗଠନ କରିବା ପରେ ସେ ମୋଦୀ କ୍ୟାବିନେଟ୍ରେ ସାମିଲ ହୋଇଥିଲେ। ଏବେ ମଧ୍ୟପ୍ରଦେଶରୁ ନିର୍ବିରୋଧ ରାଜ୍ୟସଭା ନିର୍ବାଚନ ପରେ ପୁରୀଙ୍କ ରାଜନୈତିକ ଯାତ୍ରାକୁ ଆଉ ଏକ ନୂଆ ଅଧ୍ୟାୟ ମିଳିଛି।
