Latest Odisha News

ହରିୟାଣା : କ’ଣ କଂଗ୍ରେସର ସମ୍ଭାବ୍ୟ ବିଜୟର କାରଣ, କେଉଁଠି ରହିଲା ବିଜେପିର ଭୁଲ୍?

ନୂଆଦିଲ୍ଲୀ: ବିଭିନ୍ନ ଗଣମାଧ୍ୟମ ଓ ଏଜେନସୀର ଏକଜିଟ୍ ପୋଲ୍ ଆକଳନ ଅନୁସାରେ ଏଥର ହରିୟାଣାରେ ଗଠନ ହେବ କଂଗ୍ରେସ ସରକାର । ଏକଜିଟ୍ ପୋଲ୍ ପୂର୍ବାନୁମାନ ଅନେକ ଥର ଭୁଲ ସାବ୍ୟସ୍ତ ହୋଇଛି । ହେଲେ ଏଥର ଗୋଟିଏ ବି ଏକଜିଟ୍ ପୋଲ୍ ହରିୟାଣାରେ ବିଜେପି ହ୍ୟାଟ୍ରିକ କରିବ ବୋଲି ପୂର୍ବାନୁମାନ କରିନାହାନ୍ତି । ଆଉ ଏକଜିଟ୍ ପୋଲ୍ ଯଦି ସତ ସାବ୍ୟସ୍ତ ହୁଏ, ତାହା ହେଲେ ଦୀର୍ଘ ୧୦ ବର୍ଷ ପରେ ହରିୟାଣାର ଶାସନ କ୍ଷମତାକୁ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିବ କଂଗ୍ରେସ । ତେବେ କଂଗ୍ରେସର ସମ୍ଭାବ୍ୟ ବିଜୟର ଶ୍ରେୟ କାହାରିକୁ ମିଳିବ ଓ ବିଜେପିର ପରାଜୟ ପଛରେ କେଉଁ ସବୁ କାରଣ ଦାୟୀ, ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି ।

ରାହୁଲ ଗାନ୍ଧିଙ୍କ ଲୋକପ୍ରିୟତା ବିଜେପିକୁ ମହଙ୍ଗା ପଡିଲା ?

ବିଜେପି ବିରୋଧରେ ରାହୁଲ ଗାନ୍ଧିଙ୍କ ଜୋରଦାର ଅଭିଯାନ ଏବଂ ସମ୍ବିଧାନ ବଂଚାଅ -ସଂରକ୍ଷଣ ବଂଚାଅ ନାରା ଗତ ଲୋକସଭା ନିର୍ବାଚନରେ କଂଗ୍ରେସକୁ ସଫଳତା ଦେଇଥିଲା । ପୂର୍ବାପେକ୍ଷା ଅଧିକ ଆସନ ପାଇଥିଲା କଂଗ୍ରେସ ଓ ଇଂଡି ମେଂଟ । ରାହୁଲ ଗାନ୍ଧିଙ୍କ ଗ୍ରହଣୀୟତା ଓ ନେତୃତ୍ୱ ପ୍ରତି ଆସ୍ଥା ଆଗ ଅପେକ୍ଷା ଅଧିକ ବଢିଛି ବୋଲି କିଛି ବିଶେଷଜ୍ଞ କହୁଛନ୍ତି । କଂଗ୍ରେସର ସମ୍ବିଧାନ ବଂଚାଅ-ସଂରକ୍ଷଣ ବଂଚାଅ ଅଭିଯାନର ଉଚିତ ମୁକାବିଲା କରିପାରିବାରେ ଏଥର ମଧ୍ୟ ବିଫଳ ହୋଇଛି ବିଜେପି । ହରିୟାଣାରେ ଏଥର କଂଗ୍ରେସ କର ବା ମର ଆଭିମୁଖ୍ୟ ନେଇ ପ୍ରଚାର ଆରମ୍ଭ କରିଥିଲା । ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଜୋରଦାର ନିର୍ବାଚନ ପ୍ରଚାର କରିବା ସହ ଦଳରେ ଆଭ୍ୟନ୍ତରୀଣ କନ୍ଦଳ ମଧ୍ୟ ଦୂର କରିବାକୁ ଚେଷ୍ଟା କରିଥିଲେ ।

ହୁଡ୍ଡା ପରିବାର ଅସଲ ଶ୍ରେୟର ହକଦାର୍ ?

ହରିୟାଣା ବିଧାନସଭା ନିର୍ବାଚନରେ ଏଥର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡା ଓ ତାଙ୍କ ପୁଅ କଂଗ୍ରେସର ବିଜୟ ପାଇଁ ବେଶ୍ ପରିଶ୍ରମ କରିଥିବା କୁହାଯାଉଛି । ବାପା ଭୂପିନ୍ଦର ଓ ପୁଅ ଦୀପେନ୍ଦ୍ର ଉଭୟେ ମୁଖ୍ୟମନ୍ତ୍ରୀ ପାଇଁ ଦାବିଦାର ବୋଲି କହି ବିଜେପି ତାତ୍ସଲ୍ୟ କରିଥିଲା । ହେଲେ ହୁଡ୍ଡା ବାପା-ପୁଅ ଏଥର ରାଜ୍ୟରେ ଅଧିକ ସଂଖ୍ୟାରେ ରାଲି ଓ ସାଧାରଣ ସଭା କରି କଂଗ୍ରେସ ପାଇଁ ଭୋଟ୍ ମାଗିଥିଲେ । ହରିୟାଣାରେ ହୁଡ୍ଡା ପରିବାରର ପ୍ରଭାବ ଏବେ ମଧ୍ୟ ରହିଛି । ତୃଣମୂଳସ୍ତରରେ ହୁଡ୍ଡା ପରିବାର ପ୍ରତି ସମର୍ଥନ ରହିଛି । ୨୦୧୯ରେ ଭୂପିନ୍ଦର ସିଂହ ହୁଡ୍ଡାଙ୍କ ଉପକେ ରାହୁଲ ଗାନ୍ଧିଙ୍କ ଆସ୍ଥା ନଥିଲା । ଅଶୋତ ତନୱରଙ୍କ ଉପରେ ରାହୁଲ ଗାନ୍ଧି ଭରସା କରିଥିବାରୁ ଗତ ନିର୍ବାଚନର ଫଳ ଓଲଟା ହୋଇଥିଲ ବୋଲି କିଛି ସମାଲୋଚକ କହନ୍ତି । କେବଳ ଭୂପିନ୍ଦର ସିଂହ ହୁଡ୍ଡା ହିଁ କଂଗ୍ରେସକୁ ଜିତାଇ ପାରିବେ ବୋଲି ଦଳର ଅଧିକାଂଶ ନେତା ବିଶ୍ୱାସ କରୁଥିଲେ । ଯଦି କଂଗ୍ରେସ  କ୍ଷମତାକୁ ଆସେ , ତାହା ହେଲେ ହୁଡ୍ଡା ପରିବାର ଶ୍ରେୟର ଅସଲ ହକଦାର ବୋଲି ବିଶେଷଜ୍ଞ ମହଲରେ ମତ ପ୍ରକାଶ ପାଇଛି ।

ବିଜେପିର ସମ୍ଭାବ୍ୟ ପରାଜୟର କାରଣ

ଅନେକ ଯୁକ୍ତି କରିପାରନ୍ତି ଯେ, ବିଜେପି ଗତ ୧୦ ବର୍ଷ ଧରି କ୍ଷମତାରେ ଥିବାରୁ ସରକାର ବିରୋଧୀ ହାୱା ଦ୍ୱାରା କଂଗ୍ରେସକୁ ଫାଇଦା ହୋଇଛି । କିନ୍ତୁ ରାଜନୈତିକ ବ୍ୟାପାର ବିଶେଷଜ୍ଞଙ୍କ କହିବା ଅନୁସାରେ ବିଜେପିର ପଲିଟିକାଲ ମ୍ୟାନେଜମେଂଟ୍ ଏଥର ହରିୟାଣାରେ ଫେଲ୍ ମାରିଛି । ବିଜେପିର ପ୍ରାକ୍ ନିର୍ବାଚନ ଗ୍ୟାମ୍ବଲ କାମ ଦେଇନାହିଁ । ପ୍ରଥମେ ବିଜେପି ଜେଜେପି ସହ ମେଂଟ ଶେଷ କରିଥିଲା । ଜେଜେପି ଯଦି ଏକାକୀ ନିର୍ବାଚନ ଲଢେ, ତାହା ହେଲେ ଗୁରୁତ୍ୱପୂର୍ଣ୍ଣ ଜାଠ୍ ଭୋଟ ବିଭାଜନ ହେବ ବୋଲି ଆଶା କରିଥିଲା ବିଜେପି । କିନ୍ତୁ ଏଥର ଜାଠମାନେ ବିଜେପି ସହ ଜେଜେପିକୁ ମଧ୍ୟ ପ୍ରତ୍ୟଖ୍ୟାନ କରିଥିବା ବିଭିନ୍ନ ଏକଜିଟ ପୋଲ୍ ବିଶ୍ଳେଷଣରୁ ଜଣାପଡିଛି । ଜାଠ୍ ଭୋଟରମାନେ ଏଥର ପୂର୍ବତ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡା ଓ  କଂଗ୍ରେସ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ନିର୍ବାଚନ ପୂର୍ବରୁ  ଅରବିନ୍ଦ କେଜରୀୱାଲଙ୍କୁ ଜେଲରୁ ଛାଡିଦିଆଯାଇଥିଲା । ଆମ୍ ଆଦମୀ ପାର୍ଟି , କଂଗ୍ରେସକୁ ଅଡୁଆରେ ପକାଇବ ବୋଲି ଆଶା କରିଥିଲେ ବିଜେପି ନେତୃବୃନ୍ଦ । କିନ୍ତୁ କେଜରୀୱାଲ କଂଗ୍ରେସକୁ ପରୋକ୍ଷ ସମର୍ଥନ କରିଥିବା ମନେ ହେଉଛି । ବିଜେପି ପଲିଟିକାଲ ମ୍ୟାନେଜମେଂଟର ଗୋଟିଚାଳନା ଏଥର ଠିକ୍ ହୋଇନାହିଁ ବୋଲି ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି ।

 

Leave A Reply

Your email address will not be published.