Latest Odisha News

ଶ୍ରୀମୟୀଙ୍କୁ ଅସମ୍ମାନ…କହିବା ଲୋକ କିଏ?

ଭୁବନେଶ୍ବର: ଶଙ୍ଖଭବନରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଅସମ୍ମାନ ! ମନ୍ମଥ ରାଉତରାୟ ଓ ପ୍ରଦୀପ ସାହୁ କଲେ ଅସମ୍ମାନ ! ଖୋର୍ଦ୍ଧା ଜିଲ୍ଲା ବିଜେଡିର ସମୀକ୍ଷା ବୈଠକରେ ଶ୍ରୀମୟୀଙ୍କୁ ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବେଗୁନିଆ ବିଧାୟକ ପ୍ରଦୀପ ସାହୁ ଅସମ୍ମାନ କରିଥିବା ଚର୍ଚ୍ଚା ହେଉଛି । ସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବା ପରେ ବରିଷ୍ଠ ନେତାମାନେ ସମାଧାନ କରିବାକୁ ଉଦ୍ୟମ କରିବା ସହ ଆକଟ କରିଥିଲେ । ତେବେ ପ୍ରଦୀପ ଓ ଶ୍ରୀମୟୀଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଥିଲେ ବି ମନ୍ମଥ ବୈଠକ ଛାଡି ଚାଲି ଯାଇଥିବା କୁହାଯାଉଛି । ଘଟଣା ନେଇ ବିଜେଡିର କୌଣସି ନେତା ମୁହଁ ଖୋଲିନାହାନ୍ତି । ତେବେ ଶ୍ରୀମୟୀ କହିଛନ୍ତି, କହିବା ଲୋକ ବଡ଼ ନୁହେଁ ସହିବା ଲୋକ ବଡ଼ ।

ଶ୍ରୀମୟୀଙ୍କୁ କାହିଁକି ଅସମ୍ମାନ?

ଖୋର୍ଦ୍ଧା ସାଂଗଠନିକ ଜିଲ୍ଲାର ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ ଭୁବନେଶ୍ବର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷିକା ଶ୍ରୀମୟୀ ମିଶ୍ର । ସାଂଗଠନିକ ସ୍ଥିତିକୁ ନେଇ ଆଲୋଚନା ଚାଲିଥିବା ବେଳେ ଶ୍ରୀମୟୀଙ୍କୁ ମନ୍ମଥ ରାଉତରାୟ ଆକ୍ଷେପ କରିଥିବା ଚର୍ଚ୍ଚା ହେଉଛି । ଶ୍ରୀମୟୀଙ୍କ ପାଇଁ ବିଜେଡି ଭୁବନେଶ୍ବର ଲୋକସଭା ହାରିଥିବା ମନ୍ମଥ ଆକ୍ଷେପ କରିଥିଲେ। ମନ୍ମଥଙ୍କ କିଛି ସମର୍ଥକ ବି ଗାଳିଗୁଲଜ କରିବାକୁ ପଛାଇ ନଥିଲେ । ଏନେଇ ଶ୍ରୀମୟୀ ଆପତ୍ତି ଉଠାଇବା ପରେ ମନ୍ମଥ ତାଙ୍କ ପ୍ରତି ଶସ୍ତା ଟିପ୍ପଣୀ ଦେଇଥିବା ଚର୍ଚ୍ଚା ହେଉଛି । ଏପରିକି ବେଗୁନିଆ ବିଧାୟକ ପ୍ରଦୀପ ସାହୁ ଶ୍ରୀମୟୀଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିଲେ ବୋଲି କୁହାଯାଉଛି । ବରିଷ୍ଠ ନେତାମାନେ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିବା ବେଳେ ମନ୍ମଥ ଦଳୀୟ ସଂଗଠନକୁ ସମାଲୋଚନା କରିଥିଲେ । ବରିଷ୍ଠ ନେତା ଆକଟ କରିବା ପରେ ମନ୍ମଥ ସେଠାରୁ ପଳାଇଥିଲେ । ପ୍ରଦୀପ ନିଜ ମନ୍ତବ୍ୟ ପାଇଁ ଦୁଃଖପ୍ରକାଶ କରିବା ପରେ ସ୍ଥିତି ଶାନ୍ତ ପଡିଥିଲା।

କହିବା ଲୋକ ନୁହେଁ ସହିବା ଲୋକ ବଡ଼

ଶଙ୍ଖଭବନରେ କଥା କଟାକଟି ଘଟଣା ନେଇ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମୟୀ ମିଶ୍ର । ଯାହା ବି ହୋଇଛି ତାହା ଦଳର ଆଭ୍ୟନ୍ତରୀଣ ବ୍ୟାପାର । ତେବେ ଯୁଗେ ଯୁଗେ ଲେଖା ଅଛି, ଯେଉଁମାନେ ମହିଳାଙ୍କୁ ଅସମ୍ମାନ କରିଛନ୍ତି ତାର ଫଳ ପାଇଛନ୍ତି । କହିବା ଲୋକ ବଡ ନୁହେଁ ସହିବା ଲୋକ ବଡ଼ । ପ୍ରଦୀପ ସାହୁ ତାଙ୍କର ବଡଭାଇ, ନିର୍ବାଚନ ବେଳେ ସେ ବହୁତ ସହଯୋଗ କରିଛନ୍ତି । କାହାର କେଉଁଠି ମନାନ୍ତର ମତାନ୍ତର ରହିଛି, ସେନେଇ ଦଳର ସଭାପତି ନିଷ୍ପତ୍ତି ନେବେ ବୋଲି ଶ୍ରୀମୟୀ କହିଛନ୍ତି ।

‘ମହିଳା ବି ଶିଖନ୍ତୁ ସମ୍ମାନ ଦେବା’

ବୈଠକର ଭିତର କଥା ବାହାରକୁ ଆସିବା କଥା ନୁହେଁ । ସଦସ୍ୟତା ପାଇଁ କଣ ରୋଡମ୍ୟାପ ହେବ । ସମସ୍ତଙ୍କର ମତ ଭିନ୍ନ ଭିନ୍ନ ହୋଇପାରେ ବୋଲି ମନ୍ମଥ ରାଉତରାୟ କହିଛନ୍ତି । ବିଜେଡି ଗଣତାନ୍ତ୍ରିକ ଦଳ । ସମସ୍ତଙ୍କର ଭିନ୍ନ ଭିନ୍ନ ମତ ରହିପାରେ । ମହିଳାଙ୍କ ପ୍ରତି ବହୁତ ଅଧିକ ସମ୍ମାନ ରହିଛି । ତେବେ ମହିଳା ବି ସମସ୍ତଙ୍କୁ ସମ୍ମାନ ଦେଇ ଶିଖିବା ଦରକାର । ପରସ୍ପରକୁ ସମ୍ମାନ ଦେବା ଦରକାର ବୋଲି ମନ୍ମଥ କହିଛନ୍ତି । ସେପଟେ ଖୋର୍ଦ୍ଧା ଜିଲ୍ଲା ବୈଠକରେ ସେଭଳି କିଛି ହୋଇନଥିବା ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି । କଥା କଟାକଟି ପ୍ରସଙ୍ଗରେ ଆଲୋଚନା ଚାଲିଛି । ସଂଗଠନକୁ ନେଇ ଏଭଳି ଘଟଣା ସାମନାକୁ ଆସିଲେ ତାର ସମାଧାନ କରାଯାଉଥିବା ଦେବୀ ମିଶ୍ର କହିଛନ୍ତି ।

ଗତ ନିର୍ବାଚନରେ ପ୍ରଥମେ ଭୁବନେଶ୍ବର ଲୋକସଭା ପାଇଁ ଶ୍ରୀମୟୀ ମିଶ୍ରଙ୍କୁ ପ୍ରୋଜେକ୍ଟ କରିଥିଲା ବିଜେଡି। ତେବେ ଶେଷ ମୁହୁର୍ତ୍ତରେ ବରିଷ୍ଠ ରାଜନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ଟିକେଟ ଦେଇ ପ୍ରାର୍ଥୀ କରିଥିଲା ଦଳ । ଏହା ପରଠୁ ଶ୍ରୀମୟୀଙ୍କୁ ଦେଖିବାକୁ ମିଳିନଥିଲା । ଏକପ୍ରକାର ଗାଏବ ହୋଇଯାଇଥିଲେ ଶ୍ରୀମୟୀ । ତେବେ ବିଜେଡି ନିର୍ବାଚନ ହାରିବା ପରେ ପୁଣି ସୋସିଆଲ ମିଡିଆ ଓ ସାଂଗଠନିକ କାର୍ଯ୍ୟରେ ଶ୍ରୀମୟୀଙ୍କୁ ଦେଖିବାକୁ ମିଳିଥିଲା । ଏହାପରେ ପୁଣି ଖୋର୍ଦ୍ଧା ଜିଲ୍ଲା ସମୀକ୍ଷା ବେଳେ ତାଙ୍କୁ ଅସମ୍ମାନ ଘଟଣା ସାମନାକୁ ଆସିଛି ।

Leave A Reply

Your email address will not be published.