Latest Odisha News

BREAKING NEWS

ଦିଲ୍ଲୀରେ କାହାର କେତେ ଦମ୍ ?

ନୂଆଦିଲ୍ଲୀ:  ଦିଲ୍ଲୀ ଦଙ୍ଗଲରେ ଆମ ଆଦମୀ ପାର୍ଟି, ବିଜେପି ଓ କଂଗ୍ରେସ ମଧ୍ୟରେ ମହାମୁକାବିଲା। ଦୁର୍ନୀତି ଅଭିଯୋଗରେ ଘେରି ହୋଇଥିବା ଆପ୍ ବିଜୟର ହ୍ୟାଟ୍ରିକ ମାରିବାକୁ ଉଦ୍ୟମ ଚଳାଇଛି। ସେପଟେ ବାଜି ଓଲଟାଇବାକୁ ଦମ୍ ଦେଖାଉଛି ବିଜେପି। କ୍ଷମତାର ବନବାସ ସାରି ଫେରିବାକୁ ଲଢେଇ କରୁଛି କଂଗ୍ରେସ। 2015 ଓ 2020 ନିର୍ବାଚନରେ ଆପ୍ 67 ଓ 62ଟି ସିଟ୍ ଜିତି କ୍ଷମତା ଦଖଲ କରିଥିଲା। ବିଜେପି 2015ରେ 3ଟି ତ 2020ରେ 8ଟି ସିଟ୍ ଜିତିବାରେ ସଫଳ ହୋଇଥିଲା। ହେଲେ ଏଥର ଆପର ବିଜୟ ରଥ ଅଟକାଇବାକୁ ଉଭୟ ବିଜେପି ଓ କଂଗ୍ରେସ ରଣନୀତି କରୁଛନ୍ତି।

ଆପର ଶକ୍ତି କେତେ, ଦୁର୍ବଳତା କଣ?
ଆପର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଅରବିନ୍ଦ କେଜ୍ରିଓ୍ବାଲ ରହିଛନ୍ତି। ଏହା ଦଳ ପାଇଁ ସବୁଠୁ ବଡ ବଳ। ଦିଲ୍ଲୀ ରାଜନୀତିର ସବୁଠୁ ପ୍ରମୁଖ ଚେହେରା କେଜ୍ରିଓ୍ବାଲଙ୍କ ନେତୃତ୍ବରେ ଏକ ଦଶକରୁ ଅଧିକ ସମୟ ଧରି ଦିଲ୍ଲୀରେ କ୍ଷମତା ଦଖଲ କରିଛି ଆପ୍। ବିଜୁଳି, ପାଣି, ସବସିଡି ଭଳି ଲୋକପ୍ରିୟ ଯୋଜନା ଭୋଟରଙ୍କ ସହ ଆପର ତାଳମେଳକୁ ମଜବୁତ କରିଛି। ତେବେ ଦୁର୍ନୀତି ଅଭିଯୋଗ ଆସିବା ପରେ ଆପ୍ ନେତୃତ୍ବ ଉପରେ ପ୍ରଶ୍ନ ଉଠିଛି। ବିଶେଷ କରି ମଦ ନୀତିକୁ ନେଇ ଛନ୍ଦି ହୋଇଛନ୍ତି ଦଳର ବଡ ନେତା। ମୁଖ୍ୟମନ୍ତ୍ରୀ ଆବାସ ମରାମତିକୁ ନେଇ ବି ଘେରୁଛନ୍ତି ବିରୋଧୀ। ବିଧାୟକଙ୍କ ପ୍ରତି ଜନଅସନ୍ତୋଷ ବଢିଛି। ଏହାର ପ୍ରଭାବ ଟିକେଟ ବଣ୍ଟନରେ ବି ଦେଖିବାକୁ ମିଳିଛି। ଯମୁନା ସଫେଇ, ସ୍ବଚ୍ଛତା ଓ ଭିତ୍ତିଭୂମି ଭଳି ଅନେକ ପ୍ରତିଶ୍ରୁତି ପୂରଣ କରିବାରେ ଆପ୍ ବିଫଳ ରହିଛି। ଯାହା ଦଳକୁ ମହଙ୍ଗା ପଡିପାରେ। ଏସବୁ ପରେ ବି ବିଜେପି ଓ କଂଗ୍ରେସ ପାଖରେ ସେଭଳି ଦିଲ୍ଲୀ ନେତୃତ୍ବ ଅଭାବ ଆପକୁ ଫାଇଦା ଦେଇପାରେ।

ବିଜେପିର କେତେ ଦମ୍ ?
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ବିଜେପି ପାଇଁ ଦିଲ୍ଲୀରେ ସବୁଠୁ ବଡ଼ ବଳ। ଲୋକସଭା ଝଟକା ପରେ ବି ହରିୟାଣା ଓ ମହାରାଷ୍ଟ୍ରରେ ଜିତିଛି ବିଜେପି। ଦିଲ୍ଲୀରେ ସମାନ ରଣନୀତି ଦୋହରାଇବାକୁ ଯାଉଛି ବିଜେପି। ତେବେ 25ବର୍ଷରୁ ଅଧିକ ସମୟ ଧରି ଦିଲ୍ଲୀରେ ନିଜକୁ ପ୍ରମାଣିତ କରିବାରେ ବିଫଳ ହୋଇଛି ବିଜେପି। ସ୍ଥାନୀୟ ନେତୃତ୍ବ ଅଭାବ ଏହା ପଛର କାରଣ। ଦୁର୍ନୀତି ଅଭିଯୋଗ ପରେ ଆପ୍ ଚାପରେ ରହିଥିବା ବେଳେ କଂଗ୍ରେସଠୁ ଅଲଗା ହେବା ଦଳର ଭୋଟବ୍ୟାଙ୍କ ବିଭାଜନ କରିପାରେ। ଏହାର ଫାଇଦା ବିଜେପିକୁ ମିଳିପାରେ। ତେବେ ଦିଲ୍ଲୀ ନିର୍ବାଚନ ହାରିଲେ ତେବେ ସାରା ଦେଶରେ ସବୁଠୁ ବଡ ଦଳ ପାଲଟିଥିବା ବିଜେପିର ଇମେଜକୁ କ୍ଷତି ହେବ।

କଂଗ୍ରେସ କରିବ କି କମାଲ ?
ଦିଲ୍ଲୀରେ ମୁସଲିମ ଓ ଦଳିତ ଭୋଟଙ୍କ ମଧ୍ୟରେ ନିଜ ସ୍ଥିତି ମଜବୁତ କରିବାରେ ଲାଗିଛି କଂଗ୍ରେସ। ସମ୍ବିଧାନ ଓ ସଂଖ୍ୟାଲଘୁ ଭଳି ପ୍ରସଙ୍ଗ ଦିଲ୍ଲୀରେ ଦଳକୁ ଲାଭ ଦେଇପାରେ। ରାହୁଲ ଗାନ୍ଧୀଙ୍କ ପରି କେନ୍ଦ୍ରୀୟ ନେତା ବି ଦିଲ୍ଲୀରେ କଂଗ୍ରେସ ପାଇଁ ପ୍ରଚାର କରିପାରନ୍ତି। ତେବେ ଦଳର ସାଂଗଠନିକ ଢାଞ୍ଚା ଦୁର୍ବଳ ରହିଛି। 15ବର୍ଷ ଧରି ଦିଲ୍ଲୀରେ କ୍ଷମତାରେ ରହିଥିଲେ ମଧ୍ୟ ଅନ୍ୟ ରାଜ୍ୟ ଭଳି ଏଠାରେ କଂଗ୍ରେସର ସେଭଳି ନେତୃତ୍ବ ନାହାନ୍ତି। ଆପ୍, ବିଜେପି ଭଳି ପ୍ରତିଦ୍ବନ୍ଦ୍ବୀଙ୍କ ତୁଳନାରେ କଂଗ୍ରେସର ସ୍ଥିତି ଦୁର୍ବଳ ରହିଛି। 2020 ଓ 2025ରେ 5ପ୍ରତିଶତରୁ କମ୍ ଭୋଟ୍ ଓ ଆଦୌ ସିଟ୍ ଜିତିନଥିବା କଂଗ୍ରେସ ପାଖରେ ନିର୍ବାଚନରେ ହରାଇବାକୁ କିଛି ନାହିଁ। ତେଣୁ ନିଜ ସମର୍ଥନ ଆଧାରକୁ ମଜବୁତ କରିବାକୁ ଉଦ୍ୟମ କରୁଛି ଦଳ।

ଏଥର ଦିଲ୍ଲୀ ନିର୍ବାଚନରେ ବାଜି ଲାଗିଛି ସବୁ ଦଳର ଭବିଷ୍ୟତ। ଆପ ଦିଲ୍ଲୀରେ ନିଜ କବଜା ବଜାୟ ରଖିବାକୁ ଜୋରଦାର ଉଦ୍ୟମ କରୁଛି ତ ବିଜେପି କ୍ଷମତା ଦଖଲ କରିବାକୁ ଜାନ୍ ଲଗାଇଛି। ଏକା ନିର୍ବାଚନ ଲଢୁଥିବା କଂଗ୍ରେସ ବି ନିଜ ଦମ୍ ଲଗାଇଛି।
ବ୍ୟୁରୋ ରିପୋର୍ଟ, ଓଡିଶା ସମ୍ବାଦ

Leave A Reply

Your email address will not be published.