Latest Odisha News

BREAKING NEWS

ମହିଳାଙ୍କ ମନ ଜିଣିଛି ଏଲ୍ଆଇସି ବୀମା ସଖୀ ଯୋଜନା, ମାସକରେ ହେଲାଣି ପଚାଶ ହଜାର ପଞ୍ଜୀକରଣ

ନୂଆଦିଲ୍ଲୀ:ମାସକ ତଳେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ମହିଳାମାନଙ୍କ ପାଇଁ ଏଲଆଇସି ବୀମା ସଖୀ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ଆରମ୍ଭ ହେବାର  ଏକ ମାସ ବିତିଗଲାଣି ଏବଂ ଏହା ଏକ ହିଟ୍ ବୋଲି ପ୍ରମାଣିତ ହୋଇଛି । ସରକାରଙ୍କ ଏହି ଯୋଜନାକୁ ମହିଳାମାନେ ବହୁତ ପସନ୍ଦ କରୁଛନ୍ତି । ଏଥିପାଇଁ ଏକ ମାସରେ ପଚାଶ ହଜାର ପଞ୍ଜୀକରଣ ଆସିଛି । ଦଶମ ଶ୍ରେଣୀ ପାସ କରିଥିବା ମହିଳାଙ୍କୁ ମାସିକ ଦରମା ସାତ ହଜାର ଟଙ୍କା ଓ କମିଶନ ମିଳିଥାଏ ।

ଗତ ବୁଧବାର ଦିନ ଏଲଆଇସି ପକ୍ଷରୁ କୁହାଯାଇଛି ଯେ, ଏହି ଯୋଜନା ଆରମ୍ଭ ହେବାର ଏକ ମାସ ପୂରଣ ହେବା ଭିତରେ ବୀମା ସଖୀଙ୍କ ପାଇଁ ମୋଟ ପଞ୍ଜୀକରଣ ସଂଖ୍ୟା ୫୨,୫୧୧ରେ ପହଞ୍ଚିଛି। ୨୭,୬୯୫ ବୀମା ସଖୀମାନଙ୍କୁ ପଲିସି ବିକ୍ରୟ ପାଇଁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି ଏବଂ ୧୪,୫୮୩ ବୀମା ସଖୀମାନେ ପଲିସି ବିକ୍ରି କରିବା ଆରମ୍ଭ କରି ଦେଇଛନ୍ତି ।

ଏଲଆଇସି ସିଇଓ ସିଦ୍ଧାର୍ଥ ମହାନ୍ତି କହିଛନ୍ତି ଯେ, ଗୋଟିଏ ବର୍ଷ ମଧ୍ୟରେ ଦେଶର ପ୍ରତ୍ୟେକ ପଞ୍ଚାୟତରେ ଅତି କମରେ ଜଣେ ବୀମା ସଖି ନିଯୁକ୍ତି କରିବା ଆମର ଲକ୍ଷ୍ୟ। ସେ କହିଛନ୍ତି ଯେ, ମହିଳାମାନଙ୍କୁ ସଠିକ୍ କୌଶଳ ସହିତ ପ୍ରସ୍ତୁତ କରିବା ଏବଂ ସେମାନଙ୍କୁ ଡିଜିଟାଲ୍ ଉପକରଣ ସହିତ ସଶକ୍ତ କରିବା କରି ବୀମା ସଖୀ ଧାରାକୁ ମଜବୁତ କରୁଛୁ । ଏହି ଯୋଜନାରେ ପଲିସି ବିକ୍ରିରେ ଅର୍ଜନ ହୋଇଥିବା କମିଶନ ବ୍ୟତୀତ ତିନି ବର୍ଷ ପାଇଁ ମାସିକ ଟଙ୍କାର ଲାଭ ମଧ୍ୟ ଅନ୍ତର୍ଭୁକ୍ତ ।

ଯୋଜନା ଅଧୀନରେ ଚୟନ ହେବା ପରେ ୩ ବର୍ଷର ତାଲିମ ଅବସରରେ ପ୍ରଥମ ବର୍ଷ ୭ ହଜାର, ଦ୍ୱିତୀୟ ବର୍ଷ ୬ ହଜାର ଏବଂ ତୃତୀୟ ବର୍ଷ ୫ ହଜାର ଟଙ୍କା ମାସିକ ଦରମା ଦିଆଯିବ । ୧୮ ବର୍ଷରୁ ଆରମ୍ଭ କରି ୭୦ ବର୍ଷ ବୟସ ପର୍ଯ୍ୟନ୍ତ ଯେକୌଣସି ମହିଳା ଏ ଯୋଜନା ପାଇଁ ଆବେଦନ କରିପାରିବେ ।  ଏଲ୍‌ଆଇସିର  ନିକଟସ୍ଥ ଶାଖା କିମ୍ବା ଅଫିସିଆଲ ୱେବ୍‌ସାଇଟ୍‌ରେ ଏଥିପାଇଁ ଆବେଦନ କରାଯାଇପାରିବ । ଆବେଦନ କରିବା ପାଇଁ ବୟସ ପ୍ରମାଣପତ୍ର, ଆଡ୍ରେସ ପ୍ରୁଫ୍‌ ଏବଂ ଦଶମ ପାସ୍‌ ସାର୍ଟିଫିକେଟ୍‌ର ସେଲ୍‌ଫ ଆଟେଷ୍ଟେଡ୍‌ କପି ଆଟାଚ୍‌ କରିବାକୁ ହେବ । ଯେଉଁ ମହିଳା ବା ବୀମା ସଖୀ ଗ୍ରାଜୁଏଟ୍‌ ହୋଇଥିବେ, ସେମାନଙ୍କୁ ଏଲ୍‌ଆଇସିରେ ଡେଭଲପ୍‌ମେଣ୍ଟ ଅଫିସରର ଭୂମିକାରେ କାର୍ଯ୍ୟ କରିବାର ବି ସୁଯୋଗ ମିଳିବ । କୌଣସି ଏଲ୍‌ଆଇସି ଏଜେଣ୍ଟ ବା କର୍ମଚାରୀଙ୍କ ସମ୍ପର୍କୀୟ ଏ ଯୋଜନା ପାଇଁ ଆବେଦନ କରିପାରିବେ ନାହିଁ । ଏଲ୍‌ଆଇସିର କୌଣସି ପୂର୍ବତନ କର୍ମଚାରୀ, ପୂର୍ବ ଏଜେଣ୍ଟ ଅବା ବର୍ତ୍ତମାନର ଏଜେଣ୍ଟମାନଙ୍କ ଆବେଦନ ବି ଏହା ଅଧୀନରେ ଖାରଜ କରି ଦିଆଯିବ ।

 

Comments are closed.