ପୁରୀ: ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଦୁର୍ଲଭ ହାତୀ ବେଶରେ ସଜ୍ଜିତ ହୋଇ ଦର୍ଶନ ଦେଲେ ଚତୁର୍ଦ୍ଧା ମୂରତି । ଏହି ସମୟରେ ଆବେଗ ମୟ ଜନ ସମୁଦ୍ର ପାଲଟିଥିଲା ବଡ଼ଦାଣ୍ଡ । ସମସ୍ତଙ୍କ ମୁହଁରୁ ଭାସି ଆସୁଥିଲା ଜୟ ଶ୍ରୀଜଗନ୍ନାଥ ଡାକ । ଘଣ୍ଟ ଘଣ୍ଟା, ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହେଉଥିଲା ସମଗ୍ର ଶ୍ରୀକ୍ଷେତ୍ର । ତେବେ ଚଳିତ ବର୍ଷ ଶୃଙ୍ଖଳିତ ଭାବେ ଶେଷ ହୋଇଛି ମହାପ୍ରଭୁଙ୍କ ସ୍ନାନ ନୀତି । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୫ଟା ୩୦ରେ ମଙ୍ଗଳାର୍ପଣ ସରିଥିବା ବେଳେ ପୁଷ୍ପାଞ୍ଜଳି ଓ ଡୋର ଲାଗି ହୋଇ ଧାଡି ପହଣ୍ଡିରେ ସ୍ନାନମଣ୍ଡପରେ ବିରାଜିତ ହୋଇଥିଲେ ଚତୁର୍ଦ୍ଧା ବିଗ୍ରହ ।
ପରେ ମଦନମୋହନ ବିଜେ ହୋଇ ମଙ୍ଗଳଆଳତି, ମଇଲମ, ତଡପଲାଗି ନୀତି ସରିବା ପରେ ଅଧର ପୋଛା ନୀତି ସମ୍ପନ୍ନ ହୋଇଥିଲା । ସୂର୍ଯ୍ୟପୂଜା ,ଦ୍ୱାରପାଳ ପୂଜା ପରେ ପୂର୍ବରୁ ଅଧିବାସ ଗୃହରେ ଅଧିବାସ ହୋଇ ରହିଥିବା ୧୦୮ ଗଡୁ ସୁବାସିତ ଜଳକୁ ଗରାବଡୁ ସେବକ ମାନେ ସ୍ନାନମଣ୍ଡପକୁ ବିଜେ କରାଇଥିଲେ । ପରେ ଜଳପୂଜା, ସ୍ନାନ, ମଇଲମ, ମେକାପ ସର୍ବାଙ୍ଗ, ନୂଆ ଲୁଗା ଲାଗି ଶେଷ ହୋଇ ଛେରାପହଁରା କରିସାରିବା ପରେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ହାତୀବେଶ ସମ୍ପର୍ନ ହୋଇଥିଲା । ତେବେ ଦ୍ୱାଦ୍ଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ଏହି ଯାତ୍ରାର ସମସ୍ଥ ନୀତି କାନ୍ତି ଶୃଙ୍ଖଳିତ ଓ ସୁରୁଖୁରୁରେ ସମ୍ପନ୍ନ ହୋଇଥିବା କହିଛନ୍ତି ସେବାୟତ ।
ସ୍ନାନପୂର୍ଣ୍ଣିମା ନୀତି ସହ ଜଡିତ ସମସ୍ତ ସେବାୟତ ସମନ୍ୱୟ ଭିତିରେ ସମସ୍ତ ନୀତି ସୁରୁଖୁରୁରେ ସମ୍ପାଦନ କରିଥିବା ବେଳେ ସ୍ନାନ ବେଦୀରେ ମହାପ୍ରଭୁଙ୍କ ସ୍ନାନ ନୀତି ଚର୍ମଚକ୍ଷୁରେ ଦେଖି ଭକ୍ତଗଣ ବିଭୋର ହୋଇପଡିଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟେ ସହରକୁ ବିଭିର୍ଣ୍ଣ ଜୋନରେ ବିଭକ୍ତ କରାଯାଇଥିବା ସହ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୭୦ରୁ ଉର୍ଦ୍ଧ ପ୍ଲାଟୁନ ଫୋର୍ସ ସହ ୨୫୦ରୁ ଉର୍ଦ୍ଧ୍ବ ଅଧିକାରୀ ମୁତୟନ କରାଯାଇଥିଲା । ମହଗାପ୍ରଭୁଙ୍କର ଗଜାନନ ବେଶକୁ ଶୃଙ୍ଖଳିତ ଦର୍ଶନ କରିବା ପାଇଁ ବ୍ୟପକ ବ୍ୟବସ୍ଥା କରାଯାଇଛି l ରାତି ପ୍ରାୟ ୧୧ଟା ପର୍ଯ୍ୟନ୍ତ ହାତୀ ବେଶରେ ଦର୍ଶନ ପାଇପାରିବେ ଭକ୍ତ ଶ୍ରଦ୍ଧାଳୁ l ମହାପ୍ରଭୁଙ୍କ ଏହି ଦିବ୍ୟ ଦୁର୍ଲଭ ଦର୍ଶନ କରି ଭକ୍ତ ଶ୍ରଦ୍ଧାଳୁ ମାନେ ନିଜକୁ କୃତକୃତ୍ୟ ମନେ କରିଛନ୍ତି l
ତେବେ ସ୍ନାନମଣ୍ଡପରେ ୧୦୮ ଗରା ଜଳରେ ପ୍ରତକ୍ଷ୍ୟ ସ୍ନାନ ପରେ ଚତୁର୍ଦ୍ଧାମୂରତି ଜ୍ୱର ରୋଗରେ ପୀଡିତ ହେବେ । ଏହି ସମୟରେ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ ନ ପାଇ ପଟିଦିଅକୁ ଦର୍ଶନ କରିବେ ।
Comments are closed.