ଭୁବନେଶ୍ୱର: ପୂର୍ବରୁ ଘୋଷଣା କରାଯାଇଥିବା ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (ଏଚ୍ଏସ୍ଆରପି) ଲଗାଇ ନଥିବା ଗାଡ଼ି ମାଲିକଙ୍କ ବିରୋଧରେ ଓଡ଼ିଶା ପରିବହନ ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଅନୁପାଳନକୁ କଡ଼ାକଡ଼ି କରିବା ପାଇଁ ଶୁକ୍ରବାର ରାଜ୍ୟବ୍ୟାପୀ ବ୍ୟାପକ ଅଭିଯାନ ଆରମ୍ଭ ହୋଇଛି।
ଜାତୀୟ ରାଜପଥରେ ଖୋର୍ଦ୍ଧା ପାର୍ଶ୍ୱରୁ ଭୁବନେଶ୍ୱରକୁ ପ୍ରବେଶ କରୁଥିବା ଗାଡ଼ିଗୁଡ଼ିକୁ ଆରଟିଓ ଅଧିକାରୀମାନେ ବ୍ୟାପକ ଯାଞ୍ଚ କରିଛନ୍ତି। ସହରର ବିଭିନ୍ନ ସ୍ଥାନରେ ମଧ୍ୟ ଅନୁରୂପ ଯାଞ୍ଚ କରାଯାଇଛି।
ହେଲମେଟ୍ ଓ ସମସ୍ତ ଆବଶ୍ୟକ କାଗଜପତ୍ର ଥାଇ ମଧ୍ୟ ମୋତେ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିଥିଲା। ନିୟମ ବିଷୟରେ ଆମେ ଜାଣିଥିଲୁ, କିନ୍ତୁ ସ୍ଲଟ୍ ବୁକ୍ କରିବା ଓ ଏଚ୍ଏସ୍ଆରପି ଲଗାଇବାକୁ ପ୍ରବଳ ଭିଡ଼ ହୋଇଥିଲା। ମୋଟା ଅଙ୍କର ଜରିମାନା ଆଦାୟକୁ ନେଇ ଚିନ୍ତା ପ୍ରକଟ କରି ରାକେଶ ବାରିକ କହିଛନ୍ତି, ଜଣେ କ୍ଷୁଦ୍ର ବ୍ୟବସାୟୀ ଭାବେ ମୁଁ ଏହି ଟଙ୍କା ଦେଇପାରୁନାହିଁ।
ଅନ୍ୟ ଜଣେ ଯାତ୍ରୀ ଦାବି କରିଛନ୍ତି, ଯେତେବେଳେ ମୁଁ ଏକ ନୂଆ କାର୍ କିଣିଥିଲି, ସେତେବେଳେ କମ୍ପାନୀ ମୋତେ ଆଶ୍ୱାସନା ଦେଇଥିଲା ଯେ ଏହାର ଏଚଏସଆରପି ଅଛି। ତେବେ ଆରଟିଓ ଅଧିକାରୀ ଏବେ କହୁଛନ୍ତି ଏହା ଏଚ୍ଏସ୍ଆରପି ନୁହେଁ, ମୋତେ ୫ ହଜାର ଟଙ୍କା ଫାଇନ୍ ହୋଇଛି। ଏ ସମ୍ପର୍କରେ ଆମେ ସମ୍ପୃକ୍ତ ଶୋ’ରୁମ ଡିଲରଙ୍କ ଦୃଷ୍ଟି ଆକର୍ଷଣ କରିବୁ।
ଏଚ୍ଏସ୍ଆରପି ଉଲ୍ଲଙ୍ଘନ ବ୍ୟତୀତ ପରମିଟ୍ ସମେତ ଅନ୍ୟାନ୍ୟ ନିୟମାବଳୀ ପାଳନ ନ କରିବାରୁ ଏକାଧିକ ବସକୁ ଜରିମାନା କରାଯାଇଛି। ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ଯେ ପରମିଟ୍ ନିୟମ ଉଲ୍ଲଙ୍ଘନ କରିଥିବାରୁ ଚାରିଟି ବସକୁ ଜରିମାନା କରାଯାଇଛି। ପରିବହନ ବିଭାଗର ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ, ନକଲି ରେଜିଷ୍ଟ୍ରେସନ ପ୍ଲେଟ ଥିବା ଗାଡିର ବ୍ୟବହାରକୁ ରୋକିବା ପାଇଁ ଏଚଏସଆରପି ଲାଗୁ କରାଯାଇଛି। ବର୍ତ୍ତମାନ ୩୭ ଲକ୍ଷରୁ ଅଧିକ ଗାଡିରେ ଏଚଏସଆରପି ଲଗାଯାଇଥିବା ବେଳେ ପାଖାପାଖି ୧୦ ଲକ୍ଷ ଗାଡିକୁ ଏବେ ବି ପାଳନ କରିବାର ଆବଶ୍ୟକତା ରହିଛି।
ନକଲି ନମ୍ବର ପ୍ଲେଟ୍ ଲଗାଇ ଗାଡ଼ି ଚଳାଇବା ଘଟଣା ଆମ ସାମ୍ନାକୁ ଆସିଛି, ଚଢ଼ଉ ଜୋରଦାର ହୋଇଛି। କେବଳ କଟକରେ ୧୭ଟି ଏଚଏସଆରପି ଉଲ୍ଲଙ୍ଘନ ମାମଲା ଚିହ୍ନଟ ହୋଇଛି। ତିନି ଦିନ ଧରି ଏହି ଅଭିଯାନ ଚାଲିବ ବୋଲି ଜିଲ୍ଲାପାଳ କହିଛନ୍ତି। ଏଚଏସଆରପି ନ ଲଗାଇଲେ ୫ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି।
Comments are closed.