Latest Odisha News

BREAKING NEWS

ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣାରେ ସିପିଙ୍କ ପ୍ରେସମିଟ୍, କହିଲେ ‘ବିବାହ ବିବାଦରୁ ହୋଇଥିଲା ହତ୍ୟାକାଣ୍ଡ’

ଭୁବନେଶ୍ୱର: ଭରତପୁର-ଚନ୍ଦକା ଦାଶପୁରରେ ମହିଳାଙ୍କର ମୁଣ୍ଡବିହୀନ ମୃତଦେହ ମିଳି ଘଟଣାରେ ଆଜି ପର୍ଦ୍ଦାଫାଶ ହୋଇଛି । ବିବାହ ବିବାଦକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି । ପୂର୍ବରୁ ମୁଣ୍ଡବିହୀନ ଶରୀର ମିଳିଥିବା ବେଳେ ଆଜି ଦୁଇ ଅଭିଯୁକ୍ତଙ୍କୁ ନେଇ ପୋଲିସ କଟାମୁଣ୍ଡ ସନ୍ଧାନ ପାଇଥିଲା । ମୃତ ମହିଳାଙ୍କ ନାଁ ପୁଷ୍ପଲତା ରାଉତ ଓ ତାଙ୍କ ବୟସ ୨୮ ବର୍ଷ ବୋଲି ଜଣାପଡିଛି ।

ପୋଲିସ କମିଶନରଙ୍କ ସୂଚନା ଅନୁଯାୟୀ, ମୃତ ମହିଳାଙ୍କୁ ଚିହ୍ନଟ କରିବା ପାଇଁ ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିବା ପରେ ତାଙ୍କ ପରିବାର ଲୋକେ ତାଙ୍କୁ ଚିହ୍ନଟ କରିଥିଲେ । ୯ ତାରିଖରେ ମହିଳାଙ୍କ ପରିଚୟ ମିଳିଥିଲା । କିନ୍ତୁ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିବା ପାଇଁ ପୋଲିସ ଏ ନେଇ ସ୍ପଷ୍ଟ ସୂଚନା ଦେଇ ନ ଥିଲା ।

ମୃତ ମହିଳା ପୁଷ୍ପଲତା ଗଂଜାମର ହୋଇଥିବା ବେଳେ ମଞ୍ଚେଶ୍ୱର ଧୀରକୁଟି ବସ୍ତିରେ ସେ ରହୁଥିଲେ । ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ଘରେ ଭଡାରେ ରହୁଥିବା ସଂଜୟ ଦାସଙ୍କ ସହ ତାଙ୍କ ସମ୍ପର୍କ ଗଢି ଉଠିଥିଲା । ଏହା ପରେ ଭରତପୁର ଅଂଚଳରେ ଥିବା ଫୁଲେଶ୍ୱରୀ ବସ୍ତିକୁ ଚାଲି ଯାଇଥିଲେ । ସେଠାକୁ ମଧ୍ୟ ସଂଜୟର ଯିବା ଆସିବା ଲାଗି ରହିଥିଲା ।

ଗତ ଡିସେମ୍ବର ୨୪ ତାରିଖରେ ସେ ଚକେଇସିହାଣୀ ଅଂଚଳର ପ୍ରୀତିରଂଜନ ପତିଙ୍କୁ ବିବାହ କରି ତାଙ୍କ ଘରେ ରହୁଥିଲେ । ତେବେ ବିବାହର କିଛି ଦିନ ପରେ ପୁଷ୍ପଲତା ଶାଶୁ ଘରୁ ଚାଲିଆସି ସଂଜୟଙ୍କ ସହ ରହିବାକୁ ଲାଗିଲେ । ତେବେ ତାଙ୍କ ବିବାହକୁ ନେଇ ସଂଜୟ ଓ ତାଙ୍କ ମଧ୍ୟରେ ଗତ ୩ ତାରିଖରେ ପାଟିତୁଣ୍ଡ ହୋଇଥିଲା । ଏହା ପରେ ସଂଜୟ ଏକ ଓଢଣୀ ସାହାଯ୍ୟରେ ପୁଷ୍ପଲତାଙ୍କ ତଣ୍ଟି ଚିପି ମାରି ଦେଇଥିଲେ । ଏହା ପରେ ସଂଜୟ ତା ସାଙ୍ଗ ଶ୍ରୀକାନ୍ତ ଦାସ ଓରଫ ଚାନ୍ଦୁଙ୍କୁ ଡାକି ନିଜ ବଲେରୋରେ ମୃତଦେହକୁ ଦାସପୁରରୁ ନେଇ ମୁଣ୍ଡ ଗଣ୍ଡି ଅଲଗା କରି ଫୋପାଡି ଦେଇଥିଲେ ।
ଏ ଘଟଣା ଘଟାଇବା ପରେ ଦୁଇ ଅଭିଯୁକ୍ତ ଦଶପଲ୍ଲା ପଳାଇ ଜଣେ ବନ୍ଧୁଙ୍କ ଘରେ ଥିଲେ ବୋଲି କମିଶନର କହିଛନ୍ତି ।

ଏହି ଘଟଣାରେ କଟାମୁଣ୍ଡ, ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ଓ ଅନ୍ୟାନ୍ୟ ଜିନିଷକୁ ପୋଲିସ ଭରତପୁର ଜଙ୍ଗଲରୁ ଜବତ କରି ପରୀକ୍ଷା ପାଇଁ ଫୋରେନ୍ସିକ ଲ୍ୟାବକୁ ପଠାଇଛି । ଦୁଇ ଅଭିଯୁକ୍ତଙ୍କୁ ପୋଲିସ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରିବ ବୋଲି ଜଣାପଡିଛି ।

ତେବେ ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବା ପୋଲିସ ପାଇଁ ଏକ ବଡ ଚ୍ୟାଲେଂଜ ଥିଲା ବୋଲି ପୋଲିସ କମିଶନର କହିଛନ୍ତି । ଏହି ଘଟଣାରେ ୨୦ ଜଣ ପୋଲିସ ଅଫିସର ସାମିଲ ହୋଇଥିଲେ ।

Leave A Reply

Your email address will not be published.