Latest Odisha News

BREAKING NEWS

ବରଗଡ଼ରେ ପ୍ରଧାନ ଶିକ୍ଷକଙ୍କ ମୃତ୍ୟୁ, ପୋଲିସର ତଦନ୍ତ ଜାରି

ବରଗଡ଼ : ବରଗଡ଼ ଜିଲ୍ଲା କୁଠାରପାଲି ଗାଁର ଜଣେ ପ୍ରଧାନ ଶିକ୍ଷକଙ୍କ ମୃତ୍ୟୁ। ପ୍ରଧାନ ଶିକ୍ଷକ ହେଉଛନ୍ତି ପ୍ରହ୍ଲାଦ ଦାସ। ତାଙ୍କୁ ୫୭ବର୍ଷ ହୋଇଥିଲା। ସକାଳୁ ତାଙ୍କ ଘରଠାରୁ ୫ଶହ ମିଟର ଦୂର ନିଛାଟିଆ ଜାଗାରେ ଏକ କୁମ୍ଭୀ ଗଛରୁ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଗ୍ରାମବାସୀ ଦେଖିଥିଲେ। ପରେ ପରିବାର ଲୋକେ ସେଠାରେ ପହଞ୍ଚି ପୋଲିସକୁ ସୂଚନା ଦେଇଥିଲେ। ଅମ୍ଭାଭୋନା ପୋଲିସ ଖବର ପାଇ ଘଟଣାସ୍ଥଳକୁ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି। ଏନେଇ ଥାନା କେସ୍ ନମ୍ବର ୫/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ ସେ ସ୍ୱାସ୍ଥ୍ୟଗତ କାରଣରୁ ଚାପ ଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ମୃତ ପ୍ରହ୍ଲାଦଙ୍କ କାକା ନାରାୟଣ ଦାସ କହିଛନ୍ତି। ପରିବାରରେ ସ୍ତ୍ରୀ ନଳିନୀ ଦାସ ଓ ତିନି ଭଉଣୀ। ତିନି ଭଉଣୀଙ୍କ ବିବାହ ହୋଇସାରିଛି। ତାଙ୍କର କୌଣସି ସନ୍ତାନ ନାହାନ୍ତି।

ବୁଢ଼ୀପାଳି ଗାଁ ୟୁପି ସ୍କୁଲରେ ପ୍ରହ୍ଲାଦ ଦାସ ପ୍ରଧାନ ଶିକ୍ଷକଭାବେ ରହିଥିଲେ। ସେ ଭଲିବଲ ଟିମ୍ ଗଠନ କରି ସେ ଅନେକ ମ୍ୟାଚ ଖେଳିବା ସହ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଉଥିଲେ। ତାଙ୍କର ଏପରି ଅକାଳ ବିୟୋଗରେ ଅମ୍ଭାଭୋନା ମିଳିତ ଶିକ୍ଷକ ସଂଘ, ଅମ୍ବାଭୋନା ଭଲିବଲ ଟିମ ସହିତ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.