ବୈଶିଙ୍ଗା:ମୟୂରଭଞ୍ଜର ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ପ୍ରାଥମିକ ବିଦ୍ୟାଳୟର ଜନୈକ ୫ମ ଶ୍ରେଣୀ ଛାତ୍ର ସାପକାମୁଡ଼ାରେ ଗୁରୁତର ହୋଇଥିଲେ । କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଶନିବାର ତାଙ୍କର ମୃତ୍ୟୁ ଘଟିଛି। ତେବେ ଏହି ଘଟଣାରେ ପ୍ରଧାନଶିକ୍ଷୟିତ୍ରୀ ସୁବର୍ଣ୍ଣ ମଞ୍ଜରୀ ଭୂୟାଁ ନିଲମ୍ବିତ ହୋଇଛନ୍ତି ।
ସୂଚନାଥାଉକି, ମଙ୍ଗଳବାର ହଷ୍ଟେଲରେ ରହୁଥିବା ବାରିପଦା ନିକଟସ୍ଥ ବାଇଗଣବାଡ଼ିଆ ଗାଁର ରବିନ୍ଦ୍ର ସୋରେନଙ୍କ ପୁଅ ସପନ ବିଦ୍ୟାଳୟ ପରିସରରେ ଅନ୍ୟ ପିଲାଙ୍କ ସହ ଖେଳୁଥିବା ବେଳେ ତାଙ୍କୁ ସାପକାମୁଡ଼ି ଦେଇଥିଲା । ସେ ସାପ କାମୁଡାରେ ଗୁରୁତର ହୋଇଥିଲେ। ତାଙ୍କୁ ବାରିପଦା ପିଆରଏମ୍ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି ।
ଏହି ଖବର ଶୁଣିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ଶତାଧିକ ଗ୍ରାମବାସୀ ପ୍ରଧାନଶିକ୍ଷୟିତ୍ରୀ ସୁବର୍ଣ୍ଣ ମଞ୍ଜରୀ ଭୂୟାଁଙ୍କର ବହିଷ୍କାର ଦାବି କରିଥିଲେ। ଏହା ସହ ମୃତ ଛାତ୍ରଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଅଡ଼ି ବସିଥିଲେ।
ବେତନଟୀ ତହସିଲଦାର ଚନ୍ଦ୍ରଜିତ ବେହେରା ଓ ଅତିରିକ୍ତ ତହସିଲଦାର ହିତେଶ କୁମାର ଜେନା ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରିଥିଲେ ଏବଂ ଜିଲାପାଳଙ୍କ ସହ ପରାମର୍ଶ ପରେ ଉପଯୁକ୍ତ କ୍ଷତିପୂରଣ ଦିଆଯିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହା ସହିତ ପ୍ରଧାନଶିକ୍ଷୟିତ୍ରୀଙ୍କୁ ସରକାର ଚାକିରିରୁ ନିଲମ୍ବନ କରିଥିବା ପ୍ରକାଶ କରିଥିଲେ। ଏହାପରେ ଘଟଣା ଶାନ୍ତ ପଡ଼ିଥିଲା।
Comments are closed.